କୃଷି ଆଇନର ତତ୍କାଳ ପ୍ରତ୍ୟାହାର ଦାବି କଲେ ମହେବୁବା ମୁଫ୍ତି

Published By : Prameya-News7 Bureau | January 28, 2021 IST

ଜମ୍ମୁ୨୮।୧: ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମହେବୁବା ମୁଫ୍ତି ଗୁରୁବାର କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନର ତତ୍କାଳ ପ୍ରତ୍ୟାହାର ଦାବି କରିଛନ୍ତି। ଏହି ଆଇନକୁ ସରକାର ଚାଷୀଙ୍କ ସହ ବିନା ଆଲୋଚନାରେ ପ୍ରସ୍ତୁତ କରିଥିବା ବେଳେ ସଂସଦରେ ଗ୍ରୁହୀତ କରିବା ଲାଗି ଆପଣାଇଥିବା ଉପାୟ ମଧ୍ୟ ଅସାମ୍ବିଧାନିକ। ଏଣୁ ଆଇନର ତତ୍କାଳ ପ୍ରତ୍ୟାହାର ହେଉ ବୋଲି ସେ ଦାବି କରିଛନ୍ତି।

ମହବୁବା ମୁଫ୍ତି ପାର୍ଟିର ରଣନୀତି ପ୍ରସ୍ତୁତି ଲାଗି ଏବେ ୭ ଦିନିଆ ଜମ୍ମୁ ଗସ୍ତରେ ଅଛନ୍ତି। ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଉପୁଜିଥିବା ହିଂସା ନେଇ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କୃଷି ଆଇନ ତତ୍କାଳ ପ୍ରତ୍ୟାହାର ହେବା ଦରକାର ବୋଲି କହିଛନ୍ତି। ଆଇନ ବିରୋଧରେ ରାଜଧାନୀକୁ ଘେରି ବସିଥିବା ଚାଷୀଙ୍କୁ ଏହି ଆଳରେ ବଦନାମ କରିବା ହୁଏତ ସରକାରଙ୍କ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଗଣତନ୍ତ୍ର ଦିବସ ସମ୍ବିଧାନର ଉତ୍ସବର ଦିନ। ଏଥିରେ ସରକାର ପ୍ରଣୟନ କରୁଥିବା ଆଇନ ଯଦି ସମ୍ବିଧାନ ବିପରୀତ ହୁଏ ଏହାର ଫଳ ଏଇଆହିଁ ହୋଇଥାଏ  ଏଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହି ଆଇନକୁ ନେଇ ଦେଶର କୃଷକ ସମାଜ ଆତଙ୍କିତ। ଏଣୁ ଚାଷୀଙ୍କ ଭୟ ଦୂର କରିବା ସରକାରଙ୍କ ପ୍ରଥମ ଦାୟିତ୍ୱ। ଏଣୁ ସରକାର ଆଗ ନିଜ କର୍ତ୍ତବ୍ୟ ପାଳନ କରନ୍ତୁ ପରେ ଅନ୍ୟ ପ୍ରସଙ୍ଗରେ କଥା ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.