ମହାରାଷ୍ଟ୍ର ପଲିଟିକ୍ସ: କ୍ଷମତା ଲଢେଇରେ ଷ୍ଟିଅରିଂକୁ ନେଇ ବଳ କଷାକଷି, ସୁଯୋଗ ଦେଖି ଏଣ୍ଟ୍ରି ମାରିବାକୁ ବିଜେପି ଚଳାଇଲା ନୂଆ ଚାଲ୍

Published By : Prameya-News7 Bureau | July 28, 2020 IST

ମୁମ୍ବାଇ, ୨୮|୦୭:  ପ୍ରଥମେ ମଧ୍ୟ ପ୍ରଦେଶ ପରେ ରାଜସ୍ଥାନ ଆଉ ଏବେ ବିଜେପିର ଟାର୍ଗେଟରେ ରହିଛି ମହାରାଷ୍ଟ୍ର । ମଧ୍ୟପ୍ରଦେଶରେ କଂଗ୍ରେସଠାରୁ ସରକାର ଛଡାଇ ଆଣିଥିବା ବିଜେପି ରାଜସ୍ଥାନରେ ଶାସନ ହାତେଇବାକୁ ପ୍ରୟାସ ଜାରି ରଖିଛି । ଏହାମଧ୍ୟରେ ମହାରାଷ୍ଟ୍ର ଏବେ ବିଜେପିର ଟାର୍ଗେଟ୍ ଲିଷ୍ଟରେ ସାମିଲ ହୋଇଛି । ବିଜେପି ଶିବସେନା ସହ ହାତ ମିଳେଇବାକୁ ଚାହୁଁଛି । କେବଳ ସରକାର ଗଠନ ପାଇଁ ଏହା ସମ୍ଭବ ହେବ ବୋଲି କହିଛନ୍ତି ବରିଷ୍ଠ ନେତା ତଥା ମହାରାଷ୍ଟ୍ର ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ । ଚନ୍ଦ୍ରକାନ୍ତଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇପଡିଛି ।

ଚନ୍ଦ୍ରକାନ୍ତ କହିଛନ୍ତି ଯେ, ଶିବସେନା ସହ ହାତ ମିଳାଇବା ପାଇଁ ବିଜେପି ପ୍ରସ୍ତୁତ ଅଛି । କେବଳ ସରକାର ଗଠନ ପାଇଁ ଶିବସେନା ସହ ହାତ ମିଳାଇବାରେ ଅସୁବିଧା ନାହିଁ । ତେବେ ଏହି ବୟାନକୁ ନେଇ ପୁଣି ବିଜେପି ଏକ ନୂଆ ଚାଲ୍ ଖେଳିବାକୁ ଯୋଜନା କରୁଥିବାର ଆଭାସ ମିଳିଛି । କାରଣ ବିଜେପି ଓ ଶିବସେନା ମଧ୍ୟରେ ଦୀର୍ଘ ୨୫ ବର୍ଷ ଧରି ସମ୍ପର୍କ ଥିଲା । କିନ୍ତୁ ଗତ ନିର୍ବାଚନରେ ଉଭୟ ଦଲ ଅଲଗା ହୋଇଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବେଳେ ବିଜେପି କିନ୍ତୁ ଏହି ଗାଦି ନିଜ ହାତରେ ରଖିବାକୁ ଚାହୁଁଥିଲା । ତେଣୁ ଶିବସେନା ବିଜେପି ସହ ସମ୍ପର୍କ ଛିନ୍ନ କରି ଏନସିପି ଓ କଂଗ୍ରେସ ସହ ମିଳିତ ଭାବେ ସରକାର ଗଠନ କରିଥିଲା ।

