ରାଜ୍ୟର ୧୮ ଜିଲ୍ଲାରୁ ହଟିବ ଲକ୍‌ଡାଉନ, ଅନଲକ୍‌କୁ ନେଇ ସରକାରଙ୍କ ୫-ସ୍ତରୀୟ ପ୍ଲାନ୍‌

Published By : Prameya-News7 Bureau | June 03, 2021 IST

ମୁମ୍ବାଇ ୩/୬: କରୋନାର ଦ୍ବିତୀୟ ଲହର ପ୍ରକୋପ ମହାରାଷ୍ଟ୍ରରେ ଅଧିକ ପଡ଼ିଥିଲା। ଏବେ ସ୍ଥିତି ଧିରେଧରେ ସୁଧୁରୁଛି। ଦୈନିକ ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ରାଜ୍ୟରେ ସୁସ୍ଥ ହାର ମଧ୍ୟ ବଢ଼ିଛି। ଏହା ସହ ମହାରାଷ୍ଟ୍ରରେ ଟିକାକରଣ ଜୋରଦାର ଚାଲିଛି। ସଂକ୍ରମଣ କମୁଥିବା ବେଳେ ଏବେ ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ଉପରେ ଯୋଜନା କରୁଛନ୍ତି ଉଦ୍ଧବ ଠାକେରଙ୍କ ସରକାର।

ଏଥିପାଇଁ ସରକାର ୫ ସ୍ତରୀୟ ଅନଲକ୍‌କୁ ନେଇ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଥମ ସ୍ତରରେ ଆସୁଥିବା ଜିଲ୍ଲାଗୁଡ଼ିକରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇପାରେ । ଠାଣେ ସମେତ ମୋଟ ୧୮ ଜିଲ୍ଲା ଲେବଲ୍‌-୧ରେ ରହିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଲେବଲ୍‌-୨ରେ ରଖାଯାଇଛି। ଏବେ ମୁମ୍ବାଇରେ କରୋନା ସଂକ୍ରମଣ କମିଛି। ତେବେ ସଂକ୍ରମଣ ହାର ଏବଂ ଜିଲ୍ଲା​‌ରେ ଅକ୍ସିଜେନ୍‌ ବେଡ ସଂଖ୍ୟାକୁ ନଜରରେ ରଖି ୫ ସ୍ତରୀୟ ଅନଲକ୍‌ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ବିଜୟ ଓ୍ବାଡେଟିଓ୍ବାର କହିଛନ୍ତି ।

ସେପଟେ ମହାରାଷ୍ଟ୍ରର ଦୈନିକ ସଂକ୍ରମଣ କଥା କହିଲେ, ଗତକାଲି ରାଜ୍ୟରେ ୧୫୧୬୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ସହ ୨୮୫ ଜୀବନ ନେଇଥିଲା କରୋନା। କିନ୍ତୁ ଆଶ୍ବସ୍ତିକର ବିଷୟ ଯେ, ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଦୁଇ ଗଣ ରହିଥିଲା। ମଙ୍ଗଳବାର ତୁଳନାରେ ବୁଧବାର ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ୨୯,୨୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ହାର ବଢ଼ିଥବା ବେଳେ ଏବେ ସରକାର ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.