ସିଏମ ହାଉସ୍ ପର୍ଯ୍ୟନ୍ତ ପହଞ୍ଚିଲା କରୋନା, ଉଦ୍ଧବଙ୍କ ବଙ୍ଗଳାରେ ମୁତୟନ ଦୁଇ ପୋଲିସ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୦୪: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁମ୍ବାଇ ସ୍ଥିତ ସରକାରୀ ବାସଭବନରେ ମୁତୟନ ଦୁଇ ମହିଳା ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ପ୍ରତିଷେଧକ ଭାବେ ସେଠାରେ ଡ୍ୟୁଟି କରୁଥିବା ଆଉ ୬ ପୋଲିସ କର୍ମଚାରୀଙ୍କୁ କ୍ଵାରେଣ୍ଟାଇନ୍ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ ମାଲାବାର ସ୍ଥିତ ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନ ‘ବର୍ଷା’ରେ ଦୁଇ ଦିନ ପୂର୍ବେ ଜଣେ ସହାୟକ ପୋଲିସ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳ ମୁତୟନ ଥିଲେ।

ଯେବେ ଏହି ପୋଲିସ କର୍ମଚାରୀଙ୍କ ନମୂନା ନିଆଯାଇ ପରୀକ୍ଷା କରାଗଲା ତେବେ ରିପୋର୍ଟ ପଜିଟିଭ୍ ଆସିଲା। ଏହି ମହିଳା ପୋଲିସକର୍ମୀଙ୍କ ଯାଂଚ ରିପୋର୍ଟ ରବିବାର ଆସିଛି। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ବାନ୍ଦ୍ରା ସ୍ଥିତ ନିଜର ବାସଭବନରେ ରୁହନ୍ତି ଏବଂ ସରକାରୀ କାର୍ଯ୍ୟ ଲାଗି ବର୍ଷା ଯିବା ଆସିବା କରନ୍ତି।

{"id":258005,"sizeSlug":"large"}

ମାଲାବାରରେ ରହିଛି ମନ୍ତ୍ରୀଙ୍କ  ବାସଭବନ

ମାଲାବାର  ହିଲ୍ସରେ ଅନେକ ମନ୍ତ୍ରୀଙ୍କ ସରକାରୀ ବାସଭବନ ରହିଛି। ଏହି କାରଣରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ ଏଠାରେ ମୁତୟନ ଅନେକ ଅଧିକାରୀଙ୍କ ନମୂନା ନେଇ ଯାଞ୍ଚ ପାଇଁ ପଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇରେ କରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି। ଏପ୍ରିଲ ୯ରୁ ଏପ୍ରିଲ ୨୦ ମଧ୍ୟରେ କରୋନା ପ୍ରତିବନ୍ଧିତ କ୍ଷେତ୍ର ସଂଖ୍ୟାରେ ୧୧୩ ପ୍ରତିଶତ ବୃଦ୍ଧି ଘଟିଛି। ଏହା ୩୮୧ରୁ ବଢି ୮୧୩ରେ ପହଞ୍ଚିଛି। ମୁମ୍ବାଇରେ ଅଦ୍ୟାବଧି କରୋନା ଆକ୍ରାନ୍ତ ସଂଖ୍ୟା ୩୦୯୦ ରହିଛି ଯାହା ଏପ୍ରିଲ ୯ରେ ଏହି ସଂଖ୍ୟା ୭୭୫ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.