ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବଢାଇଲେ କରୋନା Lockdown ଅବଧି, ଏପ୍ରିଲ ୩୦ ପର୍ଯ୍ୟନ୍ତ ଜନଜୀବନ ଠପ
11/04/2020 at 6:17 PM

ନୂଆଦିଲ୍ଲୀ ୧୧।୪: କରୋନା ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ଦେଶବ୍ୟପୀ ପ୍ରଥମ ୨୧ ଦିନିଆ ଲକଡାଉନ୍ ଆଉ ୩ ଦିନ ପରେ ଶେଷ ହେବ। ତେବେ ଭୂତାଣୁ ପ୍ରଭାବିତ ରାଜ୍ୟମାନେ ନିଜ ଆଡୁ ଲକଡାଉନ୍ ଅବଧି ସମ୍ପ୍ରସାରଣ କରିଛନ୍ତି। ଶୁକ୍ରବାର ଓଡିଶା ଏବଂ ପଞ୍ଜାବ ଲକଡାଉନ୍ ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିବା ବେଳେ ଶନିବାର ପଶ୍ଟିମବଙ୍ଗ ଓ ମହାରାଷ୍ଟ୍ର ସରକାର ରାଜ୍ୟକୁ ଲକଡାଉନ୍କୁ ନେଇଛନ୍ତି। ଉଭୟ ରାଜ୍ୟ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ ଜାରି କରିଛନ୍ତି।

ଶୁକ୍ରବାର ସାରା ଦେଶରେ କୋଭିଡ୍-୧୯ ପଜେଟିଭ୍ଙ୍କ ସଂଖ୍ୟା ୭ ହଜାର ୪୪୭ରେ ପହଞ୍ଚିଛି। ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୨୩୯ ରହିଛି। ଶନିବାର ଲକଡାଉନ ସମ୍ପ୍ରସାରଣ ନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭଡିଓ କନଫରେନସିଂରେ ଆଲୋଚନା କରିଥିଲେ। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ସେହି ଅନୁସାରେ ରାଜ୍ୟରେ ଜାରି ଲକଡାଉନ୍ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ସନ୍ଧ୍ୟାରେ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬ରେ ପହ଼ଞ୍ଚିଥିବା ବେଳେ ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୧୦୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ମହାରାଷ୍ଚ୍ର ସରକାର ମଧ୍ୟ ଶୁକ୍ରବାର ରାଜ୍ୟରେ ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସଂକ୍ରମଣର ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।

ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୭ଶହରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦ ଜଣ ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାର ୩୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ କେବଳ ମୁମ୍ବାଇରେ ୯୨ଟି ନୂଆ କୋଭିଡ୍-୧୯ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।