ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର : ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପନିଂ କରୁଛନ୍ତି ତୁଙ୍ଗ ନେତା
19/10/2019 at 10:24 AM

ନୂଆଦିଲ୍ଲୀ ୧୯।୧୦: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ ଓ ସୋମବାର ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ଦୁଇ ରାଜ୍ୟରେ ରାଜନୈତିକ ଦଳମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନେତାମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।
ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ମୋଟ ୩ ହଜାର ୨୩୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦୭ ଜଣ କୋଟିପତି ପ୍ରାର୍ଥୀ ଓ ୯୧୬ଙ୍କ ନାମରେ ଅପରାଧିକ ମାମଲା ଥିବା ଜଣାପଡିଛି । ମହାରାଷ୍ଟ୍ର ଇଲେକସନ ୱାଚ ଏବଂ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ୍(ଏଡିଆର) ପକ୍ଷରୁ ୩୧୧୨ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଏହି ରିପୋର୍ଟ ଜାରି କରାଯାଇଛି ।
ରିପୋର୍ଟ ଅନୁସାରେ ୯୧୬ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦୦ ପ୍ରାର୍ଥୀଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ଚାଲିଛି । ୪ ଜଣ ପ୍ରାର୍ଥୀଙ୍କ ନାମରେ ଦୁଷ୍କର୍ମ ଏବଂ ୬୭ ପ୍ରାର୍ଥୀଙ୍କ ନାମରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ମାମଲା ରହିଛି। ଅନ୍ୟ ୧୨୫ ପ୍ରାର୍ଥୀଙ୍କ ସଂପର୍କରେ ସତ୍ୟପାଠରୁ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ।