Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କଥା ଦେଇ ଭୁଲିଗଲା ଭୁବନେଶ୍ୱର : ଗାନ୍ଧିଜୀଙ୍କ ପାଇଁ ଜାଗା ଦେଇଥିଲେ, ଏବେ ଚିହ୍ନ ବି ମିଳୁନି…

2/10/2021 at 2:09 PM

ଭୁବନେଶ୍ୱର,୦୨/୧୦(ମୁକେଶ ପରିଡା) : ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭୁଲିଗଲା ଭୁବନେଶ୍ୱର । ନୂଆ ରାଜଧାନୀ, ନୂଆ ପରିଚୟ । ଭୁବନେଶ୍ୱର ହେବ ସବୁଠୁ ନିଆରା । ଗାନ୍ଧି ହେବେ ରାଜଧାନୀର ବଡ଼ ପରିଚୟ । ତାଙ୍କ ସ୍ମୃତିରେ ଛିଡ଼ା ହେବ ଆକାଶଛୁଆଁ ଗାନ୍ଧି ସ୍ତମ୍ଭ । ଉଦ୍ଦେଶ୍ୟ ଥିଲା- ନୂଆ କରି ଗଢ଼ି ଉଠୁଥିବା ରାଜଧାନୀର ନୂଆ ପିଢ଼ିଙ୍କୁ ଏହି ସ୍ତମ୍ଭ ଗାନ୍ଧି ଦର୍ଶନ ଓ ବିଚାରଧାରାର ବାର୍ତ୍ତା ଦେବ । ସମସ୍ତଙ୍କ ଭିତରେ ସତ୍ୟ, ଅହିଂସା, ଶାନ୍ତିର ପୁଲକ ଭରିବ । ବିଡ଼ମ୍ବନା, ଏ ଯୋଜନା ଗଣ୍ଡିରୁ ବାହାରିପାରିନି । କାଳ କ୍ରମେ ଏ ଯୋଜନା କୁଆଡ଼େ ଉଭାନ ହୋଇଯାଇଛି । ୭୩ ବର୍ଷ ପରେ ବି ଏହାର ଖୋଜଖବର ନାହିଁ । ମୂଳ ନକ୍ସାରେ ଥିବା ‘ଗାନ୍ଧି ସ୍ମୃତି ସ୍ତମ୍ଭ’କୁ ପରବର୍ତ୍ତୀ ସମୟରେ ସହର ବିକାଶ ନକ୍ସାରୁ ଲିଭାଇ ଦିଆଯାଇଛି । ତା’ର ଚିହ୍ନବର୍ଣ୍ଣ ଆଉ କିଛି ନାହିଁ । ଏମିତି ଗୋଟିଏ ଯୋଜନା ଥିଲା ବୋଲି ନୂଆ ପିଢ଼ିର ଲୋକପ୍ରତିନିଧି ଓ ଅଧିକାରୀ କେହି ଜାଣନ୍ତି ନାହିଁ । ଏ ସ୍ୱପ୍ନ ସବୁଦିନ ପାଇଁ ଯେମିତି ସ୍ୱପ୍ନ ରହିଯାଇଛି ।