ମହାରାଷ୍ଟ୍ରରେ ଏବି ମହା ବିକାଶ ଅଘାଡିର ସରକାର ଚାଲିଛି । ଅର୍ଥାତ ବିଜେପି ସହ ମତଭେଦ ପରେ ଶିବସେନା କଂଗ୍ରେସ ଓ ଏନସିପିର ହାତ ଧରି ସରକାର ଗଠନ କରିଛି । ତିନି ଦଳର ବିଚାରଧାରା ଭିନ୍ନ ହୋଇଥିଲେ ମଧ୍ୟ ସରକାର ଠିକ୍ ଭାବେ ଚାଲୁଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ରାଜ୍ୟରେ ଆଗମୀ ୫ ବର୍ଷ ଯାଏଁ ସ୍ଥିର ସରକାର ଚାଲିବ ବୋଲି କହିଥିଲେ । ଏପରିକି ମେଣ୍ଟରେ କୌଣସି ଫାଟ ନଥିବା ମଧ୍ୟ କହିଥିଲେ । ଏହାପରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ମହା ବିକାଶ ଅଘାଡିର ଡ୍ରାଇଭର ସିଟ୍‌ରେ ସେ ବସିଛନ୍ତି । ଷ୍ଟିଅରିଂ ମଧ୍ୟ ତାଙ୍କ ହାତରେ ରହିଛି । ସରକାରକୁ ଛୁଇଁବାକୁ କାହାର ସାହାସ ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ଏହା ପୂର୍ବରୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଉଦ୍ଧବ ଠାକରେଙ୍କ ସହ ଏକ କାର୍ଟୁନ୍ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଓ ଉଦ୍ଧବ ଗୋଟିଏ ଗାଡିରେ ବସିଥିଲେ ଓ ଷ୍ଟିଅରିଂ ନିଜେ ଅଜିତଙ୍କ ହାତରେ ଥିଲା । ଯାହାକୁ ନେଇ ମଧ୍ୟ ରାଜନୈତିକ ସମୀକ୍ଷକମାନେ ସରକାରରେ କିଛି ଦ୍ୱନ୍ଦ୍ୱ ଥିବା କହିଛନ୍ତି ।

କିନ୍ତୁ ଏବେ ଚନ୍ଦ୍ରକାନ୍ତଙ୍କ ବୟାନ ପରେ ରାଜନୀତି ଜୋର୍ ଧରିଛି । ତେବେ ମହାରାଷ୍ଟ୍ର ରାଜନୀତିରେ ସରକାରରେ ଥିବା ଏନସିପି ସହ ବିଜେପି ହାତ ମିଳାଇବା ପାଇଁ ଉଚ୍ଛୁକ ଥିବା ଚନ୍ଦ୍ରକାନ୍ତଙ୍କ ବୟାନରୁ ଲାଗୁଛି । ଚନ୍ଦ୍ରକାନ୍ତ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ସରକାରରେ ଅସ୍ଥିରତା ସୃଷ୍ଟି ହୁଏ କିମ୍ବା ପୁଣି ନିର୍ବାଚନ ହୁଏ ତେବେ ବିଜେପି ଏକା ନିର୍ବାଚନ ଲଢିବ । ସରକାରକୁ ଆସିଲେ ଶିବସେନା ସହ ମେଣ୍ଟ କରିବ । ଏପରିକି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ରାଜ୍ୟରେ ବିଜେପି ଏକା ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉ ବୋଲି ନେତାଙ୍କୁ କହିଥିଲେ । ଏହାପରେ ଚନ୍ଦ୍ରକାନ୍ତ ଦେଇଥିବା ବୟାନ ଆଗାମୀ ଦିନରେ କେତେ ସତ ହେବ ତାହା ଜଣାପଡିବ । ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ମହାରାଷ୍ଟ୍ରରେ ମଧ୍ୟ ବିଜେପି କିଛି ନୂଆ ଚାଲ୍ ଖେଳିବା ପାଇଁ ଯୋଜନା ରଖିଥିବା ଆଶଙ୍କାକୁ ଏଡାଇ ମଧ୍ୟ ଦିଆଯାଇ ନପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.