ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ, ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | May 22, 2020 IST

ମୁମ୍ବାଇ ୨୨।୦୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପ୍ରତି ଦିନ ନୂତନ ରେକର୍ଡ କରୁଛି। ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୪୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ କରୋନା କେସ୍। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪, ୫୮୨ ହୋଇଛି। ରାଜ୍ୟରେ ପୋଲିସ ମଧ୍ୟ କରୋନା ସହିତ ସଂଘର୍ଷ କରୁଛି। ମହାରାଷ୍ଟ୍ର ପୋଲିସର ୧୬୬୬ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇ ସାରିଛନ୍ତି, ଏଥିରୁ ୧୮ ଜଣଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଛି।

ରାଜ୍ୟରେ ଶୁକ୍ରବାର କରୋନା ସଂକ୍ରମଣରେ ୬୩ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ପ୍ରକାରରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୧୭କୁ ବୃଦ୍ଧି ଘଟିଛି। ଅଧିକାରୀଙ୍କ ଅନୁଯାୟୀ କ୍ରମାଗତ ଷଷ୍ଠ ଦିନ ରାଜ୍ୟରେ ପ୍ରତ୍ୟହ ୨୦୦୦ରୁ ଅଧିନ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ୧୨୫୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୦,୪୭୪ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ୩ ଲକ୍ଷ ୩୨ ହଜାର ୭୭୭ ଜଣଙ୍କ କରୋନା ଟେଷ୍ଟ ହୋଇ ସାରିଛି।

ମୁମ୍ବାଇରେ ୨୭ ହଜାର ଅତିକ୍ରମ କଲା ସଂକ୍ରମିତ ସଂଖ୍ୟା

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୧୭୫୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ମୁମ୍ବାଇରେ କରୋନା ସଂକ୍ରମିତ ସଂଖ୍ୟା ୨୭,୨୫୧ ହୋଇଛି। ରାଜ୍ୟରେ କରୋନା ଜନିତ ମୋଟ୍ ୧୫୧୭ ମୃତକଙ୍କ ମଧ୍ୟରୁ ୯୦୯ ଜଣ କେବଳ ମୁମ୍ବାଇର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.