୧୯୪୮ ମାଷ୍ଟରପ୍ଲାନରେ କୋଏନସ୍‌ବର୍ଗର ଦେଇଥିଲେ ପ୍ରସ୍ତାବ

୧୯୪୮ ଏପ୍ରିଲ ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ରାଜଧାନୀ ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ । ତତ୍କାଳୀନ କେନ୍ଦ୍ର ଗୃହ ନିର୍ମାଣ ନିର୍ଦ୍ଦେଶକ ଡକ୍ଟର ଓଟୋ ଏଚ୍‍. କୋଏନିସ ବର୍ଗର ଭୁବନେଶ୍ୱର ପଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କଲେ । ସେଇ ବର୍ଷ ଜାନୁଆରୀରେ ଗାନ୍ଧିଜୀଙ୍କ ଦେହାନ୍ତ ହୋଇଥିଲା । ତେଣୁ ଭୁବନେଶ୍ୱର ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନରେ କୋଏନିସବର୍ଗର ଗାନ୍ଧି ସ୍ମୃତି ସ୍ତମ୍ଭ ପ୍ରସ୍ତାବକୁ ସ୍ଥାନିତ କରିଥିଲେ । ଯୋଜନା ଥିଲା, ରାଜଧାନୀରେ ନିର୍ମାଣ ହେବ ଶହେ ଫୁଟ୍‌ ଉଚ୍ଚର ଗାନ୍ଧି ସ୍ତୃତି ସ୍ତମ୍ଭ । ଯେଉଁ ଭଳି ଅଶୋକ ସ୍ତମ୍ଭ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟୁଛି, ସେହିଭଳି ଏହା ଗାନ୍ଧିଜୀଙ୍କ ନୀତି, ଆଦର୍ଶର ବାର୍ତ୍ତା ଦେବ । ସ୍ତୃତି ସ୍ତମ୍ଭର ଅର୍ଥ ନୁହେଁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା, କୋନିସବର୍ଗର ସ୍ପଷ୍ଟ କରିଥିଲେ, ଏକ ବିଶାଳ ସ୍ତମ୍ଭ ଛିଡ଼ା କରାଯିବ । ଆକାଶ ଆଡ଼କୁ ଆଙ୍ଗୁଠି ଦେଖାଇ ଏହି ସ୍ତମ୍ଭ ସବୁବେଳେ ଭୁବନେଶ୍ୱରବାସୀଙ୍କୁ ମନେପକାଇ ଦେଉଥିବ ଯେ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏହି ସହର ପ୍ରତିଷ୍ଠା ହୋଇଛି ।ମାଷ୍ଟରପ୍ଲାନରେ ପ୍ରସ୍ତାବ ଥିଲା, ଗାନ୍ଧି ସ୍ତୃତି ସ୍ତମ୍ଭରେ ଓଡ଼ିଶାର ପାରମ୍ପରିକ କଳା ଓ ସ୍ଥାପତ୍ୟ ଶୋଭା ପାଇବ । ସ୍ଥାନୀୟ ଅଞ୍ଚଳର ଦୁର୍ଲଭ ପଥରରେ ଏହାର ନିର୍ମାଣ ହେବ । ଭାରତର ବିଭିନ୍ନ ଅଞ୍ଚଳର ଶ୍ରେଷ୍ଠ ସ୍ଥପତି ଓ ଶିଳ୍ପୀମାନଙ୍କ କଳା କାରୁକାର୍ଯ୍ୟ ଏଥିରେ ସ୍ଥାନ ପାଇବ ।

ଏଥିରେ ଓଡ଼ିଶାର କଳା ନୈପୁଣ୍ୟ, ଐତିହ୍ୟ ଓ ସଂସ୍କୃତି ସହଜରେ ବାରି ହୋଇ ପାରିଥାନ୍ତା । ଏହି ସ୍ତମ୍ଭରେ ଗାନ୍ଧିଜୀଙ୍କ ନୀତିବାଣୀ ବିଭିନ୍ନ ଭାଷାରେ ସ୍ଥାନିତ କରିବାକୁ ଯୋଜନା ଥିଲା । ଆହୁରି ଆକର୍ଷଣୀୟ କରିବା ପାଇଁ ରାତିରେ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଥିଲା, ଯେମିତି ଏକ ଦୀପ ସ୍ତମ୍ଭ ଭଳି ଏହା ପ୍ରତୀୟମାନ ହୋଇଥାନ୍ତା । ଏହି ଗାନ୍ଧି ସ୍ତୃତି ସ୍ତମ୍ଭ ହୋଇଥାନ୍ତା ରାଜଧାନୀର କେନ୍ଦ୍ରବିନ୍ଦୁ, ଯାହାକୁ କେନ୍ଦ୍ରୀଭୂତ କରି ବ୍ୟାପିଥାନ୍ତା ରାଜଧାନୀର ପରିସୀମା । ଏହାର ଚାରିପାଖେ ଗଢ଼ି ଉଠିଥାନ୍ତା ନୂଆ ସହର । ରାଜଧାନୀର ଯେଉଁଠି ଛିଡ଼ା ହେଲେ ବି ଦିଶିଥାନ୍ତା ଏହି ସ୍ତମ୍ଭ ।

