ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘରକୁ ପଚା ଟମାଟୋ ମାଡ

Published By : Prameya-News7 Bureau | December 27, 2018 IST

ଭୁବନେଶ୍ବର ୨୭|୧୨: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରିଛି ମହିଳା କଂଗ୍ରେସ । ମନ୍ତ୍ରୀ ମହାରଥୀଙ୍କ ବାସଭବନ ଘେରାଉ କରିଛନ୍ତି ମହିଳା କଂଗ୍ରେସ କର୍ମୀ । ଏହା ସହ ମନ୍ତ୍ରୀଙ୍କ ଘର ଉପରକୁ ଝାଡୁ ଓ ଟମାଟୋ ମାଡ କରିଛନ୍ତି ।

{"id":67629}

ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ କୋର୍ଟ ଗତ ୨୪ତାରିଖରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ତେବେ ୨ ଅଭିଯୁକ୍ତ ଭାଇ ନିର୍ଦ୍ଦୋଷରେ ଖଲାସ ହେବା ପରେ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଲା ବୋଲି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ। ତେବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ମାମଲାରେ ଦୋଷୀକୁ ପ୍ରଶୟ ଦେବା ନେଇ ମନ୍ତ୍ରୀ ମହାରଥୀଙ୍କ ନାଁରେ ଅଭିଯୋଗ ଥିଲା । ଆଉ କୋର୍ଟଙ୍କ ରାୟ ଆସିବା ପରେ ମହାରଥୀଙ୍କ ବୟାନକୁ ନେଇ ଚର୍ଚ୍ଚା ଚାଲିଛି । 

{"id":67630}

୨୦୧୧ ନଭେମ୍ବର ୨୯ । ପିପିଲି ଥାନା ଅର୍ଜୁନଗୋଦା ଗାଁର ବେବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ପରେ ସେ କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଧରି କୋମାରେ ପଡ଼ି ଚିକିତ୍ସିତ ହେଉଥିଲେ । ୬ ମାସ ଧରି କଟକ ଏସ୍‌ସିବି ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେବାପରେ ଜୁନ୍‌ ୨୧, ୨୦୧୨ରେ ଆଖିବୁଜିଥିଲେ ୧୯ ବର୍ଷୀୟା ପିପିଲି ଗଣବଳାତ୍କାର ପୀଡ଼ିତା ବେବିନା ବେହେରା । ବେବିନାଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଥିଲା ଚହଳ । ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଚାକିରୀରୁ ବହିଷ୍କାର କରାଯାଇଥିଲା । ପିପିଲି ଥାନା ପୋଲିସ ଏହି ଘଟଣାରେ ପ୍ରଥମ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା । ପରେ ଅବଶ୍ୟ ଅମୂଲ୍ୟ ଚମ୍ପତ୍ତିରାୟ ଏହା ବିରୋଧରେ ସ୍ୟାଟ୍‌ରେ ଆବେଦନ କରିଥିଲେ । ସ୍ୟାଟ୍ ଏବଂ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁଣିଥରେ ଚାକିରୀରେ ଅବସ୍ଥାପିତ କରାଯାଇଥିଲା ।  ଏହି ମାମଲାର ତଦନ୍ତ ପାଇଁ ଜଷ୍ଟିସ ପିକେ ମହାନ୍ତି କମିଶନ ଗଠନ ହୋଇଥିବା ବେଳେ କମିଶନ ୨୦୧୬ ମାର୍ଚ୍ଚ ୩୦ରେ ୪୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।  ଏହି ରିପୋର୍ଟର ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଦାବି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.