ଗଣତନ୍ତ୍ର ଦିବସରେ ମହାରାଷ୍ଟ୍ରର ଜନତାଙ୍କୁ ଉଦ୍ଧବଙ୍କ ବଡ ଉପହାର, ଜାଣନ୍ତୁ କ’ଣ ?
26/01/2020 at 3:42 PM

ମୁମ୍ବାଇ ୨୬।୧: ସାରା ଦେଶ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଏହି ଅବସରରେ ରାଜ୍ୟରେ ‘ଶିବ ଭୋଜନା କ୍ୟାଣ୍ଟିନ’ର ଶୁଭାରମ୍ଭ ହୋଇଛି। ଏହି କ୍ୟାଣ୍ଚିନରେ ରାଜ୍ୟ ସରକାର ଲୋକଙ୍କୁ ୧୦ ଟଙ୍କାରେ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଗତ ମାସରେ ସରକାର ଏହି ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରୁ ସାରା ରାଜ୍ୟରେ ଯୋଜନା କାର୍ଯ୍ୟକାରୀ ହୋଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ବାଇର ନାୟର, କେଇଏମ,ସାୟନ ହସ୍ପିଟାଲ ଓ ଧରାବୀ ମହିଳା ସଞ୍ଚୟ ଗୋଷ୍ଠୀରେ ଯୋଜନା ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ଉଦ୍ଧବ ଠାକରେଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟ ଅସ୍ଲମ ଶେଖ ଏହି ଯୋଜନା ଶୁଭାରମ୍ଭ କରିଛନ୍ତି । ‘ଶିବ ଭୋଜନା ‘ ଯୋଜନାର ଏହା ପାଇଲଟ ପ୍ରଜେକ୍ଟ ହୋଇଥିବା ବେଳେ ସରକାର ପ୍ରଥମ ୩ ମାସ ଲାଗି ଯୋଜନା ନିମନ୍ତେ ୬.୪ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି।

ଏହି ଯୋଜନାରେ ଶିବ ଭୋଜନା କ୍ୟାଣ୍ଟିନରେ ୧୦ ଟଙ୍କାରେ ପ୍ରତି ବ୍ୟକ୍ତି ୨ଟି ଚପାତି, ଗୋଟିଏ ତରକାରୀ, ଭାତ ଓ ଡାଲି ମିଳିବ। ଗୋଟିଏ ମିଲ ଲାଗି ପାଖାପଖି ୫୦ଟଙ୍କା ଖର୍ଚ୍ଚା ହେଉଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ୧୦ ଟଙ୍କା ଦେବାକୁ ଥିବା ବେଳେ ବାକି ଅର୍ଥ ସରକାର ଯୋଗାଇ ଦେବେ। ଏହି ଯୋଜନାରେ ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଅନୁନ୍ୟ ଗୋଟିଏ ଶିବ ଭୋଜନା କ୍ୟାଣ୍ଟିନ ଖୋଲିବାକୁ ପ୍ରସ୍ତାବ ରହିଛି। ତେବେ ଯୋଜନାର ସଫଳତା ଆଧାରରେ ପରବର୍ତ୍ତି ଯୋଜନା କାର୍ଯ୍ୟାନ୍ୱୟନ ହେବ। ତେବେ ମହାରାଷ୍ଟ୍ର ପୂର୍ବରୁ ଓଡିଶାରେ ‘ଆହାର’ ଯୋଜନାରେ ୫ ଟଙ୍କାରେ ଖାଦ୍ୟ ଯୋଜନା ଦୀର୍ଘ ବର୍ଷରୁ କାର୍ଯ୍ୟକାରୀ ହେଉଛି।