ପଞ୍ଚାୟତ ନିର୍ବାଚନରେ ଶିବସେନାକୁ ସଫଳତା : ୩ ହଜାରରୁ ଉର୍ଦ୍ଧ୍ବ ସିଟ୍‌ କବଜା, ଦ୍ବିତୀୟ ସ୍ଥାନରେ ବିଜେପି

Published By : Prameya-News7 Bureau | January 19, 2021 IST

ମୁମ୍ବାଇ ୧୯/୦୧ : ମହାରାଷ୍ଟ୍ରରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଶିବସେନାକୁ ବଡଧରଣର ସଫଳତା ମିଳିଛି । ସତ୍ତାରେ ଥିବା ଶିବସେନା ସବୁଠାରୁ ବଡ ଦଳଭାବେ ଉଭା ହୋଇଛି । ଦ୍ବିତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି । ମଙ୍ଗଳବାର ସକାଳ ସୁଦ୍ଧା ଆସିଥିବା ପଞ୍ଚାୟତ ନିର୍ବାଚନ ଫଳାଫଳରେ ଶିବସେନା ମୋଟ ୩୧୧୩ ସିଟ୍‌ରେ ବିଜୟଲାଭ କରିଛି ।

ସୂଚନାଯୋଗ୍ୟ ମହାରାଷ୍ଟ୍ରର ୩୪ ଜିଲ୍ଲାର ମୋଟ ୧୨ ହଜାର ୭୧୧ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଏହାର ଫଳାଫଳ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି । ମଙ୍ଗଳବାର ସକାଳ ସୁଦ୍ଧା ଆସିଥିବା ନିର୍ବାଚନ ଫଳାଫଳ ଅନୁଯାୟୀ ଶିବସେନା ୩୧୧୩ ସିଟ୍‌ରେ ବିଜୟ ହାସଲ କରିଛି । ସେହିଭଳି ବିଜେପି ୨୬୩୨ ସିଟ୍‌ରେ ବିଜୟ ହାସଲ କରିବା ସହ ଦ୍ବିତୀୟ ସ୍ଥାନରେ ରହିଛି । ଏନସିପି ୨୪୦୦, କଂଗ୍ରେସ ୧୮୨୩, ମନସେ ୩୬ ଏବଂ ନିର୍ଦଳୀୟ ପ୍ରାର୍ଥୀ ୨୩୪୪ ସିଟ୍‌ରେ ବିଜୟ ହାସଲ କରିଛନ୍ତି ।

ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଚାଲୁଥିବା ମେଣ୍ଟ ସରକାର ପାଇଁ ଏହି ନିର୍ବାଚନ ଚ୍ୟାଲେଞ୍ଜିଂ ଥିଲା । ଏହି ନିର୍ବାଚନରେ ବିପୁଳ ସଫଳତା ମଧ୍ୟ ହାସଲ କରିଛି ମହାମେଣ୍ଟ । ଶିବସେନା, କଂଗ୍ରେସ ଏବଂ ଏନସିପି ମିଳିତ ଭାବେ ପ୍ରାୟ ୭ ହଜାର ସିଟ୍‌ରେ ବିଜୟ ହାସଲ କରିଛନ୍ତି । ଅନ୍ୟପଟେ ବିଜେପି ଦାବି କରିଛି ଯେ, ଦଳ ସମର୍ଥିତ ଅନେକ ନିର୍ଦଳୀୟ ପ୍ରାର୍ଥୀ ବୃହତ ବିଜୟ ହାସଲ କରିଛନ୍ତି ।

ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ମହାରାଷ୍ଟ୍ରର ୩୪ ଜିଲ୍ଲାର ୧୨,୭୧୧ ପଞ୍ଚାୟତରେ ୭୯ ପ୍ରତିଶତ ମତଦାନ ହୋଇଥିଲା । ଶିବସେନା ଆଶାତୀତ ସଫଳତା ହାସଲ କରିବା ପରେ ପ୍ରତିକ୍ରିୟା ରଖିଛି ଦଳ । ବିଜେପିକୁ ଟାର୍ଗେଟ କରି ଶିବସେନା କହିଛି, ଦଳ ବୁଝିବା ଆବଶ୍ୟକ ଯେ ରାଜ୍ୟରେ ବିଜେପିକୁ ସିବିଆଇ, ଇଡି ଏବଂ ଆଇଟି ବିଭାଗ ବିଜୟ ଦେଇପାରିବ ନାହିଁ । ଏହା ସହ ଶିବସେନା ଅଭିଯୋଗ କରିଛି ଯେ, ରାଜ୍ୟରେ ବିଜେପି ମହା ବିକାଶ ଅଘାଡୀକୁ ବଦନାମ କରିବାକୁ ଚାହୁଁଛି । କିନ୍ତୁ ମହାରାଷ୍ଟ୍ର ଜନତା ଭୋଟ ମାଧ୍ୟମରେ ଏହାର ଜବାବ ଦେଉଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.