ମଲାପରେ ବି ଛାଡିଲେନି, ପରିବାର ଲୋକଙ୍କୁ ଜଣାଇଲେନି : ଶେଷରେ ବନ୍ଧାହେଲେ ମିଛ ବିଲ୍ ଦେଇ ଟଙ୍କା ଲୁଟିଥିବା ଡାକ୍ତର

Published By : Prameya-News7 Bureau | July 09, 2021 IST

ମହାରାଷ୍ଟ୍ର ୯/୭: ଯେଉଁଠି ରକ୍ଷକ ସାଜେ ଭକ୍ଷକ କହିବେ କାହାକୁ । କରୋନା କାଳରେ ୨ୟ ଭଗବାନ ସାଜିଥିବା ଡାକ୍ତର ଏବେ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ଏପରିକି ରୋଗୀ ମୃତ୍ୟୁ ହେବାର ୨ ଦିନ ପରେ ବି ପରିବାରକୁ ଲୋକଙ୍କୁ ଜଣାଇଲେନି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ରୋଗୀ ମୃତ୍ୟୁ ହୋଇଥିଲେ ସୁଦ୍ଧା ପରିବାର ଲୋକଙ୍କଠାରୁ ଅସୁଲ କରିଥିଲେ ବିଲ୍ ।

ଫଳରେ ଏହି ଅଭିଯୋଗରେ ଡାକ୍ତର ଜଣଙ୍କ ଗିରଫ ବି ହୋଇଛନ୍ତି । ଏମିତି ଘଟଣା ଘଟିଛି ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ । ସୂଚନା ଥାଉକି, ଜଣେ ୬୦ ବର୍ଷୀୟା ମହିଳାଙ୍କୁ ଫେବୃଆରୀରେ ଇସଲାମପୁରର ଆଧାର ସ୍ୱାସ୍ଥ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପୋଲିସ କହିବା ମୁତାବକ, ମାର୍ଚ୍ଚ ୮ରେ ରୋଗୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଅଭିଯୁକ୍ତ ଡାକ୍ତର ଯୋଗେଶ ୱାଟକର ତୁରନ୍ତ ସମ୍ପର୍କୀୟଙ୍କୁ ଜଣାଇ ନଥିଲେ । ଏପରିକି ମାର୍ଚ୍ଚ ୧୦ ଯାଏଁ ହସ୍ପିଟାଲରେ ରଖିଥିଲେ ।

ପରେ ମାର୍ଚ୍ଚ ୧୦ରେ ମହିଳାଙ୍କ ପରିବାରକୁ ରୋଗୀଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଥିଲେ । ଦଶ ଦିନ ପରେ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ଜାରି କରାଯାଇଥିବା ମୃତ୍ୟୁ ପ୍ରମାଣପତ୍ରରେ ମାର୍ଚ୍ଚ ୮ରେ ତାଙ୍କର ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଆଉ ରିପୋର୍ଟ ଆସିବା ପରେ ଏହା ସଷ୍ଟ ହୋଇଥିଲା । ଡାକ୍ତରଙ୍କ ଜାଲିଆତି ହୋଇଥିବା ନେଇ ସବୁ କିଛି ସ୍ପଷ୍ଟ ହୋଇଯାଇଥିଲା ।

ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳାଙ୍କ ପୁଅ ଡାକ୍ତରଙ୍କୁ ପଚରାଉଚରା କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିବାରୁ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସେପଟେ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଏହି ମାମଲାକୁ ସରକାରୀ ଡାକ୍ତରଖାନାର ମେଡିକାଲ ବୋର୍ଡକୁ ପଠାଇଛୁ । ସେମାନଙ୍କ ଅନୁସନ୍ଧାନ ସମୟରେ ଅସଙ୍ଗତି ସାମ୍ନାକୁ ଆସିଛି । ଏହା ମଧ୍ୟ ଜାଣିବାକୁ ପାଇଛୁ ଯେ ଡାକ୍ତରଖାନା ପ୍ରକୃତରେ ରୋଗୀଙକ୍ ପରିବାରଠାରୁ ଅଧିକ ଟଙ୍କା ଆଦାୟ ହୋଇଛି । ବର୍ତ୍ତମାନ ଆଇପିସିର ଧାରା ୪୦୬ (ଟ୍ରଷ୍ଟର ଉଲ୍ଲଂଘନ), ୪୨୦ (ପ୍ରତାରଣା) ଏବଂ ୪୬୫ (ଜାଲିଆତି) ଅନୁଯାୟୀ ଆମେ ଡାକ୍ତରଙ୍କୁ ଗିରଫ କରିଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.