୪୮ ବର୍ଷ ପରେ ଚିତାଭସ୍ମ ତ୍ରିବେଣୀରେ ବିସର୍ଜନ

ମାତ୍ର ରାଜଧାନୀର ନବ ନିର୍ମାତାମାନେ ଏହି ମୂଳ ପରିକଳ୍ପନାକୁ ଏଡ଼ାଇ ଗଲେ । ସରକାରଙ୍କ ମାନସ ପଟରୁ ଗାନ୍ଧି ସ୍ମୃତି ସ୍ତମ୍ଭ ଯୋଜନା ଅପସରିଗଲା । ସରକାର ପରେ ସରକାର ବଦଳିଲା । ହେଲେ କେହି ଏ ଦିଗରେ ଚିନ୍ତା କଲେନି । ଏମିତିକି ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଇଁ ରାଜ୍ୟ ସରକାର ବର୍ଷ ବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ । ସମ୍ବିଧାନର ମୁଖବନ୍ଧରେ ଗାନ୍ଧିଙ୍କ ଅହିଂସା ବାର୍ତ୍ତା ସ୍ଥାନିତ କରିବାକୁ ଓଡ଼ିଶାର ସବୁ ରାଜନୈତିକ ଦଳ ମିଳିତ ଭାବେ ସ୍ୱର ଉଠାଇଥିଲେ । ବିଧାନସଭାରେ ସଭିଙ୍କ ସ୍ୱର ଏକ ହୋଇଥିଲା । ଆଶା କରାଯାଉଥିଲା, ବୋଧହୁଏ ଏଥର ଭୁବନେଶ୍ୱରରେ ଗାନ୍ଧି ସ୍ମୃତି ସ୍ତମ୍ଭ ପ୍ରସ୍ତାବ ସ୍ୱପ୍ନ ସାକାର ହେବ । ସବୁ ଦଳ ଏବେ ଗାନ୍ଧି ସ୍ମୃତି ସ୍ତମ୍ଭ କଥା ଉଠାଇବେ । ମାତ୍ର କିଛି ହେଲାନି । ଏବେ ବି “ଗାନ୍ଧି ସ୍ମୃତି ସ୍ତମ୍ଭ’ ସ୍ୱପ୍ନ ହୋଇ ରହିଛି ଗାନ୍ଧି ପ୍ରେମୀଙ୍କ ପାଇଁ ।

ଏ ବିଷୟରେ ପଚାରିଲେ ସଂସ୍କୃତି ବିଭାଗ କିଛି କହିପାରୁନି । ଏମିତି ଗୋଟିଏ ଯୋଜନା ଥିଲା କି ବୋଲି ଓଲଟି ପ୍ରଶ୍ନ କରୁଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ବିଡିଏ, ବିଏମସି ଓ ସ୍ମାର୍ଟ ସିଟି ଅଧିକାରୀ କିଛି ବି ଜାଣିନାହାନ୍ତି । କୌଣସି ଜଣେ ଜନପ୍ରତିନିଧି ବି ଜାଣନ୍ତି ନାହିଁ ଏ ବାବଦରେ ।

ଏକଥା ନୁହେଁ ଯେ ଆଜିର ସମୟରେ ୧୦୦ ଫୁଟ ଉଚ୍ଚର ଗାନ୍ଧି ସ୍ମୃତି ସ୍ତମ୍ଭ ନିର୍ମାଣ କରିବାକୁ ଆମେ ସମର୍ଥ ନୁହେଁ । ଆଜି ଭୁବନେଶ୍ୱରର ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ସ୍ମାର୍ଟ ସିଟିରେ ଶହଶହ କୋଟି ଖର୍ଚ୍ଚ ହେଉଛି । କୋଟି କୋଟି ଟଙ୍କା ବ୍ୟୟରେ ଆଖିଝଲସା କାର୍ଯ୍ୟାଳୟ ନିର୍ମାଣ ହେଉଛି । ଯଦି ଗାନ୍ଧି ସ୍ମୃତି ସ୍ତମ୍ଭ ହୋଇପାରନ୍ତା, ତେବେ ଏହା ଦେଶ ବିଦେଶର ଲୋକଙ୍କୁ ଭୁବନେଶ୍ୱର ଦେଖିବାକୁ ଟାଣି ଆଣନ୍ତା । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦର ହୋଇଥିବାବେଳେ ଆଗକୁ ପୁରୀରେ ବିଶ୍ୱସ୍ତରୀୟ ବିମାନବନ୍ଦର ଯୋଜନା ଅଛି । ଗାନ୍ଧି ସ୍ମୃତି ସ୍ତମ୍ଭ ଆମ ପାଇଁ ପର୍ଯ୍ୟଟନର ଆଉ ଏକ କ୍ଷେତ୍ର ପାଲଟିପାରନ୍ତା ।

