କରୋନା ସ୍ଥିତି ଚିନ୍ତାଜନକ, ଆଜି ଘୋଷଣା ହୋଇପାରେ ଲକ୍‌ଡାଉନ୍‌

Published By : Prameya-News7 Bureau | April 21, 2021 IST

ମୁମ୍ବାଇ ୨୧।୦୪ : ମହାରାଷ୍ଟ୍ରରେ କରୋନା ଜନିତ କଡା ପ୍ରତିବନ୍ଧକ ଲାଗିଛି ।  ଏହା ପରେ ବି ସଂକ୍ରମଣ ସଂଖ୍ୟା କମିବାରେ ନାଁ ଧରୁନି । ପ୍ରତିଦିନ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟରେ ଲକ୍‌ଡାଉନ୍‌ ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ନେଇ ସରକାରଙ୍କ ପକ୍ଷରୁ କୌଣସି ଆଧିକାରୀକ ସୂଚନା ମିଳିନାହିଁ । ତେବେ ବୁଧବାର ଦିନ ଗାଇଡଲାଇନ୍‌ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ନେଇ ଘୋଷଣା କରିପାରନ୍ତି ।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, କଡା କଟକଣା ପରେ ପ୍ରତିଦିନ ୫୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଥିପାଇଁ ମଙ୍ଗଳବାର ଦିନ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା । ବୈଠକରେ ଅନେକ ମନ୍ତ୍ରୀ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ଦାବି କରିଥିଲେ । ସମସ୍ତଙ୍କ ଦାବି ନେଇ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ଏନେଇ କିଛି ନିଷ୍ପତ୍ତି ନିଆଯାଇପାରେ । ବୁଧବାର ଦିନ ସକାଳ ସମୟରେ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ।

ସେପଟେ ରାଜ୍ୟର ଶହରୀ ବିକାଶ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକ୍‌ଡାଉନ୍‌ ଲାଗୁ ହେବା ଜରୁରୀ । ସାଧାରଣଲୋକମାନେ ଏଥିପାଇଁ ମଧ୍ୟ ସମର୍ଥନ ଦେଉଛନ୍ତି । ରାଜ୍ୟରେ ପୁରା କଠୋର ନିୟମ କାନୁନ ସହିତ ଲକ୍‌ଡାଉନ୍‌ ଲାଗୁ କରିବାକୁ ଯୋଜନା କରାଯାଉଛି ।  

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ଗୁଜବ ହେବା ପରେ ସମସ୍ତ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟ ଅଭିମୁଖେ ବାହାରିଛନ୍ତି । ମଙ୍ଗଳବାର ଦିନ ପୁଣେ ରେଳ ଷ୍ଟେସନରେ ପ୍ରବାସୀଙ୍କ ଶ୍ରମିକଙ୍କ ଭିଡ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.