ରାତିରେ ହୋଇଗଲା ଓଲଟ ପାଲଟ, ମହାରାଷ୍ଟ୍ର ରାଜନୀତିରେ ବିଜେପିର ସର୍ଜିକାଲ ଷ୍ଟ୍ରାଇକ୍ – ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟକୁ ଚକମା, ଉଦ୍ଧବଙ୍କ ସ୍ୱପ୍ନ ଚୁରମାର

Published By : Prameya-News7 Bureau | November 23, 2019 IST

ମୁମ୍ବଇ ୨୩।୧୧ -   ମହାରାଷ୍ଟ୍ର ରାଜନୀତିରେ ବିଜେପିର ସର୍ଜିକାଲ୍ ଷ୍ଟ୍ରାଇକ୍ । ଶିବସେନା, ଏନ୍ ସିପି ଓ କଂଗ୍ରେସ ମେଣ୍ଟକୁ ଚକମା ଦେଇ ବିଜେପିର ଦେବେନ୍ଦ୍ର ଫଡ୍ ନାଭିସ୍ ଦ୍ବିତୀୟ ଥର ପାଇଁ ହୋଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ । ଆଉ ଏନ୍ ସିପିର ଅଜିତ୍ ପାୱାର ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଗତ ଏକମାସ ଧରି ମହାରାଷ୍ଟ୍ରରେ ସରକାର ଗଠନ ନେଇ ହଟଚମଟ ଲାଗିଥିଲା । ଗତକାଲି ରାତିରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବା ଭଳି ମନେ ହେଉଥିଲା । ହେଲେ ସକାଳେ ଅଚାନକ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ହେବାକୁ ଏନେଇ ବସିଥିବା ଉଦ୍ଧବ ଠାକରେ ନିରାଶ ହୋଇଥିବା ବେଳେ ନିଜ ପୁତୁରା ଠାରୁ ଧୋକା ଖାଇ  ଶରଦ ପାୱାର ଏବେ ପାୱର ଲେସ୍ ହୋଇଯାଇଛନ୍ତି ।

{"id":188769,"sizeSlug":"large"}

 ମହାରାଷ୍ଟ୍ର ରାଜନୀତିରେ ବଦଳିଗଲା ପାସା । ରାତି ଅଧରେ ବିଜେପି କରିଦେଲା ସର୍ଜିକାଲ୍ ଷ୍ଟ୍ରାଇକ୍ । ରାତାରାତି ସବୁ ଗଣିତକୁ ଓଲଟପାଲଟ କରି ଦେବେନ୍ଦ୍ର ଫଡନାଭିସ୍ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ରାତି ପାହିଥିଲେ ବନିଥାନ୍ତା ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର । ଆଉ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ବସିଥାନ୍ତେ ମୁଖ୍ୟମନ୍ତ୍ରୀ ଚୌକିରେ । ହେଲେ ସକାଳୁ ମହାରାଷ୍ଟ୍ର ଜନତା ଉଠିବା ଆଗରୁ ରାଜ୍ୟ ଶାସନର ମୁକୁଟ ପିନ୍ଧିଦେଲେ ଦେବେନ୍ଦ୍ର ଫଡନାଭିସ୍।

{"id":188770,"sizeSlug":"large"}

ଏକଥା ଅନେକଙ୍କୁ ତ ଆଶ୍ଚର୍ଯ କରିଛି ସତ, ହେଲେ ରାଜନୀତିରେ ଯେ ସବୁ ସମ୍ଭବ ତାହା ପୁଣି ଥରେ ପ୍ରମାଣିତ ହୋଇଛି । ମାସେ ଧରି ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ହାଇଡ୍ରାମାରେ ଆସିଛି ନୂଆ ଟୁଇଷ୍ଟ ।

{"id":188771,"sizeSlug":"large"}

ଖୋଦ୍ ଶରଦ ପାଓାରଙ୍କ ପୁତୁରା ଅଜିତ ପାୱାର ୩୫ ଏନସିପି ବିଧାୟକଙ୍କ ସମର୍ଥନ ସହ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସହ  ହାତ ମିଳାଇଛନ୍ତି । ମିଳିତ ସରକାରରେ ସେ ନିଜେ ବି ଉପ ମୁଖ୍ୟମନ୍ତ୍ରୀ ବନିଛନ୍ତି ।

