ଭଦ୍ରକକୁ ୩ଥର ଆସିଥିଲେ ମହାତ୍ମା ଗାନ୍ଧୀ, ଗାନ୍ଧିଜୀଙ୍କ ସ୍ମୃତି ବହନ କରୁଥିବା ଏହି ସ୍ଥାନଗୁଡିକ ଏବେ ମୁକ ସାକ୍ଷୀ ହୋଇ ରହିଛି

Published By : Prameya-News7 Bureau | October 01, 2020 IST

ଭଦ୍ରକ ୧।୧୦: ଅକ୍ଟୋବର ୨ ତାରିଖରେ ଦେଶ ପାଳିବ ୧୫୧ତମ ଗାନ୍ଧୀ ଜୟନ୍ତୀ । ଆଜି ବି ଗାନ୍ଧୀଙ୍କ ସ୍ମୃତି ବହନ କରୁଥିବା ବହୁ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳନ ହେଉଛି । ଅସହଯୋଗ ଆନ୍ଦୋଳନର ପ୍ରଚାର, ପ୍ରସାର କରିବା ପାଇଁ ମହାତ୍ମା ଗାନ୍ଧୀ ଦେଶର ବିଭିନ୍ନ ରାଜ୍ୟକୁ ଗସ୍ତ କରିଥିଲେ । ଏହି ଅବସରରେ ଓଡିଶାକୁ ଆସିଥିବା ବେଳେ ଭଦ୍ରକ ଜିଲ୍ଲାକୁ ୩ଥର ଆସିଥିଲେ ।

{"id":337100,"sizeSlug":"large"}

୧୯୪୩ମସିହାରେ ହରିଜନ ପଦଯାତ୍ରା ବେଳେ ଜାତିର ପିତା ମହାତ୍ମା ଗାନ୍ଧୀ ଆସିଥିଲେ ଗାନ୍ଧୀ ଓଡିଶା ବାଳାଶ୍ରମକୁ । ଏଠାରେ ଗାନ୍ଧୀ ଜୁନ ୫ ରୁ ୭ ତାରିଖ ୩ ଦିନ ପର୍ଯ୍ୟନ୍ତ ରହିଥିଲେ । ୧୯୨୮ ମସିହାରେ ଗାନ୍ଧିଜୀଙ୍କ ଜଣେ ପଟ୍ଟଶିଷ୍ୟ ଜୀବନରାମ କଲ୍ୟାଣଜୀ କୋଠରୀ ଏଠାରେ ଗାନ୍ଧୀଙ୍କ ଅନୁରୋଧରେ ଏହି ଅନାଥାଶ୍ରମ କରିଥିଲେ । ସେବେଠାରୁ ଏହି ଅନାଥାଶ୍ରମଟି ଗାନ୍ଧୀଙ୍କ ସ୍ମୃତି ବହନ କରୁଛି । ପରେ ବିଭିନ୍ନ ସମୟରେ ମହତାବ କୋଠି, ଚାରିବାଟିଆ, ମଞ୍ଜୁରୀ ଓ ଗାନ୍ଧୀ ପଡିଆ ଅଞ୍ଚଳରେ ମଧ୍ୟ ଗାନ୍ଧୀଙ୍କ ସ୍ମୃତି ରହିଛି । ସେଥିପାଇଁ ଏବେ ଗାନ୍ଧୀ ଜୟନ୍ତୀ ମଧ୍ୟ ଭଦ୍ରକବାସୀଙ୍କ ପାଇଁ ସ୍ଵତନ୍ତ୍ର ।

