Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢିପାରେ ଲକଡାଉନ୍ ଅବଧି: ଆଜି ନିଷ୍ପତ୍ତି ନେବେ ଠାକରେ

28/04/2021 at 1:29 PM

ମୁମ୍ବାଇ ୨୮/୦୪ : ମହାରାଷ୍ଟ୍ରରେ ଲକଡାଉନ ଅବଧି ଆଗକୁ ଆହୁରି ବଢିପାରେ। ରାଜ୍ୟରେ ମେ’ ୧ ତାରିଖରୁ ୧୫ ତାରିଖ ଯାଏଁ ୧୫ ଦିନ ଲକଡାଉନ ଲାଗୁ କରାଯାଇପାରେ। ମିନି ଲକଡାଉନ ଲାଗୁ କରିବା ପରେ ମଧ୍ୟ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇନାହିଁ। ସେଥିପାଇଁ ରାଜ୍ୟ ସରକାର କଟକଣା କଡାକଡି କରିପାରନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ତ୍ରୀମଣ୍ଡଳ ସହ ହେବାକୁଥିବା ବୈଠକରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନେଇପାରନ୍ତି।

ରାଜ୍ୟ ସରକାର ମନ୍ତ୍ରୀ ବିଜୟ ବଡେଟ୍ଟିବାର ଆଉ ୧୫ ଦିନ ଲକଡାଉନ ଲଗାଇବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ଥମିନାହିଁ। ସେଥିପାଇଁ ଲକଡାଉନ ସମୟସୀମା ବଢାଇବା ଆବଶ୍ୟକ। ସେ କହିଛନ୍ତି ଯେ ମୁମ୍ବାଇରେ କିଛି ମାତ୍ରାରେ ସଂକ୍ରମଣ କମିଛି କିନ୍ତୁ ରାଜ୍ୟର ଅନ୍ୟ ସହରମାନଙ୍କରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ୍ୟର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ତରଫରୁ ମାମଲା ଓ କଟକଣା ସମୀକ୍ଷା କରାଯାଉଛି। ମାମଲା କିଛି ମାତ୍ରାରେ ହ୍ରାସ ପାଇଛି। ସେଥିପାଇଁ ପ୍ରତିବନ୍ଧକ କୋହଳ କରାଯାଇପାରିବ ନାହିଁ। ଅଧିକାରୀ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଦୈନିକ ସଂକ୍ରମଣ ମାମଲା ୩୫ ରୁ ୪୦ ହଜାର ଯାଏଁ ହ୍ରାସ ନ ପାଇଛି ସେପର୍ଯ୍ୟନ୍ତ କଟକଣା କୋହଳ କରାଯିବ ନାହିଁ। ଆଉ ଜଣେ ଅଧିକାରୀ କହିଛନ୍ତି ଯେ ଲକଡାଉନ ସମୟରେ ଟିକାକରଣ ମଧ୍ୟ ଅଧିକ ମାତ୍ରାରେ କରାଯିବ। 

ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ୬୬ ହଜାର ୩୫୮ ନୂଆ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୮୯୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୪ ଲକ୍ଷ ୧୦ ହଜାର ୮୫ରେ ପହଞ୍ଚିଛି। କାରଣରେ ଏବେ ସୁଦ୍ଧା ୬୬ ହଜାର ୧୭୯ ଜଣଙ୍କ ମୃତ୍ୟୁ ହୋଇଛି।

   Related Posts