ଅମିତ ଶାହଙ୍କୁ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷଙ୍କ ଚିଠି, ଅଜିତ ପାଓ୍ବାର ଏବଂ ମନ୍ତ୍ରୀ ଅନିଲ ପରବଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି

Published By : Prameya-News7 Bureau | June 30, 2021 IST

ମୁମ୍ବାଇ ୩୦/୬: ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟି (ବିଜେପି) ସଭାପତି ଚନ୍ଦ୍ରକାନ୍ତ ପାଟିଲ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଚନ୍ଦ୍ରକାନ୍ତ ପାଟିଲ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏବଂ ରାଜ୍ୟ ପରିବହନ ମନ୍ତ୍ରୀ ଅନିଲ ପରବଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ଏବେ ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଏବଂ ଏନସିପି ମେଣ୍ଟ ସରକାର ଅଛି। ରାଜ୍ୟରେ ଆଇନ୍‌ ବ୍ୟବସ୍ଥା ଧ୍ବସ୍ତ ହୋଇଥିବା ବେଳେ ରାଜ​‌ନୈତିକ କ୍ଷମତାର ଅପବ୍ୟବହାର ହେଉଛି ବୋଲି ଚିଠି ମାଧ୍ୟରେ ଅଭିଯୋଗ କରିଛନ୍ତି ଚନ୍ଦ୍ରକାନ୍ତ।

ବରଖାସ୍ତ ପୋଲିସ ଅଧିକାରୀ ସଚିନ ବାଜେଙ୍କ ପତ୍ରର ଉଦାହରଣ ଦେଇ ସେ ଲେଖିଛନ୍ତି, ଚାନ୍ଦା ଆଦାୟରେ ଏହି ଦୁଇ ନେତାଙ୍କ ନାଁ ବାଜେ ଉଲ୍ଲେଖ କରିଥିବାରୁ ଏମାନଙ୍କ ବିରୋଧରେ ସିବିଆଇ ଯାଞ୍ଚ ହେଉ। ଦୁଇ ନେତାଙ୍କ ବିରୋଧରେ ସିବିଆଇ ଯାଞ୍ଚ ହେଉ ବୋଲି ୧ କୋଟି ଲୋକ ଏବଂ ୧୦ ଲକ୍ଷ ରାଜ୍ୟ ବିଜେପି ସଦସ୍ୟ  ଚାହୁଁଥିବା ଲେଖିଛନ୍ତି ଚନ୍ଦ୍ରକାନ୍ତ।

ଏହା ସହ ବାଜେଙ୍କୁ ଜବରଦସ୍ତି ବଟି ଆଦାୟ ପାଇଁ କୁହାଯାଇଥିଲା। ଏନେଇ ସେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏବଂ ମନ୍ତ୍ରୀ ଅନିଲ ପରବଙ୍କ ନାଁ ମଧ୍ୟ ନେଇଥିଲେ। ଏବେ ସିବିଆଇ ଦୁଇ ନେତାଙ୍କୁ ନେଇ ଥିବା ଅଭିଯୋଗର ଯାଞ୍ଚ କରୁ ବୋଲି ସେ ଦାବି କରିଛନ୍ତି। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରବବୀର ସିଂହଙ୍କ ଚିଠି ଆଧାରରେ ଅନିଲ ଦେଶମୁଖଙ୍କୁ ସିବିଆଇ ପଚରା ଉଚରା କରୁଛି । ସେହିଭଳି ବାଜେଙ୍କ ଅଭିଯୋଗ ଆଧାରରେ ଅଜିତ ପାଓ୍ବାର ଏବଂ ଅନିଲ ପରବଙ୍କୁ ବିରୋଧରେ ସିବିଆଇ ତଦନ୍ତ କରିବା ଦରକାର ବୋଲି ଚନ୍ଦ୍ରକାନ୍ତ ପାଟିଲ ଚିଠିରେ ଲେଖିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ଅଜିତ ପାଓ୍ବାରଙ୍କ ବିରୋଧରେ ତଦନ୍ତ କରିବାକୁ ଦାବି କରିଥିଲା ବିଜେପି। ଏବେ  ରାଜ୍ୟ ବିଜେପି ସଭାପତି ସିଧା ସଳଖ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଅଜିତ ପାଓ୍ବାର ଏବଂ ଅନିଲ ପରବଙ୍କୁ ସିବିଆଇ ଜେରା କରୁ ବୋଲି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.