{"id":188772,"sizeSlug":"large"}

 ସକାଳୁ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ଖବର ଶୁଣି ମହାରାଷ୍ଟ୍ର ରାଜନୀତିରେ ଘମାସାନ ଆରମ୍ଭ ହୋଇଯାଇଥିଲା । ଦିନ ତମାମ ନେତାଙ୍କ ଆକ୍ସନ୍ ରିଆକ୍ସନ୍‌ରେ ଉଠିଥିଲା ପଡିଥିଲା ରାଜ୍ୟଠାରୁ ଜାତୀୟ ରାଜନୀତି । ସମସ୍ତଙ୍କ ମନରେ ପ୍ରଶ୍ନ, କେମିତି ଡିଲ୍ ହେଲା ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ୍ ପାଓାରଙ୍କ ଭିତରେ । ଡିଲ୍ ପଛରେ ଶରଦ ପାଓାରଙ୍କ ହାତ ଅଛି ନା ନାହିଁ ।

{"id":188773,"sizeSlug":"large"}

ହେଲେ ନିଜେ ଶରଦ ପାଓାର ଏନେଇ ସଫେଇ ଦେଇ କହିଥିଲେ ବିଜେପିକୁ ସମର୍ଥନ କରିବା ନିଷ୍ପତ୍ତି କେବଳ ଅଜିତ ପାୱାରଙ୍କର । ତାଙ୍କୁ ଏନସିପି ବିଧାୟକ ସମର୍ଥନ କରିବେ ନାହିଁ । ଅଜିତ୍‌ଙ୍କ ବିରୋଦ୍ଧରେ ଦଳ ପଦକ୍ଷେପ ନେବ । ଦେବେନ୍ଦ୍ର ଫଡନାଭିସ୍ ବିଧାନସଭାରେ ବହୁମତ ସାବ୍ୟସ୍ତ କରିପାରିବେ ନାହିଁ ।

{"id":188774,"sizeSlug":"large"}

ଶିବସେନା, ଏନସିପି, କଂଗ୍ରେସ ମିଳିତ ସରକାର କରିବ ବୋଲି  ଶରଦ ପାଓାର ଦାବି କରିଛନ୍ତି । ହେଲେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ନିଜେ ମାନିଛନ୍ତି ଅଜିତଙ୍କ ପାଇଁ ଦଳ ଓ ଘର ଭିତରେ ବିଭାଜନ ହୋଇଛି । ସେପଟେ ଶରଦ ପାଓାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।

{"id":188775,"sizeSlug":"large"}

ନିଜ ବିଧାୟକଙ୍କୁ ଏକଜୁଟକରି ରଖିବାରେ ଶରଦ ଫେଲ୍ ମାରିଛନ୍ତି ବୋଲି କଂଗ୍ରେସ ଆକ୍ଷେପ କରିଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଗୋଡଟେକି ବସିଥିବା ଉଦ୍ଧବ ଠାକରେଙ୍କ ମନ ମରିଯାଇଛି । ସେ ଯେ ରାଜନୀତିରେ ପକ୍କା ଖିଲାଡି ନୁହନ୍ତି ତାହା ପ୍ରମାଣିତ ହୋଇଛି । ଉଦ୍ଧବ କହିଛନ୍ତି ବିଜେପି ଗଣତନ୍ତ୍ର ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଛି । ଜନତା ଏହାର ଜବାବ ଦେବେ ।

{"id":188776,"sizeSlug":"large"}

ମହାରାଷ୍ଟ୍ର ମହାନାଟକର ସ୍କ୍ରିପ୍ଟ ଲେଖାଯାଇଥିଲା ମଧ୍ୟ ରାତିରେ । ଏନସିପିର ୫୪ ବିଧାୟକଙ୍କ ସମର୍ଥନ ଚିଠି ଧରି ରାତି ୧୧.୪୫ରେ ଅଜିତ୍ ପାଓାର ପହଞ୍ଚିଥିଲେ ଦେବେନ୍ଦ୍ର ଫଡନାଭିସ୍ ଙ୍କ ପାଖରେ । ଡିଲ୍ ହୋଇଥିଲା ସରକାର ଗଠନ ପାଇଁ । ତାର ୧୦ ମିନିଟ ପରେ ଅର୍ଥାତ୍ ୧୧.୫୫ରେ କେନ୍ଦ୍ରୀୟ ନେତାଙ୍କୁ ଅବଗତ କରିଥିଲେ ଦେବେନ୍ଦ୍ର ଫଡନାଭିସ୍ ।

