କେତେ କାକୁତି ମିନତୀ ହେଲେ, କେହି ଶୁଣିଲେନି: ଶୀତ ରାତିରେ ୬ବର୍ଷୀୟ ପୁଅର ମୃତଦେହକୁ ବାଇକ୍‌ରେ ଗାଁକୁ ନେଲେ ବାପା-ମାଆ

Published By : Prameya-News7 Bureau | January 27, 2022 IST

ମୁମ୍ବାଇ ୨୭/୦୧: ମାଳମାଳ ସରକାରୀ ଯୋଜନା । ଭୋଟ ବ୍ୟାଙ୍କ ବଞ୍ଚାଇବାକୁ ଅନେକ କାର୍ଯ୍ୟକ୍ରମ । କ୍ଷମତା ହାସଲ ପାଇଁ ବିଭିନ୍ନ ପ୍ରତିଶୃତି । ତଥାପି ହୃଦୟ ବିଦାରକ । ମହାରାଷ୍ଟ୍ର ସଡକଓ୍ବାଡି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଆମ୍ବୁଲାନ୍ସ ନମିଳିବାରୁ ନିଜର ନାବାଳିକ ପୁଅକୁ ବାଇକ୍‌ରେ ପ୍ରୟେ ୪୦ କିମି ଧରି ଘରକୁ ଫେରିଛନ୍ତି ଆଦିବାସୀ ଦମ୍ପତ୍ତି ।

ସୂଚନା ଅନୁସାରେ, ସଡକଓ୍ବାଡି ଗାଁର ଯୁବରାଜ ପାର୍ଦ୍ଧିଙ୍କ ୬ ବର୍ଷର ଶିଶୁ ଅସୁସ୍ଥ ଅନୁଭବ କରିବା ପରେ ତାକୁ କଟେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷଣ କରିବା ପରେ ଶିଶୁଟି ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେବେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ରାତିରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଦୁଃଖରେ ଭାଙ୍ଗି ପଡିଥିବା ମାଆ-ବାପା ପୁଅକୁ ଗାଁକୁ ନେବା ପାଇଁ ଆମ୍ବୁଲାନ୍ସଟିଏ ଯୋଗାଡ କରିବାକୁ ପ୍ରୟାସ କଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ନେବାକୁ ମନା କରିଦେଇଥିଲେ ୩ଟି ଆମ୍ବୁଲାନ୍ସ । ହସ୍ପିଟାଲ ପକ୍ଷରୁ ମଧ୍ୟ ଆମ୍ବଲାନ୍ସ ସେବା ଯେଗାଇ ଦିଆଯାଉଥିଲେ ସୁଦ୍ଧା ମୃତ ଶିଶୁକୁ ଗାଁ ରେ ନେଇ ଛାଡିବା ପାଇଁ ଗାଡି ନଥିବା ହସ୍ପିଟାଲ କର୍ତ୍ତୃପକ୍ଷ ରୋକ୍‌ ଠୋକ୍‌ ମନା କରିଦେଇଥିଲେ ।

କଟେଜ୍‌ ହସ୍ପିଟାଲର ସିଡିଏମ୍‌ଓ ରାମଦାସ ମରାଦ୍ କହିଛନ୍ତି, 'ମୃତ ଦେହ ଗୁଡିକୁ ନେବା ପାଇଁ ହସ୍ପିଟାଲ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ । ପରେ ଏକ ଘରୋଇ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ଗାଁକୁ ନେବା ପାଇଁ ବୁଝିଥିଲି କିନ୍ତୁ ସେ ପ୍ରଚୁର ଟଙ୍କା କହିବାକୁ ଆଦିବାସୀ ଦମ୍ପତ୍ତି ଦ୍ବୟ ଏତେ ଟଙ୍କା ଦେବାକୁ ଅକ୍ଷମ ହୋଇଥିଲେ । ସେମାନଙ୍କୁ ସକାଳ ପର୍ଯ୍ୟନ୍ତ ଅନେକ୍ଷା କରିବା ପାଇଁ କହିଥିଲୁ । କିନ୍ତୁ ସେମାନେ ରହିବାକୁ ନାରାଜ୍‌ ଥିଲେ ।'

ହସ୍ପିଟାଲ କର୍ତ୍ତୃପକ୍ଷ ନଶୁଣିବାରୁ ବାଧ୍ୟ ହୋଇ ଯୁବରାଜ ପାର୍ଦ୍ଧି ଏବଂ ତାଙ୍କ ପତ୍ନୀ ମୋଟର ସାଇକେଲ୍‌ରେ ହିଁ ପୁଅକୁ ନେଇଯିବା ପାଇଁ ବାହାରିଥିଲେ । ପୁଅର ଶବକୁ ବେଡସିଟ୍‌ରେ ବାନ୍ଧି, ନିଜେ ବ୍ଲାଙ୍କେଟ୍‌ ଘୋଡି ହୋଇ ବାହାରିଥିଲେ ଗାଁକୁ । ହସ୍ପିଟାଲ ପରିସରରେ ସମସ୍ତେ ଦେଖୁଥିଲେ ସୁଦ୍ଧା କେହି ସାହାଯ୍ୟର ହାତ ବଢାଉନଥିଲେ । ଦାରୁଣ ଦୁଃଖ ଭିତରେ ପୁଅର ଶବକୁ ବାଇକ୍‌ରେ ବୋହିବା ଦମ୍ପତ୍ତିଙ୍କୁ ଶୋକରେ ବୁଡାଇଦେଇଥିଲା ।

ରାତି ସାରା ବାଇକ୍‌ରେ ଆସି ବୁଧବାର ଭୋରରୁ ଗାଁରେ ପହଞ୍ଚିଥିଲେ ଯୁବରାଜ ଏବଂ ତାଙ୍କ ପତ୍ନୀ । ଗଣତନ୍ତ୍ର ଦିବସରେ ସମ୍ପୂର୍ଣ୍ଣ ଆଦିବାସୀ ପ୍ରଥା ଅନୁସାରେ ଶିଶୁର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଘଟଣାକୁ ନେଇ ସମଗ୍ର ମହାରାଷ୍ଟ୍ରରେ ଚର୍ଚ୍ଚା ଜୋର ଧରିଛି । ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ସଂପୃକ୍ତ ୩ ଜଣ ଆମ୍ବୁଲାନ୍ସ ଚାଳକଙ୍କ ତୁରନ୍ତ ବହିଷ୍କାର କରିବାକୁ ନିର୍ଦେଶ ଦେଇଛନ୍ତି ଯେଉଁମାନେ କି ଏକ ଘରୋଇ ସଂସ୍ଥା ଦ୍ବାରା ଆମ୍ବୁଲାନ୍ସ ଚଳାଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.