ମହିଳା ଯନ୍ତ୍ରୀଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗ: ପୀଡିତା କହିଲେ, ମିଟିଂ ଚାଲିଥିବା ବେଳେ ମୋ ଦେହରେ ହାତ ମାରିଲେ

Published By : Prameya-News7 Bureau | November 06, 2020 IST

କେନ୍ଦୁଝର୬/୧୧: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ସରକାରୀ ଯନ୍ତ୍ରୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହିତ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତ୍ରିରେ ଫୋନ୍‌ କରି ଅଶ୍ଳୀଳ କାଥାବାର୍ତ୍ତା କରୁଛନ୍ତି । ନିକଟରେ ବିଡିଓଙ୍କ ଚାମ୍ବରରେ ଉନ୍ନୟନ ସମ୍ପର୍କରେ ବୈଠକ ଚାଲିଥିବା ସମୟରେ ସହକାରୀ ଯନ୍ତ୍ରୀ ତାଙ୍କ ଦେହରେ ହାତ ମାରିବାକୁ ନେଇ ମହିଳା ଯନ୍ତ୍ରୀ ଦୃଢ଼ ପ୍ରତିବାଦ କରିଥିଲେ ।

ସହକାରୀ ଯନ୍ତ୍ରୀ ତାଙ୍କୁ ବଦଳି କରିଦେବା ସହିତ କ୍ୟାରିୟର ନଷ୍ଟ କରିଦେବେ ବୋଲି ଧମକ ଦେଉଛନ୍ତି । ଅତିଷ୍ଠ ହୋଇ ମହିଳା ଯନ୍ତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା । ପରବର୍ତ୍ତୀ ସମୟରେ ମହିଳା ଯନ୍ତ୍ରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହି ସ୍ପର୍ଶକାତର ଘଟଣାରେ ଜିଲ୍ଲାପାଳ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାସ୍ତରରେ ରହିଥିବା କମିଟି ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କମିଟିରେ ନିକଟରେ ମହିଳା ଯନ୍ତ୍ରୀ ଜମାନବନ୍ଦୀ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ନିୟମିତ ଫୋନ୍‌ କରି ଧମକଚମକ ଦେଉଥିବାରୁ ତାଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି ବୋଲି କମିଟି ଆଗରେ ମହିଳା ଯନ୍ତ୍ରୀ ବୟାନ ଦେଇଛନ୍ତି । ତୁରନ୍ତ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀ କହିଛନ୍ତି, ମହିଳା ଯନ୍ତ୍ରୀଙ୍କ ଠାରୁ ଅଭିଯୋଗ ପାଇ ତଦନ୍ତ ହେଉଛି । ଅଭିଯୋଗର ପ୍ରମାଣ ମିଳିଲେ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.