ସମ୍ବଲପୁର ଜିଲ୍ଲାରେ ରହିଛି ମହାତ୍ମା ଗାନ୍ଧିଙ୍କ ମନ୍ଦିର : ଯେଉଁଠି ପୂଜା ପାଆନ୍ତି ଗାନ୍ଧିଜୀ

Published By : Prameya-News7 Bureau | October 02, 2019 IST

ସମ୍ବଲପୁର ୨।୧୦: ଗାନ୍ଧି ଜୟନ୍ତୀ ଅବସରରେ ସମ୍ବଲପୁର ଭତରା ଗାଁରେ ଥିବା ଗାନ୍ଧି ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହାସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି । ବିଜେପି ପକ୍ଷରୁ ଏକ ପଦଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି । ଏହି ମନ୍ଦିରରେ ଗାନ୍ଧିଙ୍କୁ ଦଳିତମାନଙ୍କ ଦ୍ବାରା ପୂଜା କରାଯାଇଥାଏ । ଲବଣ ସତ୍ୟାଗ୍ରହ ସମୟରେ ସମ୍ବଲପୁର ଦେଇ ଯିବା ବେଳେ ବାଲିବନ୍ଧାଠାରେ ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ଗାନ୍ଧୀଙ୍କ ଭାଷଣରେ ପ୍ରଭାବିତ ହୋଇ  ଦଳିତମାନେ ଏହି ଗାନ୍ଧୀ ମନ୍ଦିର ନିର୍ମାଣ କରିଥିଲେ ।

ଗାନ୍ଧିଙ୍କ ପୂଜାର୍ଚ୍ଚନା । ଗାନ୍ଧି ମନ୍ଦିରରେ ଦେବାଦେବୀଙ୍କ ଭଳି ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧି । ଗାନ୍ଧି ଜୟନ୍ତୀ ଅବସରରେ ମନ୍ଦିରରେ ସବୁ ସଂପ୍ରଦାୟର ଲୋକେ ସଂକୀର୍ତ୍ତନ, ରାମଧୂନ୍‌ ସାଙ୍ଗକୁ, ଗୀତା ପାଠ ଓ ଭାଗବତ ଚର୍ଚ୍ଚା କରିଛନ୍ତି । ସ୍ବାଧୀନତା ସଂଗ୍ରାମ ବେଳେ ୧୯୨୦ ରେ ସମ୍ବଲପୁର ବାଲିବନ୍ଧାକୁ ଆସିଥିଲେ ଗାନ୍ଧିଜୀ। ସେଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାସହ, ଦଳିତ ସଂପ୍ରଦାୟଙ୍କ ଘରେ ରାତ୍ରି ଯାପନ କରି ରାତ୍ରି ଭୋଜନ କରିଥିଲେ । ଛୁଆଁ ଅଛୁଆଁ ଭାବ ତୀବ୍ର ରହିଥିବା ବେଳେ, ଗାନ୍ଧୀଜୀଙ୍କ ଏପରି ବାର୍ତ୍ତା ଦଳିତ ଓ ଆଦିବାସୀଙ୍କ ମନକୁ ଜିତିଥିଲା ।ଗାନ୍ଧୀଜୀଙ୍କ ଦେହାନ୍ତ ପରେ, ତାଙ୍କର ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ, ଭତରା ଗାଁର ଦଳିତ ସଂପ୍ରଦାୟର ଲୋକେ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ରାଜ୍ୟ ତଥା ଦେଶର ଏହି ଏକମାତ୍ର ଗାନ୍ଧୀମନ୍ଦିରରେ ପୂଜା ପାଇଁ ଆସୁଛି ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ।

ଗାନ୍ଧିଙ୍କ ମନ୍ଦିର ପାଇଁ ୧୯୭୦ରେ ଗାଁର ଜଣେ ବ୍ୟକ୍ତି ମନ୍ଦିର ପାଇଁ ଜମି ଦେଇଥିଲେ । ୧୯୭୨ରେ ତତ୍‌କାଳୀନ ଉତ୍ତରାଞ୍ଚଳ ଆର୍‌ଡିସି ଭତରା ଗାଁରେ ମହାତ୍ମାଗାନ୍ଧୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜା କରିଥିଲେ। ମନ୍ଦିର ନିର୍ମାଣ ଖର୍ଚ୍ଚ ପାଇଁ ସେତେବେଳେ ଜିଲ୍ଲାପ୍ରଶାସନ ୧୦ହଜାର ଟଙ୍କା ଦେଇଥିଲା । ମହାତ୍ମା ଗାନ୍ଧୀିଙ୍କ ପୂର୍ଣ୍ଣ ଅବୟବ ବ୍ରୋଞ୍ଚ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ସବୁ ଖର୍ଚ୍ଚ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଦେଇଥିଲେ । ଏପ୍ରିଲ୍‌ ୧୧, ୧୯୭୪ରେ ଏହାକୁ ଉଦ୍‌ଘାଟନ କରିଥିଲେ ନନ୍ଦୀନ ଶତପଥୀ । ଅନ୍ୟସବୁ ମନ୍ଦିର ପରି ଏହି ମନ୍ଦିରରେ ମଧ୍ୟ ସକାଳଧୂପ, ନିଶଙ୍କୁଡି ଭୋଗ, ଧୂପ, ଆଳତୀ କରାଯିବା ସହ, ପ୍ରତ୍ୟହ ରାମ୍‌ଧୂନ, ପ୍ରହରୀ କରାଯାଉଛି । ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨, ସାଧାରଣତନ୍ତ୍ର ଦିବସ  ଓ ସ୍ବାଧୀନତା ଦିବସରେ ପ୍ରାତଃହରୁ ରାମଧୂନ କରାଯିବା ସହ, ପ୍ରଭାତ ଫେରି କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.