{"id":188777,"sizeSlug":"large"}

୧୨.୩୦ରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠାଇବାକୁ ଅନୁରୋଧ କଲେ ରାଜ୍ୟପାଳ । ବଡି ସକାଳ ୫.୪୭ରେ ପ୍ରତ୍ୟାହାର ହେଲା ରାଷ୍ଟ୍ରପତି ଶାସନ । ଆଉ ସକାଳ ୮ଟାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ସପଥ ନେଲେ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ୍ ପାଓାର । ତାର ୧୫ ମିନିଟ ପରେ ମୋଦି ଟୁଇଟ୍ କରି ନୂଆ ସରକାରଙ୍କୁ ବଧାଇ ଜଣାଇଲେ । ଲାଗୁଥିଲା ଯେମିତି ଶିବସେନା ପାଦତଳୁ ମାଟି ଖସିଯାଉଛି । ରାଜନୀତିର ସବୁଠୁ ପକ୍କା ଖେଳାଳି ଶରଦ ପାୱାର ତାଙ୍କ ପାୱାର ହରାଇଛନ୍ତି । ହେଲେ ପୂରା ପ୍ରକରଣରେ ଶିବସେନା ମାଉଥ୍ ବନିଥିବା ସଂଜୟ ରାୱତ୍ ଙ୍କ ପାଟି ବନ୍ଦ ହୋଇନଥିଲେ ବି ମୁହଁ ଶୁଖିଯାଇଥିଲା । ଏହାଭିତରେ ନୂଆ ସ୍କ୍ରିପ୍ଟ ବି ଲେଖା ଆରମ୍ଭ ହେଲା । ଅଜିତ୍ ପାଓାରଙ୍କ ସହ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିବା ୩ ଏନସିପି ବିଧାୟକ ପୁଣି ଶରଦ ପାୱାରଙ୍କ ପଟକୁ ଫେରି ଆସିଥିଲେ ।  

 ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ୩୦ ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ  ଦେବେନ୍ଦ୍ର ଫଡବାନିସଙ୍କୁ ମହଲତ ଦେଇଛନ୍ତି ରାଜ୍ୟପାଳ । ସପ୍ତାହକ ଭିତରେ ମହାରାଷ୍ଟ୍ର ରାଜନୀତିରେ ବହୁକିଛି ଉଥଲ ପୁଥଲ ହେବାକୁ ଯାଉଛି ।

{"id":188778,"sizeSlug":"large"}

ବିଜେପି ସରକାର ଗଠନ ପ୍ରକ୍ରିୟାରୁ ଓହରିଗଲାପରେ କାହିଁକି ଶିବସେନା-ଏନସିପି-କଂଗ୍ରେସ ସରକାର ଗଠନ ପାଇଁ ଏତେ ସମୟ ନେଲେ ? ଏବଂ କାହିଁକି ସୋନିଆଙ୍କୁ ଭେଟିବା ପରେ ଶରଦ ପାୱାର ମୋଦିଙ୍କୁ ଭେଟିଲେ ? ଆଉ ତାପଛର ରହସ୍ୟ କଣ ତାହା ଏବେବି ରହସ୍ୟ ହୋଇ ରହିଛି ।

{"id":188779,"sizeSlug":"large"}

ଏସବୁ ଭିତରେ ଆଉ ଏକ ନାଁ ବି ଚର୍ଚାକୁ ଆସିଛି ଧନଞ୍ଜୟ ମୁଣ୍ଡେଙ୍କୁ ନେଇ । କୁହାଯାଉଛି, ଗୋପିନାଥ ମୁଣ୍ଡେଙ୍କ ପୁତୁରା  ଧନଞ୍ଜୟ ମୁଣ୍ଡେ ଓ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ଡିଲ୍ ହିଁ ଦେବେନ୍ଦ୍ର ଫଡନାଭିଙ୍କୁ ଦ୍ବୀତିୟ ବାର ମୁଖ୍ୟମନ୍ତ୍ରୀ କରାଇବାରେ ବଡ ଭୂମିକା ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.