ଔରଙ୍ଗାବାଦ ନାଁ ବଦଳେଇ ସଂଭାଜୀନଗର କରିବାକୁ କଂଗ୍ରେସ ଅମଙ୍ଗ, ଶିବ ସେନା ଖପ୍ପା

Published By : Prameya-News7 Bureau | January 02, 2021 IST

ମୁମ୍ବାଇ ୦୨/୦୧ : ମହାରାଷ୍ଟ୍ରରେ ସାଢେ ୩ ଶହ ବର୍ଷ ପୁରୁଣା ଇତିହାସକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ମୋଗଲ ଶାସକ ଔରଙ୍ଗଜେବ୍‌ ଏବଂ ମରାଠା ଶାସକ ଛତ୍ରପତି ଶିବାଜୀଙ୍କ ନାଁ କୁ ନେଇ ବିବାଦ ଦେଖାଦେଇଛି । ମହାରାଷ୍ଟ୍ରରେ ଶାସନରେ ଥିବା ମହାମେଣ୍ଟ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି ।

ସୂଚନା ଅନୁସାରେ ଶିବ ସେନା ମହାରାଷ୍ଟ୍ରର ସାଢେ ୩ ଶହ ବର୍ଷ ପୁରୁଣା ଔରଙ୍ଗାବାଦର ନାଁ ବଦଳାଇ ସଂଭାଜୀନଗର କରିବାକୁ ଚାହୁଁଛି । କିନ୍ତୁ ଏଥିରେ ସହମତି ପ୍ରକାଶ କରୁନି କଂଗ୍ରେସ । ଏହାକୁ ନେଇ ମହାମେଣ୍ଟରେ ଥିବା ୨ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ପୂର୍ବରୁ ଔରଙ୍ଗାବାଦର ନାଁ ଫତହନଗର ଥିଲା । ଔରଙ୍ଗଜେବ୍ ଏହାକୁ କବଜା କରିବା ପରେ ଏହାର ନାଁ ବଦଳାଇ ଔରଙ୍ଗାବାଦ ରଖିଥିଲେ । ଔରଙ୍ଗଜେବଙ୍କର ସମାଧି ମଧ୍ୟ ଔରଙ୍ଗାବାଦରେ ରହିଛି ।

୧୯୯୫ ମସିହାରେ ପ୍ରଥମେ ଶିବ ସେନା- ବିଜେପି ମେଣ୍ଟ ସରକାର ମହରାଷ୍ଟ୍ରରେ କ୍ଷମତାକୁ ଆସିବା ପରେ ତତକାଳୀନ ମୁଖ୍ୟମନ୍ତ୍ରୀ ମନୋହର ଜୋଶୀଙ୍କ କ୍ୟାବିନେଟ୍ ଔରଙ୍ଗାବାଦକୁ ସଂଭାଜୀନଗର କରିବା ପାଇଁ ପ୍ରସ୍ତାବ ପାର କରିଥିଲେ । କିନ୍ତୁ ଏହି ପ୍ରସ୍ତାବକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାର କିଛି ରାୟ ଶୁଣାଇବା ପୂର୍ବରୁ କ୍ଷମତାରେ ଥିବା ସରକାର ପରିବର୍ତ୍ତନ ହୋଇଯାଇଥିଲା ।

୧୯୯୯ ମସିହାରେ ଶିବ ସେନା-ବିଜେପି ମେଣ୍ଟ ବଦଳରେ କଂଗ୍ରେସ-ଏନସିପି ମେଣ୍ଟ କ୍ଷମତାକୁ ଆସିଥିଲେ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଳାସରାଓ ଦେଶମୁଖ ଦାୟିତ୍ବ ନେବା ପ​‌ରେ ନାଁ ବଦଳାଇବା ନେଇ ସରକାରଙ୍କ ପକ୍ଷକୁ ବଦଳାଇ ଦେଇଥିଲେ । ଏହା ପରେ ଔରଙ୍ଗାବାଦକୁ ସଂଭାଜୀନଗରେ ପରିବର୍ତ୍ତନ କରାଯାଇପାରିନଥିଲା । ତେବେ ବର୍ତ୍ତମାନ କ୍ଷମତାରେ ଥିବା ମହାମେଣ୍ଟ ଶିବ ସେନା-କଂଗ୍ରେସ-ଏନସିପି ସରକାରରେ ମଧ୍ୟ ଏନେଇ ତିକ୍ତତା ଦେଖାଦେଇଛି ।

ପୂର୍ବଭଳି କଂଗ୍ରେସ ଏହାକୁ ବିରୋଧ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଔରଙ୍ଗାବାଦର ନାଁ ବଦଳାଇ ସଂଭାଜୀନଗର କରିବା ପାଇଁ ଚାହୁଁଛି । ତେବେ ଆଗାମୀ ଦିନରେ ଏହାକୁ ନେଇ କଣ ସ୍ଥିତି ରହୁଛି ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.