Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

Covid କଟକଣାରେ ଆରମ୍ଭ ହେଲା ମହାରାଷ୍ଟ୍ର ଗଣେଶୋତ୍ସବ, ଅନଲାଇନରେ ହେଉଛି ଦର୍ଶନ

22/08/2020 at 7:41 PM

ମୁମ୍ବାଇ ୨୨।୮: ଦେଶର ପୂଜା ପାର୍ବଣ ଉପରେ ଲାଗିଛି କରୋନା ଭାଇରସ ମହାମାରୀର ଗ୍ରହଣ। ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳି ଉପରେ କଡା କଟକଣା ଜାରି ହୋଇଛି। ଏହା ସତ୍ତ୍ୱେ ଶନିବାର ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ଗଣେଶୋତ୍ସବ। କୋଭିଡ କଟକଣା ରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କୁ ଅନଲାଇନରେ ବପ୍ପାଙ୍କ ଦର୍ଶନ ସୁବିଧା ପ୍ରଦାନ କରିଛନ୍ତି ପୂଜା କମିଟି।

ବିଭିନ୍ନ ପୂଜା କମିଟି ଏଥିଲାଗି ମୋବାଇଲ ଆପ୍ଲିକେସନ (ଆପ୍)ର ସାହାରା ନେଇଥିବା ବେଳେ ଲୋକଙ୍କୁ ଅନଲାଇନ ଆରତୀ ଓ ଦର୍ଶନ ଲାଗି ଆମନ୍ତ୍ରିତ କରୁଛନ୍ତି। ଲୋକେ ମଧ୍ୟ ଭିଡଭାଡରୁ ଦୂରରେ ଆପ୍ ଦ୍ୱାରା ପୂଜାର ଭରପୁର ମଜା ଉଠାଉଛନ୍ତି। ଗତବର୍ଷମାନଙ୍କ ଭଳି ଚଳିତବର୍ଷ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଗଣେଶ ପୂଜା ଲାଗି ସେପରି ଭିଡ ନଥିବା ବେଳେ ପୂଜା ପେଣ୍ଡଲକୁ ମଧ୍ୟ ଲୋକଙ୍କ ଗତାଗତ ନାହିଁ। ଏହା ସତ୍ତ୍ୱେ ୧୦ ଦିବସୀୟ ଗଣେଶୋତ୍ସବ ଆରମ୍ଭ ହୋଇଛି।

ଆଡଭର୍ଟାଇଜିଂ ଏଜେନ୍ସୀ ସହ ଜଡିତ ସବିତା ପାଟିଲ ଏଥର ପୂଜାରେ ନିଜର ବନ୍ଧୁ ଓ ପରିଜନଙ୍କୁ ଅନଲାଇନ୍‌ରେ ପୂଜା ନିମନ୍ତ୍ରଣ ପଠାଇଥିଲେ। ଯେପରି ବ୍ୟବସାୟୀକ କାର୍ଯ୍ୟ ଲାଗି ଜୁମ, ଗୁଗଲ ମିଟ ଆଦି ଆପ୍‌ର ଯେମିତି ସହାୟତା ନିଆଯାଉଛି ଠିକ୍ ସେମିତି ଗଣେଶ ପୂଜା ଲାଗି ମଧ୍ୟ ଏହି ସବୁ ଆପ୍ଲିକେସନର ଆମେ ଉପଯୋଗ କରୁଥିବା ସବିତା କହିଛନ୍ତି। ସାଧାରଣ ଦିନମାନଙ୍କରେ ଲୋକେ ପୂଜା ପେଣ୍ଡାଲକୁ ଯାଇ ଗଣପତିଙ୍କ ଦର୍ଶନ କରିବା ସହ ବନ୍ଧୁବାନ୍ଧବଙ୍କୁ ଭେଟୁଥିଲେ। ହେଲେ ଚଳିତବର୍ଷ ସେପରି ମାହୋଲ ନାହିଁ। ଲୋକେ ଘରୁ ହିଁ ପେଣ୍ଡାଲ ପୂଜା ଉପଭୋଗ କରୁଛନ୍ତି।

   Related Posts