ମନ୍ଦିର ଖୋଲିବା ନେଇ ମହାରାଷ୍ଟ୍ରରେ ମହାଭାରତ: ଉଦ୍ଧବଙ୍କୁ ରାଜ୍ୟପାଳଙ୍କ ତାତ୍ସଲ୍ୟ- ଅଚାନକ କେମିତି ସେକ୍ୟୁଲାର ହୋଇଗଲେ, ଠାକରେ ଦେଲେ ଏମିତି ଜବାବ

Published By : Prameya-News7 Bureau | October 13, 2020 IST

ମୁମ୍ବାଇ ୧୩।୧୦: କରୋନା ଲକ୍‌ଡାଉନ୍‌ କାରଣରୁ ବନ୍ଦ ପଡିଥିବା ଧାର୍ମିକ ସ୍ଥଳ ଖୋଲିବା ନେଇ ମହାରାଷ୍ଟ୍ରର ରାଜନୀତି ସରଗରମ ହୋଇ ଉଠିଛି। ବିଜେପି ମହାରାଷ୍ଟ୍ର ସରକାର ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି। ମହାରାଷ୍ଟ୍ରରେ ସିଦ୍ଧି ବିନାୟକ ମନ୍ଦିର ସମେତ ଅନ୍ୟ ମନ୍ଦିର ଖୋଲିବା ଦାବିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କ ମଙ୍ଗଳବାର ମୁମ୍ବାଇରେ ପ୍ରଦର୍ଶନ ଜାରି ରହିଛି। ଏହା ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ମନ୍ଦିର ଖୋଲିବାକୁ କହିଛନ୍ତି। କୋଶୟାରୀ ଉଦ୍ଧବଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଆପଣ ଅଚାନକ ସେକ୍ୟୁଲାର କେମିତି ହୋଇଗଲେ ? ଆପଣତ ଏହି ଶବ୍ଦକୁ ପୂର୍ବେ ଘୃଣା କରୁଥିଲେ। କୋଶୟାରୀଙ୍କ ଚିଠି ଉପରେ ଉଦ୍ଧବ ଠାକରେ ମଧ୍ୟ ଜବାବ ରଖିଛନ୍ତି। ଠାକରେ କହିଛନ୍ତି ମୋତେ ହିନ୍ଦୁତ୍ଵ ଉପରେ ଆପଣଙ୍କର ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ।

ଉଦ୍ଧବ ଠାକରେ କହିଛନ୍ତି, ଯେମିତି ଅଚାନକ ଲକ୍‌ଡାଉନ୍‌ ଲଗାଇବା ଠିକ୍ ନଥିଲା, ସେମିତି ଅଚାନକ ଏହାକୁ ହଟାଇବା ମଧ୍ୟ ଠିକ୍ ନୁହେଁ। ମୁଁ ଜଣେ ହିନ୍ଦୁତ୍ଵର ସମର୍ଥକ ଏବଂ ହିନ୍ଦୁତ୍ଵ ପାଳନ କରେ, ଏଥିପାଇଁ ମୋତେ ଆପଣଙ୍କର କୌଣସି ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ। ମହାରାଷ୍ଟ୍ର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଶୀଘ୍ର ମନ୍ଦିର ଖୋଲିବାକୁ ଅପିଲ୍ କରିଛନ୍ତି। ଭଗତ ସିଂହ କୋଶୟାରୀ ପବ୍ ଓ ରେସ୍ତୋରାଁ ଖୋଲିବା ନିଷ୍ପତ୍ତିର ଉଲ୍ଲେଖ କରି କହିଛନ୍ତି, ଅନେକ ଧାର୍ମିକ ନେତା ତାଙ୍କୁ ଆସି ଭେଟିଛନ୍ତି ଏବଂ ମନ୍ଦିର ଖୋଲିବାକୁ ଅନୁରୋଧ କରିଛନ୍ତି।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ କହିଛନ୍ତି ଯେ, ଜୁନ ୧ରୁ ଆପଣ ମିଶନ ପୁଣି ଥରେ ଆରମ୍ଭ କରିବାର ଘୋଷଣା କରିଥିଲେ, ହେଲେ ଚାରି ମାସ ପରେ ବି ପୂଜାସ୍ଥଳ ଖୋଲା ଯାଇ ପାରିନାହିଁ। ଉଦ୍ଧବ ଠାକରେଙ୍କୁ ଆକ୍ଷେପ  କରି ରାଜ୍ୟପାଳ କହିଛନ୍ତି, କଣ ଆପଣଙ୍କୁ କୌଣସି ଦୈବୀ ପ୍ରେରଣା ମିଳୁଛି କି, ଯେଉଁଥିପାଇଁ ଆପଣ ମନ୍ଦିର ଖୋଲୁ ନାହାନ୍ତି। ଆପଣ ଅଚାନକ ସେକ୍ୟୁଲାର କେମିତି ହୋଇଗଲେ। ପୂର୍ବେ ତ ଏହି ଶବ୍ଦକୁ ଘୃଣା କରୁଥିଲେ।

ଅନ୍ୟପଟେ  ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମଙ୍ଗଳବାର ମୁମ୍ବାଇରେ ବିରୋଧ ପ୍ରଦର୍ଶନ କରିଛନ୍ତି। ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ବାହାରେ ବିଜେପି  ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛି। ବିଜେପି କର୍ମକର୍ତ୍ତା ପୂଜା ସ୍ଥଳ ଖୋଲିବାକୁ ଦାବି କରିଛନ୍ତି। ଏହି ସମୟରେ କିଛି କର୍ମକର୍ତ୍ତା ବଳପୂର୍ବକ ମନ୍ଦିରରେ ପଶିବାକୁ ଉଦ୍ୟମ କରିଛନ୍ତି। ପୋଲିସ ଅନେକ କର୍ମକର୍ତ୍ତାଙ୍କୁ ଗାଡିରେ ବସାଇଇ ନେଇ ଯାଇଛି। ମୁମ୍ବାଇରେ ପ୍ରଦର୍ଶନ ସମୟରେ ବିଜେପିର କର୍ମକର୍ତ୍ତା ସଡକରେ ଆରତୀର ଥାଳି ଧରି ପହଞ୍ଚିଥିଲେ ଏବଂ ପୂଜା କରିବା ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.