{"id":337102,"sizeSlug":"large"}

ଅନାଥ ଏବଂ ହରିଜନ ଶିଶୁଙ୍କ ହିତ ସାଧନ ପାଇଁ ଗାନ୍ଧୀଙ୍କ ଜଣେ ପଟ୍ଟଶିଷ୍ୟ ଜୀବନରାମ କଲ୍ୟାଣଜୀ କୋଠରୀ ସୁଦୂର ଗୁଜୁରାଟରୁ ଆସି ଭଦ୍ରକ ଜିଲ୍ଲା ଗରଦପୁରଠାରେ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ପ୍ରଥମେ ୫ ଜଣ ଅନାଥ ଶିଶୁଙ୍କୁ ନେଇ ଏକ ଚାଳ ଛପର ଘରେ ପ୍ରତିଷ୍ଠା ହୋଇଥିଲା ଏହି ଆଶ୍ରମ । କାଳକ୍ରମେ ଏଠାରେ ଶତାଧିକ ଅନ୍ତେବାସୀ ଅବସ୍ଥାନ କରୁଛନ୍ତି । ୧୯୪୩ ମସିହା ହରିଜନ ପଦଯାତ୍ରା ବେଳେ ମହାତ୍ମା ଗାନ୍ଧୀ ଆସିଥିବା ଏହି ଅନାଥାଶ୍ରମଟି ବର୍ତ୍ତମାନ ଗାନ୍ଧୀ ଓଡିଶା ବାଳାଶ୍ରମ ନାମରେ ପରିଚିତ ।

{"id":337103,"sizeSlug":"large"}

ଅନ୍ତେବାସୀଙ୍କ ଶିକ୍ଷାର ଉନ୍ନତି ପାଇଁ ୧୯୫୭ ମସିହାରେ ଏଠାରେ ଏକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଗାନ୍ଧୀଙ୍କ ନୀତି ଆଦର୍ଶରେ ପରିଚାଳିତ ଏହି ଅନାଥାଶ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦରିଦ୍ର ନିଷ୍ପେଷିତ କୋମଳମତି ପିଲାମାନେ ସେମାନଙ୍କ ଜୀବନ ଗଢ଼ୁଛନ୍ତି । ଏହି ୩ଦିନ ରହଣି ସମୟରେ ଗାନ୍ଧିଜୀଙ୍କ ଡାଇରୀ, ଚରଖ, ହାତ କଟା ସୁତା, ଚଷମା, ବିଛଣା, ଖଟ ପରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକ ତାଙ୍କ ସ୍ମୃତି ବହନ କରୁଛି । ଏଥର ଗାନ୍ଧୀ ଜୟନ୍ତୀ ଅବସରରେ ୧୦୦ରୁ ଅଧିକ ଫୋଟୋକୁ ନେଇ ଏକ ଫଟୋ ଗ୍ୟାଲେରୀ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଯେଉଁ ଗ୍ୟାଲେରୀରେ ମହାତ୍ମା ଗାନ୍ଧୀଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସମୟର ଫଟୋଗୁଡିକ ସ୍ଥାନିତ ହୋଇଛି ।

{"id":337107,"sizeSlug":"large"}

ଗାନ୍ଧୀ ବାଳାଶ୍ରମ ପରିସରରେ ଗାନ୍ଧୀ ସ୍ମୃତି ମନ୍ଦିର ରହିଛି । ଯେଉଁଠି ପ୍ରତ୍ୟକ ଦିନ ଗାନ୍ଧୀ ଛାଡିଯାଇଥିବା ଓ ବ୍ୟବହାର କରିଥିବା ସାମଗ୍ରୀଗୁଡିକୁ ପୂଜା କରାଯାଇଥାଏ । ଗାନ୍ଧୀ ଜୟନ୍ତୀରେ ଏଠାରେ ମଧ୍ୟ ସ୍ଵତନ୍ତ୍ର ଆୟୋଜନ ହୋଇଛି । କିନ୍ତୁ କାରୋନା ନିୟମକୁ କଡାକଡି ଭାବେ ପାଳନ କରି ଗାନ୍ଧୀ ଜୟନ୍ତୀ ପାଳନ ହେବ ।

