ଅବଢା କଳାବଜାରି ! ମନଇଚ୍ଛା ଦର ହାଙ୍କୁଛନ୍ତି ଅବଢା ବିକ୍ରେତା, ଭକ୍ତଙ୍କୁ ବାଧୁଛି ଚଢା ଦାମ୍
10/11/2018 at 11:14 AM

ପୁରୀ ୧୦|୧୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମହାପ୍ରସାଦ ପାଇବାକୁ ସମସ୍ତଙ୍କ ଆଗ୍ରହ । ଲୋକଙ୍କ ଏହି ଦୁର୍ବଳତାରୁ ଫାଇଦା ଉଠାଯାଉଛି । ଆନନ୍ଦବଜାରରେ ଅବଢା ବିକ୍ରେତାମାନେ ମନ ଇଛା ଦର ହାଙ୍କୁଛନ୍ତି । ପାଟିରୁ ଯାହା ବାହାରିଲା ତାହାହିଁ ଦର । ଯୁକ୍ତି କଲେ ଖରାପ ବ୍ୟବହାରର ଭୟ । ଦର୍ଶନ ପରେ ଶ୍ରଦ୍ଧାଳୁମାନେ ଆନନ୍ଦବଜାରରେ ଶୋଷଣର ଶିକାର ହେଉଛନ୍ତି । ଜଣେ ୧୩୦ ଟଙ୍କା ଦେଲେ ମଧ୍ୟ ପେଟପୁରା ଖାଇପାରୁନି । ମାସେ ତଳେ ୮୦ ଟଙ୍କାରେ ଅବଢା, ଡାଲି ଓ ଗୋଟିଏ ତରକାରି ପେଟପୁରା ଖାଇ ହେଉଥିଲା ।
ଏବେ ଆନନ୍ଦବଜାର ଯିବାକୁ ଡରୁଛନ୍ତି ଭକ୍ତ । ଶ୍ରଦ୍ଧାଳୁଙ୍କୁ ବାଧୁଛି ଅନ୍ନପ୍ରସାଦ ଦର । କାର୍ତ୍ତିକ ମାସରେ ଦର ଅଧିକ ବେଲଗାମ ହୋଇଯାଇଛି । ଅବଢା ଗଣ୍ଡେ ପେଟପୁରା ଖାଇପାରୁନାହାନ୍ତି ହବିଷ୍ୟାଳି । ଶ୍ରଦ୍ଧାଳୁ ମଧ୍ୟ ୨ ଗୁଣା ଦରରେ ଅବଢା କିଣୁଛନ୍ତି । ପୂର୍ବରୁ ନିଷ୍ପତ୍ତି ହୋଇଥିଲା ଭକ୍ତଙ୍କୁ ଶୋଷଣରୁ ରକ୍ଷା ପାଇଁ ଆନନ୍ଦବଜାରରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିବ । ସେଠାରେ ସୂପକାରଙ୍କ ସହ ମନ୍ଦିର କର୍ମଚାରୀ ରହିବେ । ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆନନ୍ଦବଜାରରେ ନିୟୋଜିତ କରାଯିବ । କିନ୍ତୁ ଆନନ୍ଦବଜାରରେ ରହୁନାହାନ୍ତି ମନ୍ଦିର କର୍ମଚାରୀ । ପୁଣି ମହାପ୍ରସାଦ ଦର ତାଲିକା ମଧ୍ୟ ଧାର୍ଯ୍ୟ ହୋଇପାରିନି ।
ଗତ ମାସରେ ତରବରିଆ ଭାବେ ଲାଗିଲା ଦର ତାଲିକା । ତା ପରେ ଦର ତାଲିକା ଅଧିକା ଥିବା ଅଭିଯୋଗ ହେବାରୁ ତାହାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିନାହିଁ । ଆନନ୍ଦବଜାରରେ ମହାପ୍ରସାଦ ଦରକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ମହାପ୍ରସାଦ ବରାଦ ଦେଇ ନେଉଥିବା ଅବଢା ଦର ମଧ୍ୟ ଚଢା ରହୁଛି । ଗହଳିକୁ ଦେଖି ଦର ଉଚ୍ଚା ହେଉଛି । ଭୋଗ ସରିବା ମାତ୍ରେ ପହଞ୍ଚୁଥିବା ଭକ୍ତକୁ ଶହେ ଟଙ୍କାର ଜିନିଷ ୨ ଶହ ଟଙ୍କାରେ କିଣିବାକୁ ପଡୁଛି । ମହାପ୍ରସାହ ପାଇବାରେ ମଧ୍ୟ କଳାବଜାରୀ । ଗରମ ଥିଲେ ଦାମ ଡବଲ ଦେବାକୁ ପଡୁଛି । ଥଣ୍ଡା ହେଲେ ଦର କମି ଯାଉଛି । ଆନନ୍ଦବଜାରରେ ମାଳ ମାଳ ଦଲାଲ ବୁଲୁଛନ୍ତି । ଅବଢା କଳାବଜାରି କରୁଛନ୍ତି ।