ସହଯୋଗୀ ଦଳ ବୈଠକ: ଉଦ୍ଧବ ସରକାର ପ୍ରତି କୌଣସି ବିପଦ ନାହିଁ, ସମସ୍ତେ ମିଶି କାମ କରୁଛୁ

Published By : Prameya-News7 Bureau | May 27, 2020 IST

ମୁମ୍ବାଇ ୨୭।୦୫: ମହାରାଷ୍ଟ୍ର ସରକାରକୁ ନେଇ ଜାରି ରାଜନୈତିକ ଘଟଣାକ୍ରମ ମଧ୍ୟରେ ରାଜ୍ୟରେ ସରକାରରେ ସାମିଲ ସହଯୋଗୀ ଦଳଗୁଡିକ ବୈଠକ କରିଛନ୍ତି।  ବୈଠକ ପରେ ମହାରାଷ୍ଟ୍ର  ବିକାଶ ଅଘାଡି ପକ୍ଷରୁ କୁହାଯାଇଛି ରାଜ୍ୟରେ ଉଦ୍ଧବ ସରକାର ପ୍ରତି କୌଣସି ବିପଦ ନାହିଁ। ମହାରାଷ୍ଟ୍ର କଂଗ୍ରେସ ସଭାପତି ବାଲାସାହେବ ଥୋରାଟ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ଵରେ ସମସ୍ତେ ମିଶି କାମ କରୁଛନ୍ତି।

କଂଗ୍ରେସ ରାଜ୍ୟ ସଭାପତି କହିଛନ୍ତି, ମୁମ୍ବାଇରେ ସ୍ଥିତି ଚିନ୍ତାଜନକ ରହିଛି। କାହାରିକୁ କିଛି ଅସୁବିଧା ନହେଉ ସେଥିପ୍ରତି ଧ୍ୟାନ ଦିଆଯାଉଛି। ମହାରାଷ୍ଟ୍ରକୁ କରୋନା ମୁକ୍ତ କରାଯିବ। ପୂରା ଦୁନିଆ ଏବେ ସଙ୍କଟରେ ରହିଛି। ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ଵରେ କାମ ଆରମ୍ଭ ହୋଇଛି। ଏହି ସଙ୍କଟ ସମୟରେ ଆମେ ସମସ୍ତେ ଏକାଠି ଅଛୁ। ବିଜେପି ଉପରେ ଆରୋପ ଲଗାଇ ସେ କହିଛନ୍ତି, ବିରୋଧୀ ଦଳ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ବିରୋଧୀ ଦଳ ସାହାଯ୍ୟ କରିବା ଜାଗାରେ ହଙ୍ଗାମା କରିବାକୁ ପ୍ରୟାସ କରୁଛି।

 ବାଲାସାହେବ ଥୋଟାର କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି, ମାତ୍ର କିଛି ଲୋକ ସରକାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ମହାରାଷ୍ଟ୍ରରେ ସମସ୍ତଙ୍କୁ ଧ୍ୟାନରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ବିଜେପି ଉଦ୍ଧବ ସରକାର ଉପରେ ଆରୋପ ଲଗାଇଛି ଯେ, ସରକାର କରୋନା ରୋକିବାରେ ବିଫଳ ହୋଇଛି। ଏଥିପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଉଚିତ୍। ଏହା ମଧ୍ୟରେ ଖବର ଆସିଛି, କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନରେ ଆଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ କରୋନାର ଏହି ମହାସଙ୍କଟରେ କଂଗ୍ରେସ ଉଦ୍ଧବ ଠାକରେଙ୍କ ସହ ଛିଡା ହୋଇଥିବା ଆଶ୍ଵସନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.