Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତୀୟ ଟିମ୍‌ର କୋଚ୍ ହେବାକୁ ଚାହୁଁଛନ୍ତି ଶ୍ରୀଲଙ୍କାର ଏହି ବରିଷ୍ଠ ଖେଳାଳି, ଜାଣନ୍ତୁ ସେ କିଏ

23/07/2019 at 3:18 PM

ନୂଆଦିଲ୍ଲୀ ୨୩|୭: ଭାରତୀୟ ସିନିୟର କ୍ରିକେଟ୍ ଟିମ୍ ପାଇଁ ମୁଖ୍ୟ କୋଚ୍ ର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତୀୟ ଟିମ୍ ର ମୁଖ୍ୟ କୋଚ୍ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆଗାମୀ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପର୍ଯ୍ୟନ୍ତ ହିଁ ରହିଛି । ମାତ୍ର ବିସିସିଆଇ ସମସ୍ତ କୋଚ୍ ପଦବୀ ପାଇଁ ଆବେଦନ ସଂଗ୍ରହ କରିବା ଆରମ୍ଭ କରିସାରିଲାଣି ।

ସୂଚନା ଅନୁସାରେ କେତେକ ବରିଷ୍ଠ ଖେଳାଳି ଭାରତୀୟ ଟିମ୍ ର କୋଚ୍ ହେବାକୁ ଚାହୁଁଛନ୍ତି । ଏବେ ଏହି ଲିଷ୍ଟରେ ଶ୍ରୀଲଙ୍କାର ବରିଷ୍ଠ ଖେଳାଳି ତଥା ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେଙ୍କ ନାମ ଶୁଣିବାକୁ ମିଳୁଛି । ଏକ ରିପୋର୍ଟ ଅନୁସାରେ ମହେଲା ଜୟବର୍ଦ୍ଧନେ ଏହି ପଦବୀ ପାଇଁ ଆବେଦନ ମଧ୍ୟ କରିବାକୁ ଚାହୁଁଛନ୍ତି ।

ଜୟବର୍ଦ୍ଧନେ ପାଇଁ ଭାରତୀୟ ଟିମ୍ ର କୋଚ୍ ହେବା ଏତେ ସହଜ ହେବନାହିଁ । କାରଣ ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀଙ୍କୁ ପୁଣି ଥରେ କୋଚ୍ ପଦବୀ ପାଇଁ ନିଯୁକ୍ତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନର ମୁଖ୍ୟ କୋଚ୍ ଏବଂ ସପୋର୍ଟ ଷ୍ଟାଫ୍ ଙ୍କୁ ଟିମ୍ ରେ ସିଧାସଳଖ ଏଣ୍ଟ୍ରି ମିଳିପାରେ । କ୍ରିକେଟ୍ ଆଡଭାଇଜରି କମିଟିର ମୁଖ୍ୟ କପିଳ ଦେବ ନିଷ୍ପତ୍ତି ନେବେ ଯେ, କିଏ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ପାଇଁ ଯୋଗ୍ୟ ଏବଂ ଭଲ ପ୍ରତିନ୍ଦ୍ବନ୍ଦୀ ।

ମହେଲା ଜୟବର୍ଦ୍ଧନେ ଏବେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୋଚ୍ ଅଛନ୍ତି । ତାଙ୍କ ନେତୃତ୍ବରେ ଟିମ୍ ଦୁଇ ଦୁଇ ଥର ଚାମ୍ପିଅନ ହୋଇସାରିଲାଣି । ତାଙ୍କ ନିକଟରେ କୋଚିଂର ଭଲ ଅଭିଜ୍ଞତା ମଧ୍ୟ ରହିଛି । ଏଥିସହ ସେ ଭାରତୀୟ ଟିମ୍ ର ଅଧିକାଂଶ ଭାରତୀୟ କ୍ରିକେଟରଙ୍କ ସହ ପରିଚିତ ମଧ୍ୟ ଅଛନ୍ତି । ଜୟବର୍ଦ୍ଧନେ ଇଂଲଣ୍ଡ ଟିମ୍ ସହ କିଛି ସମୟ ପାଇଁ ପରାମର୍ଶଦାତା କୋଚ୍ ଭାବେ କାମ ମଧ୍ୟ କରିଛନ୍ତି । ଜୟବର୍ଦ୍ଧନେଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଗେରୀ କ୍ରିଷ୍ଟନ ଏବଂ ଟମ୍ ମୁଡି ମଧ୍ୟ ଏହି ପଦବୀ ପାଇଁ ଆବେଦନକାରୀଙ୍କ ଲିଷ୍ଟରେ ଆଗରେ ଅଛନ୍ତି ।  କିନ୍ତୁ ଏମାନଙ୍କଠୁ ମଧ୍ୟ ଜୟବର୍ଦ୍ଧନେଙ୍କ ପଲା ସବୁଠୁ ଭାରି ରହିଛି ।

ଯଦି ଜୟବର୍ଦ୍ଧନେ କୋଚ୍ ହୁଅନ୍ତି ତେବେ ଆଇପିଏଲ ଭଳି ସେ ରୋହିତ ଶର୍ମାଙ୍କ ସହ ମିଶି ଟିମ୍ କୁ ଅଧିକ ଉନ୍ନତ ସ୍ତରକୁ ନେଇଯାଇପାରିବେ । ରୋହିତଙ୍କ ବ୍ୟତୀତ ଯଶପ୍ରୀତ୍ ବୁମରାହ, ହାର୍ଦ୍ଧିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆରେ ସାମିଲ ହୋଇଥିବା ସ୍ପିନର ରାହୁଲ ଚହରଙ୍କ ଭଳି ଖେଳାଳି ଅଛନ୍ତି ଯେଉଁମାନଙ୍କ ବିଷୟରେ ଜୟବର୍ଦ୍ଧନେଙ୍କୁ ଖୁବ୍ ଭଲ ଭାବେ ଜଣାଅଛି ।  ଯଦିଓ ଭାରତୀୟ ଟିମ୍ ର ମୁଖ୍ୟ କୋଚ୍ କିଏ ହେବ ସେନେଇ କପିଳ ଦେବଙ୍କ ନେତୃତ୍ବାଧିନ ଆଡଭାଇଜରି କମିଟିର କମିଟି ହିଁ ନିଷ୍ପତ୍ତି ନେବ ।

   Related Posts