{"id":337108,"sizeSlug":"large"}

କେବଳ ଗାନ୍ଧୀ ବଳାଶ୍ରମ ନୁହେଁ, ଭଦ୍ରକ ଜିଲ୍ଲାର ଏମିତି ବି ଆହୁରି ବହୁ ଅଞ୍ଚଳ ରହିଛି ଯେଉଁ ଅଞ୍ଚଳରେ ଗାନ୍ଧୀଙ୍କ ପଦଧ୍ବନୀ ଶୁଭିଥିଲା । ୧୦୨୧ ମସିହାରେ କଟକରେ ସଭା କାର୍ଯ୍ୟ ପରେ ଟ୍ରେନ ଯୋଗେ ଭଦ୍ରକ ଆସିଥିଲେ । ସାଳନ୍ଦୀ ନଦୀ କୂଳରେ ଥିବା ଏହି ଗାନ୍ଧୀ ପଡିଆରେ ସାଧାରଣ ସଭାରେ ଯୋଗଦେଇ ଭଦ୍ରକବାସୀଙ୍କୁ ଅସହଯୋଗ ଆନ୍ଦୋଳନ ପାଇଁ ଉଦବୁଦ୍ଧ କରିଥିଲେ । ଏବେ ମଧ୍ୟ ଏହି ଐତିହାସିକ ଗନ୍ଧୀ ପଡିଆଠାରେ ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ରହିଛି । ଏହି ସ୍ଥାନର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ଚାଲିଛି । ସେହିପରି ଭଦ୍ରକ ସହରର ମହତାବ କୋଠୀ ମଧ୍ୟ ଏବେ ଗାନ୍ଧୀ ଜୟନ୍ତୀ ପାଇଁ ସଜେଇ ହୋଇଛି ।

{"id":337109,"sizeSlug":"large"}

୧୯୨୭ ମସିହା ଓ ୧୯୩୪ ମସିହାରେ ମହାତ୍ମା ତାଙ୍କ ଭଦ୍ରକ ଗସ୍ତ ସମୟରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଏହି କୋଠୀରେ ଅବସ୍ଥାନ କରିଥିଲେ । ହରିଜନ ପଦଯାତ୍ରା ଅବସରରେ ମଧ୍ୟ ରାତ୍ରିଯାପନ କରିଥିଲେ ଗାନ୍ଧୀ ।

{"id":337110,"sizeSlug":"large"}

ସେହିପରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ, ବାସୁଦେବପୁର ବ୍ଲକର ଚାରିବାଟିଆ ଆଦି ଅଞ୍ଚଳରେ ମହାତ୍ମା ଗାନ୍ଧୀଙ୍କ ପାଦ ଚିହ୍ନ ପଡିଥିଲା । ସେଥିପାଇଁ ଭଦ୍ରକ ବାସୀଙ୍କ ପାଇଁ ଗାନ୍ଧୀ ଜୟନ୍ତୀ କିଛି ସ୍ଵତନ୍ତ୍ର । କେବଳ ଅବସ୍ଥାନ ନୁହଁ, ଭଦ୍ରକବାସୀ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନର ଭାଷଣ ଓ ହରିଜନ ପଦଯାତ୍ରା ଦ୍ଵାରା ମଧ୍ୟ ପ୍ରଭାବିତ ହୋଇଥିଲେ । ପରେ ଲୁଣିଆ ଓ ଇରମ ଗୁଳିକାଣ୍ଡରେ ମଧ୍ୟ ଭଦ୍ରକ ଜିଲ୍ଲାର ଅମର ସହିଦମାନେ ନିଜ ବଳିଦାନ ଦେଇଥିଲେ । ଏବେ ଗାନ୍ଧୀ ଜୟନ୍ତୀକୁ ମଧ୍ୟ କିଛି ସ୍ଵତନ୍ତ୍ରତା ଦେଇଛନ୍ତି ଭଦ୍ରକ ବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.