୬ ଦିନରେ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ରାଜ୍ୟରେ ଲକ୍‌ଡାଉନ୍‌ ଲଗାଇବେ ଉଦ୍ଧବ ଠାକରେ ?

Published By : Prameya-News7 Bureau | March 06, 2021 IST

ମୁମ୍ବାଇ ୦୬/୦୩: ଦେଶରେ କରୋନା ମହମାରୀ ପୁଣି ଥରେ କାୟା ବିସ୍ତାର କରିଛି। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏଥିରେ ଶୀର୍ଷରେ ମହାରାଷ୍ଟ୍ର ଥିବା ବେଳେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଥିବା ଜଣାପଡ଼ିଛି। କେବଳ ୬ ଦିନରେ ରାଜ୍ୟରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଲୋକଙ୍କ ମନରେ ଭୟ ଯେ, ପୁଣି ଥରେ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ହୋଇପାରେ।

ଲଗାତାର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକମାନେ କରୋନା ନିୟମ ମାନୁନାହାନ୍ତି। ଏଭଳି ପରିସ୍ଥିତିରେ ଲକ୍‌ଡାଉନ୍‌ ଲଗାଇବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ଥାଇ ନପାରେ ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରର ଔରଙ୍ଗାବାଦରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି ବରଂ କମିବାର ନାଁ ଧରୁନି। ତେଣୁ ପ୍ରଶାସନ ଏଠାରେ ଲକ୍‌ଡାଉନ୍‌ ଲଗାଇବାକୁ ଚିନ୍ତା କରୁଛି। ରବିବାର ହେବାକୁ ଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇପାରେ ବୋଲି ଜିଲ୍ଲାପାଳ ସୁନୀଲ ଚୌହାନ କହିଛନ୍ତି।

ଔରଙ୍ଗାବାଦ ସହରରେ ସଂକ୍ରମିତ ହାର ଏବେ ୧୨ରୁ ୧୫ ପ୍ରତିଶତ ରହିଛି। ଅନ୍ୟପଟେ ମହାରାଷ୍ଟ୍ର ଏବଂ ପଞ୍ଜାବରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏହି ଦୁଇ ରାଜ୍ୟକୁ ଉଚ୍ଚସ୍ତରୀୟ ସ୍ବାସ୍ଥ୍ୟ ଟିମ୍‌ ପଠାଇଛନ୍ତି। ଏହି ଟିମ୍‌ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ କରୋନା ସଂକ୍ରମଣ ସ୍ଥିତି ଏବଂ ନିୟନ୍ତ୍ରଣ ଉପରେ ଆଲୋଚନା କରିବା ସହ ନିର୍ଣ୍ଣୟ ନେବେ।

ତେବେ କରୋନା ଭାଇରସ ପୁଣି ଥରେ ଘାତକ ହେଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଲଗାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ଲୋକମାନେ କରୋନା ନିୟମ ମାନିବାକୁ ନାରାଜ ଥିବାରୁ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.