ମହାରାଷ୍ଟ୍ର ଜନତାଙ୍କୁ ଚେତାଇଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କହିଲେ- ସୁନାମୀ ପରି ହେବ କରୋନାର ଦ୍ଵିତୀୟ ଲହରି

Published By : Prameya-News7 Bureau | November 22, 2020 IST

ମୁମ୍ବାଇ ୨୨।୧୧: ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ପାର୍ବଣ ପରେ ପରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି। ଦିଲ୍ଲୀ ପରେ କରୋନାର ଭୟାବହ ରୂପ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ସମ୍ବନ୍ଧରେ ଲୋକଙ୍କୁ ସତର୍କ କରାଇ କହିଛନ୍ତି ଯେ, କରୋନା ଭାଇରସ୍‌ର ଦ୍ଵିତୀୟ ଲହଡି ସୁନାମୀ ପରି ହେବ। ଏହା ଏକ ଗମ୍ଭୀର ଚିନ୍ତାର ବିଷୟ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ସ୍ଵାସ୍ଥ୍ୟ ସୁବିଧା ରହିଛି। ମାତ୍ର ଯେଉଁ ଲୋକ ଦୀର୍ଘ ଆଠ ମାସ ଧରି ଏହି କାମରେ ଲାଗିଛନ୍ତି ସେମାନଙ୍କ ଉପରୁ ମଧ୍ୟ ଚାପ କମ କରିବା ଉଚିତ୍। ଭ୍ୟାକସିନ ଏବେ ଆମ ହାତରେ ନାହିଁ। ମହାରାଷ୍ଟ୍ରର ଜନସଂଖ୍ୟା ୧୨ କୋଟି। ସଂକ୍ରମଣ ରୋକିବା ପାଇଁ ଦୁଇ ଡୋଜ୍ ଦରକାର ଅର୍ଥାତ ୨୪ କୋଟି ଡୋଜ୍। ଭ୍ୟାକସିନ ଲୋକଙ୍କ ପାଖକୁ ପହଞ୍ଚାଇବାରେ କେତେ ସମୟ ଲାଗି ଏହା ସ୍ପଷ୍ଟ ନାହିଁ। କିନ୍ତୁ ଏହାର ସମାଧାନ ହେଉଛି ସାମାଜିକ ଦୂରତ୍ଵ ବଜାୟ ରଖିବା ଓ ମାସ୍କ ପିନ୍ଧିବା। ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂପ୍ରତି ବହୁତ ଲୋକ ମାସ୍କ ପିନ୍ଧୁ ନାହାନ୍ତି ଯାହା ଚିନ୍ତାର ବିଷୟ।

କରାନା ସଙ୍କଟ ବେଳେ ରାଜନୀତି ହେବା ଉଚିତ୍ ନୁହେଁ। ଯେଉଁମାନେ କହୁଛନ୍ତି ଏହା ଖୋଲାଯାଉ, ତାହା ଖୋଲାଯାଉ, କଣ ସେମାନେ ଦାୟିତ୍ଵ ନେବେ ? କିଛି ଲୋକ ମୋତେ ରାତ୍ର କର୍ଫ୍ୟୁର ପ୍ରସ୍ତାବ ଦେଉଛନ୍ତି, ମାତ୍ର ମୋତେ ଲାଗୁଛି କିଛି ଜିନିଷ ପାଇଁ ଆଦେଶର ଆବଶ୍ୟକତା ନାହିଁ। ଯଦି ଆବଶ୍ୟକ ପଡୁନି ତେବେ ବାହାରକୁ ଯାଆନ୍ତୁ ନାହିଁ। ଏଥିପାଇଁ ମୁଁ ଅପିଲ୍ କରୁଛି  ଭିଡରୁ ନିବୃତ୍ତ ରୁହନ୍ତୁ ଏବଂ ଜରୁରୀ ସମୟରେ  ହିଁ ବାହାରକୁ  ଯାଆନ୍ତୁ ଏବଂ ମାସ୍କ ନିଶ୍ଚୟ ଲଗାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.