ବିନା କୌଣସି ଦୋଷ କରି ଆପଣ ଯାଇପାରନ୍ତି ଜେଲ୍, ଜାଣନ୍ତୁ କାହିଁକି…

Published By : Prameya-News7 Bureau | January 24, 2021 IST

ମୁମ୍ୱାଇ, ୨୪/୦୧: ଆପଣ କେବେ ଜେଲ୍ ଯାଇଛନ୍ତି ? ସେ ପୁଣି ବିନା ଦେଷରେ । ନୁହେଁ ନା ! ଯଦି ଦେଖି ନାହାନ୍ତି ତେବେ ଏବେ ପ୍ରସ୍ତୁତ ହୁଅନ୍ତୁ ଜେଲ୍ ଯିବାକୁ । ଏଥିପାଇଁ ଆପଣ ମହାରାଷ୍ଟ୍ରର ବାସିନ୍ଦା ହୋଇଥିବା ଦରକାର । ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ଆପଣଙ୍କ ପାଇଁ ଏକ ଜେଲ୍ ଟ୍ୟୁରିଜିମ୍ ଯୋଜନା ଆଣୁଛନ୍ତି । ଏହି ଯୋଜନା ଦ୍ୱାରା ଆପଣଙ୍କୁ ଜେଲ୍ ବୁଲିଯିବାକୁ ସୁଯୋଗ ମିଳିବ । ଯାହାଫଳରେ ଜେଲ୍ ବୁଲିବା ସହିତ ସେଠାରେ ଅପରାଧୀଙ୍କ ଦିନ କିପରି କଟୁଛି, କେମିତି ସେ ରହୁଛନ୍ତି, କଣ ଖାଉଛନ୍ତି ସେ ବିଷୟରେ ଜାଣିପାରିବେ ।

ମହାରାଷ୍ଟ୍ର ସରକାର ଗଣତନ୍ତ୍ର ଦିବସରେ ଏହି ଜେଲ୍ ଟ୍ୟୁରିଜିମ୍ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଇତିହାସ ପ୍ରସିଦ୍ଧ ୟେରୱଡ଼ା ଜେଲ୍ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାର ଉଦ୍ଘାଟନ କରିବେ । ଏହାଛଡ଼ା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଯୋଜନାର ମଧ୍ୟ କାର୍ଯ୍ୟକାରୀ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ଦିଆଯାଇଛି ।

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ ଏନେଇ କହିଛନ୍ତି ଯେ, ସ୍କୁଲ, କଲେଜ୍ର ଛାତ୍ରଛାତୀଙ୍କୁ ଏହି ଯୋଜନା ଦ୍ୱାରା ଐତିହାସିକ ଜ୍ଞାନ ମିଳିପାରିବା ସହିତ ସାଧାରଣ ଲୋକ ଏହାର ମଜା ନେଇପାରିବେ । ବ୍ରିଟିଶ୍ ଶାସନ ସମୟରେ ମହାତ୍ମା ଗାନ୍ଧି, ଲୋକମାନ୍ୟ ତିଲକ, ମୋତିଲାଲ୍ ନେହେରୁ, ଜବାହରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍, ସୁବାଷ ଚନ୍ଦ୍ର ବୋଷ ଆଦି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି କାରାଗାରରେ ବନ୍ଦୀ ରୂପେ ରଖାଯାଇଥିଲା ।

ସେମାନଙ୍କ ସ୍ମୃତିକୁ ଲୋକେ ଏଠାରେ ଅନୁଭବ କରିପାରିବେ ବେଲି ସେ କହିଛନ୍ତି । ଏହି ଯୋଜନାରେ ଜେଲ୍ ବୁଲିଯିବା ପାଇଁ ଲୋକଙ୍କୁ ଗାଇଡ୍ କରାଯିବ । ଏଥିପାଇଁ ୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ଟିକେଟ୍ର ବ୍ୟବସ୍ଥା କରାଯିବ । କୋଭିଡ୍ ପରିସ୍ଥିତି ଭିତରେ ପ୍ରତ୍ୟେକ ଦିନ କେବଳ ୫୦ ଜଣଙ୍କୁ ବୁଲିବାକୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.