ବିଶିଷ୍ଟ ଗାନ୍ଧିବାଦୀ ଲେଖକ ପ୍ରହ୍ଲାଦ ସିହ୍ନା କହିଛନ୍ତି, ଗାନ୍ଧିଙ୍କ ଦେହାନ୍ତ ପରେ ଓଡ଼ିଶାକୁ ୧୨ଟି ପାତ୍ରରେ ତାଙ୍କ ଚିତାଭସ୍ମ ଆସିଥିଲା । ୧୧ଟି ପାତ୍ରରେ ଥିବା ଚିତାଭସ୍ମକୁ ଓଡ଼ିଶାରେ ବିଜର୍ସନ କରାଯାଇଥିଲା । ମାତ୍ର ଗୋଟିଏ ଚିତାଭସ୍ମ ପାତ୍ରକୁ ସଂରକ୍ଷିତ ରଖାଯାଇଥିଲା କେବଳ ଏଇ ଗାନ୍ଧି ସ୍ମୃତି ସ୍ତମ୍ଭ ପାଇଁ । ଭୁବନେଶ୍ୱରରେ ଗାନ୍ଧି ସ୍ମ୍ମୃତି ସ୍ତମ୍ଭରେ ଏହାକୁ ସ୍ଥାନିତ କରିବାକୁ ଯୋଜନା ଥିଲା । ସମୟକ୍ରମେ ଏହା ହୋଇପାରିଲାନି । ପରବର୍ତ୍ତୀ ସମୟରେ ୧୯୯୬ରେ ଗାନ୍ଧିଜୀଙ୍କ ଚିତାଭସ୍ମକୁ ତ୍ରିବେଣୀ ବିସର୍ଜନ କରାଗଲା । ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପ୍ରସ୍ତୁତିବେଳେ ଏ ସ୍ମତି ସ୍ତମ୍ଭ ନେଇ ଦାବି ଉଠାଇଥିଲୁ । କିଛି ଲାଭ ମିଳିଲାନି ।

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଛନ୍ତି, ଯେଉଁଠି ବିଧାନସଭା ହୋଇଛି, ସେଠାରେ ପୂର୍ବରୁ ଗାନ୍ଧି ସ୍ମୃତି ପାର୍କ ଥିଲା । ସେଠାରେ ଗାନ୍ଧି ସ୍ମୃତି ସ୍ତମ୍ଭ ତିଆରି ପାଇଁ ଯୋଜନା ଥିଲା । ମାତ୍ର ନୂଆ ବିଧାନସଭା ହେବା ପରେ ଏଠାରେ କେବଳ ଏକ ଗାନ୍ଧି ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ହେଲେ ଭୁବନେଶ୍ୱରର ମୂଳ ପ୍ଲାନ ଅନୁଯାୟୀ ଗାନ୍ଧି ସ୍ମୃତି ସ୍ତମ୍ଭ କରାଯିବା ଉଚିତ ।

କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି, ଗାନ୍ଧି ହେଲେ ଜାତିର ପିତା । ତୁରନ୍ତ ଗାନ୍ଧି ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ସରକାର ପଦକ୍ଷେପ ଘୋଷଣା କରନ୍ତୁ । ନହେଲେ ଆନ୍ଦୋଳନ ହେବ ।ଅର୍ବାନ ପ୍ଲାନର ଡ. ପିୟୁଷ ରଂଜନ ରାଉତ କହିଛନ୍ତି, ଯଦି ମୂଳ ମାଷ୍ଟରପ୍ଲାନ୍‌ ଅନୁଯାୟୀ ଗାନ୍ଧି ସ୍ମୃତି ସ୍ତମ୍ଭ ପ୍ରତିଷ୍ଠା ହୋଇଥାନ୍ତା, ତେବେ ଲଣ୍ଡନର ଟ୍ରାଫାଲଗର ଓ ଜର୍ମାନୀର ସୁଟାଗାର୍ଟ ଭଳି ଏହା ଆକର୍ଷଣୀୟ ହୋଇପାରିଥାନ୍ତା । ଏହା ଭୁବନେଶ୍ୱରକୁ ସାରା ବିଶ୍ୱରେ ଆଉ ଏକ ସ୍ୱତନ୍ତ୍ର ପରିଚୟ ଦେଇ ପାରିଥାନ୍ତା । ବର୍ତ୍ତମାନ ଏହାକୁ ନିର୍ମାଣ କରିବା ପାଇଁ ପ୍ରୟାସ କରାଯାଉ । ଉପଯୁକ୍ତ ଜାଗା ଚିହ୍ନଟ କରି ଏହି ସ୍ତମ୍ଭ ନିର୍ମାଣ ହେଉ । ଗାନ୍ଧିଜୀଙ୍କ ପ୍ରତି ଏହା ହେବ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

   Related Posts