କେନ୍ଦ୍ର କରୁନି ସହଯୋଗ ! କର୍ମଚାରୀଙ୍କ ବେତନ ଚିନ୍ତାରେ ଉଦ୍ଧବ ସରକାର

Published By : Prameya-News7 Bureau | July 02, 2020 IST

ମୁମ୍ବାଇ ୨।୭: ଆଗାମୀ ମାସରୁ ସରକାରୀ କର୍ମଚାରୀଙ୍କୁ ବେତନ ଦେବା ଲାଗି ମହାରାଷ୍ଟ୍ର ସରକାରଙ୍କ ପାଖରେ ଟଙ୍କା ନାହିଁ ।  ମନ୍ତ୍ରୀ ବିଜୟ ବଡେଟିୱାର ଗୁରୁବାର ଏହା କହିଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର  କେନ୍ଦ୍ର ସରକାରଙ୍କୁ ପୂର୍ବରୁ ସୂଚିତ କରିଛନ୍ତି। ହେଲେ ଏ ଦିଗରେ କେନ୍ଦ୍ର କୌଣସି ପ୍ରତିକ୍ରିୟା ପ୍ରକାଶ କରୁନି । ଏଣୁ କର୍ମଚାରୀଙ୍କୁ ବେତନ ଦେବାକୁ ରାଜ୍ୟ ସରକାର ଋଣ କରିବାକୁ ବାଧ୍ୟ ହେବେ ବୋଲି ବଡେଟିୱାର କହିଛନ୍ତି।

ରାଜ୍ୟ ସରକାରଙ୍କର ମାତ୍ର ୩ରୁ ୪ଟି ବିଭାଗଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ବିଭାଗଙ୍କର ଖର୍ଚ୍ଚକାଟ୍ କରାଯାଇଛି। ଏଥିରେ ରାଜ୍ୟରେ ଉପୁଜିଥିବା କରୋନା ମହାମାରୀ ଜନିତ ପରିସ୍ଥିତିର ମୁକାବିଲା ଲାଗି ମଧ୍ୟ କେନ୍ଦ୍ରରୁ ପାଣ୍ଠି  ମିଳୁନାହିଁ। ଯଦି କେହି ନେତା କେନ୍ଦ୍ରରୁ ପାଣ୍ଠି ମିଳିଥିବାର କହୁଛନ୍ତି ତେବେ ରାଜ୍ୟ ସହ ଏହା ବିଶ୍ୱାସଘାତ ବୋଲି ବଡେଟିୱାର କହିଛନ୍ତି। ତେବେ ରାଜ୍ୟରେ କରୋନା ମୁକାବିଲା ଲାଗି ନଗଦର ଅଭାବ ନଥିବା ସେ କହିଛନ୍ତି।

ଦେଶରେ ଏବେ ଅନଲକ୍-୨ କାର୍ଯ୍ୟକାରୀ ହେଉଛି। ତେବେ ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ଯୋଗୁ ସରକାର ଜୁଲାଇ ପର୍ଯ୍ୟନ୍ତ ଲକଡାଉନ୍‌ ବଢାଇବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ପକ୍ଷରୁ ଜାରି ସୂଚନାମୁତାବକ କେବଳ ବୁଧବାର ରାଜ୍ୟରେ ୫ ହଜାର ୫୩୭ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୮୦ ହଜାର ୨୯୮ରେ ପହଞ୍ଚିଛି। ସେପଟେ ରାଜ୍ୟରେ ୧୯୮ ଜଣଙ୍କ ମୃତ୍ୟୁ ସହ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ପାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.