କେନ୍ଦ୍ର ପରେ ଉଦ୍ଧବ ସରକାର ଚୀନକୁ ଦେଲେ ବଡ ଝଟକା, ୫୦୦୦ କୋଟି ଟଙ୍କାର ୩ ଚୀନୀ ପ୍ରକଳ୍ପ ଉପରେ ଲଗାଇଲେ ରୋକ୍

Published By : Prameya-News7 Bureau | June 22, 2020 IST

ମୁମ୍ବାଇ ୨୨।୦୬: ପୂର୍ବ ଲଦାଖରେ ଭାରତୀୟ ସୈନିକ ଏବଂ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ଚୀନକୁ କୂଟନୈତିକ ମୋର୍ଚ୍ଚା ସହିତ ଆର୍ଥିକ ମୋର୍ଚ୍ଚାରେ ଘେରିବାକୁ ଅଣ୍ଟା ଭିଡିଛନ୍ତି। ପ୍ରଥମେ ଭାରତରେ ଅନେକ ପ୍ରକଳ୍ପରେ ଚୀନ ହାସଲ କରିଥିବା ଟେଣ୍ଡରକୁ ବାତିଲ୍ କରାଯାଉଛି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ପରେ ମହାରାଷ୍ଟ୍ର ସରକାର ଚୀନ ପ୍ରୋଜେକ୍ଟକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଚୀନର ତିନୋଟି କମ୍ପାନୀ ସହିତ ହୋଇଥିବା ରାଜିନାମା ଉପରେ ରୋକ୍‌ ଲଗାଇଛନ୍ତି। କୁହାଯାଉଛି ଯେ, ମ୍ୟାଗ୍ନେଟିକ୍ ମହାରାଷ୍ଟ୍ର ୨.୦ ସମ୍ମିଳନୀରେ ରାଜ୍ୟ ସରକାର ତିନି ଚୀନୀ କମ୍ପାନୀଙ୍କ ସହିତ ପାଞ୍ଚ ହଜାର କୋଟି ଟଙ୍କାର ନିବେଶ ପ୍ରକଳ୍ପ ଉପରେ ଚୁକ୍ତି ସ୍ଵାକ୍ଷର କରିଥିଲେ।

ମହାରାଷ୍ଟ୍ର ଉଦ୍ୟୋଗ ମନ୍ତ୍ରୀ ସୁଭାଷ ଦେଶାଇ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କ୍ରମେ ଚୀନ ସହ ହୋଇଥିବା ତିନୋଟି ପ୍ରକଳ୍ପର ରାଜିନାମା ଉପରେ ରୋକ୍ ଲଗାଇଛନ୍ତି। ସେ କହିଛନ୍ତି ଭାରତ-ଚୀନ ସୀମାରେ ୨୦ ଭାରତୀୟ ସୈନିକଙ୍କ ହତ୍ୟା ପୂର୍ବରୁ ପ୍ରକଳ୍ପ ନେଇ ରାଜିନାମା ଉପରେ ସ୍ଵାକ୍ଷର ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ ଚୀନୀ କମ୍ପାନୀ ସହିତ କୌଣସି ବି ଅନ୍ୟ ରାଜିନାମା ଉପରେ ହସ୍ତାକ୍ଷର ନକରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ମ୍ୟାଗ୍ନେଟିକ୍ ମହାରାଷ୍ଟ୍ର ୨.୦ ସମିଟ୍‌ରେ ରାଜ୍ୟ ସରକାର ସମଗ୍ର ଦୁନିଆର କମ୍ପାନୀଙ୍କ ସହ ଅନେକ ପ୍ରକଳ୍ପ ଲାଗି ୧୬୦୦୦ କୋଟି ଟଙ୍କାର ରାଜିନାମା ଉପରେ ହସ୍ତାକ୍ଷର କରିଥିଲେ। ଏଥିରେ ଚୀନୀ କମ୍ପାନୀ ମଧ୍ୟ ସାମିଲ ଥିଲା।

ଏଥିରେ ପୁଣେରେ ତାଲେଗାଓଁରେ ଅଟୋମୋବାଇଲ୍‌ ବିନିର୍ମାଣ ୟୁନିଟ୍ ସ୍ଥାପନ କରିବା ପାଇଁ ଚୀନର ଗ୍ରେଟ୍ ଓ୍ଵାର୍ଲ୍ସ ମୋଟର୍ସ ସହିତ ୩,୭୭୦ କୋଟି ଟଙ୍କାର ଏମଓୟୁ ସାଇନ୍‌ କରାଯାଇଥିଲା। ଏଥିରେ ଚୀନର ଫୋଟନ ଓ ପିଏମଆଇ ଇଲେକ୍ଟ୍ରୋ ମୋବିଲିଟି ମଧ୍ୟରେ ୧୦୦୦ କୋଟି ଟଙ୍କାର ଭାଗିଦାରୀ ମଧ୍ୟ ସାମିଲ।

ଏହା ବ୍ୟତୀତ ହେଙ୍ଗ୍ଲୁ ଇଞ୍ଜିନିୟରିଂ ପୁଣେରେ ନିଜର ୟୁନିଟ୍ ଫେଜ୍‌-୨ର  ବିସ୍ତାର ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଚୀନ ବ୍ୟତୀତ ଆମେରିକା, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଅନେକ ବଡ କମ୍ପାନୀ ଅନ୍ୟ ୯ଟି ରାଜିନାମା ଉପରେ ସ୍ଵାକ୍ଷର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.