ଚକାନୟନଙ୍କ ନେତ୍ରୋତ୍ସବ
13/07/2018 at 7:57 AM

ଆଷାଢ଼ ଶୁକ୍ଲପକ୍ଷର ପ୍ରଥମ ଦିବସରେ ନେତ୍ରୋତ୍ସବର ଆୟୋଜନ ହୋଇଥାଏ | ଭକ୍ତ ପ୍ରାଣସିନ୍ଧୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନ ପୁର୍ଣିମା ଦିନ ଠାରୁ ୧୦୮ ଗରା ଜଳ ସ୍ନାନ କରି ଜ୍ୱରରେ ପୀଡିତ ହୋଇଥାନ୍ତି | ଏହି ବ୍ୟାଧି ଲୀଳା ନୀତି ଅନୁଷ୍ଠିତ ହୁଏ ଶ୍ରୀମନ୍ଦିର ଅଣସର ପିଣ୍ଡିରେ | ଅଣସର ନିୟମ ଅନୁସାରେ ଭରା ଅମାବାସ୍ୟା ରାତିର ଶେଷ ପ୍ରହରରେ ପଟିଦିଅଁ ମାନଙ୍କୁ ଆଳତି ଅବକାଶ କରାଯାଇ ସ୍ଥାନାନ୍ତର କରାଯାଏ | ତାହାପରେ ସାହାଣ ମେଳା କରାଯାଇ ହୋମ ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ଲୁଜ ପରେ ମହାସ୍ନାନ ବିଧି ପାଳିତ ହୁଏ | ମହାସ୍ନାନରେ ଦିଅଁମାନଙ୍କ ସମ୍ମୁଖରେ ତିନୋଟି କଳସ ସ୍ଥାପନ କରାଯାଏ | କଳସ ପୂଜାରେ ଠାକୁରମାନଙ୍କର ପଞ୍ଚାମୃଦରେ ଯଥାବିଧି ମହାସ୍ନାନ ହୁଏ | ଏହା ପରେ ଠାକୁରମାନଙ୍କର ନେତ୍ରଦାନ ମନ୍ତ୍ରରେ ନେତ୍ରୋତ୍ସବ ବିଧି ପାଳିତ ହୁଏ | ତିନି ଠାକୁରଙ୍କୁ ତିନି ଜଣ ପୂଜାପଣ୍ଡା ଦତ୍ତମହାପାତ୍ର ଦେଇଥିବା ତୁଳିକାଠିରେ ସ୍ୱତନ୍ତ୍ର ନେତ୍ରଦାନ କରାଯିବ ପରେ ବନ୍ଦାପନା ହୁଏ | ବନ୍ଦାପନା ପରେ ଠାକୁରମାନଙ୍କୁ ବେଶ କରାଯାଏ | ଏ ସମସ୍ତ କାର୍ଯ୍ୟ ଅନବସର ଚକା ଉପରେ ଅନୁଷ୍ଠିତ ହୋଇଥାଏ | ନେତ୍ରୋତ୍ସବ ପରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ହୃଦୟରେ ବ୍ୟଗ୍ରତା ବଢିଥାଏ | ମହାପ୍ରଭୁଙ୍କର ଏହି ଅନବସର ବିଗ୍ରହ ପରବର୍ତ୍ତୀ ମିଳନର ମୁହୂର୍ତ୍ତ ବାସ୍ତବିକ ହୃଦୟସ୍ପର୍ଶୀ |