ନାଗାର୍ଜୁନ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ଲାଗି ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି, ଏପଟେ ପ୍ରଶାସନ ପକ୍ଷରୁ ପୂର୍ବ ନିଷ୍ପତ୍ତି ଭିତ୍ତିରେ ପ୍ରସ୍ତୁତି ଜାରି

Published By : Prameya-News7 Bureau | November 24, 2020 IST

ପୁରୀ ୨୪/୧୧ : ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବା ଲାଗି ଆଜି ହାଇକୋର୍ଟରେ ଏକ ମାମଲାର ଶୁଣାଣି ହୋଇଥିଲା। ସେପଟେ ବିନା ଭକ୍ତରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଜାରି ରଖିଛି। ଏନେଇ ଆଜି ଛତିଶାନିଯୋଗ ବୈଠକରେ ଏ ବାବଦରେ ଆଲୋଚନା ହୋଇଛି। ସେପଟେ ତୁରୁନ୍ତ ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରୁ ଦାବି ବଢ଼ିବାରେ ଲାଗିଛି.

୨୭ ତାରିଖରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ। ୨୫ ବର୍ଷ ପରେ ପଡୁଛି ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ।  ରତ୍ନ ସିଂହାସନରେ ମହାବାହୁ ନାଗାର୍ଜୁନ ବେଶରେ ସିନା ସଜ୍ଜିତ ହେବେ ହେଲେ ଭକ୍ତ କିନ୍ତୁ ଦେଖିପାରିବେ ନାହିଁ। ପୁଣି ବଞ୍ଚିଥିଲେ ଆଉ କେବେ ଏ ବେଶ ପଡ଼ିବ ଯେ ଶ୍ରୀଜୀଉଙ୍କ ଏହି ଅନନ୍ୟ ବେଶର ଦର୍ଶନ ମିଳିପାରିବ ଏମିତି ଭାବି ଭକ୍ତ ନିରାଶ। ସେପଟେ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବା ଲାଗି ହାଇକୋର୍ଟରେ ପ୍ରତିଜବାବ ଦାଖଲ କରାଯାଇଛି। ଯେହେତୁ ରାଜ୍ୟର କୌଣସି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ନାହିଁ । କରୋନା ମାମଲା କମିବାରେ ଲାଗିଛି। ଦେଶର ଅନ୍ୟସ୍ଥାନରେ ମନ୍ଦିର ଖୋଲିଲାଣି ତେଣୁ ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନ କରିବାକୁ ଅନୁମତି ଦେବା ଲାଗି ଆବେଦନରେ ଦର୍ଶାଯାଇଛି।

ଆଉ ଦୁଇଦିନ ରହିଲା। ଶୁକ୍ରବାର ମହାପ୍ରଭୂଙ୍କ  ଦୁର୍ଲଭ ବେଶ ସଂପନ୍ନ ହେବ। ଏଥିପାଇଁ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିଲା। ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ହୋଇଛି। ନିଷ୍ପତ୍ତି ଅନୁଯାୟୀ ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କୁ ଏକ ଶୋଭାଯାତ୍ରାରେ ରାତି ୨ଟାରୁ ହରଚଣ୍ଡି ସାହି ଚକ୍ରକୋଟ ଜାଗାରୁ ଶ୍ରୀମନ୍ଦିରକୁ ଅଣାଯିବ। ଭୋର ପ୍ରାୟ ୪ ଟାରେ ସିଂହାରୀ ସେବାୟତ ମାନେ ଏହି ବେଶକୁ ମହାପ୍ରଭୁଙ୍କୁ ଲାଗି କରିବେ। ସକାଳ ୭ଟାରେ ବେଶ ଶେଷ ହେବ। ଅପରାହ୍ନ ୨ ଟାରେ ବେଶକୁ ଓଲାଗି ହେବ । ପରମ୍ପରା ନଥିବାରୁ ପତିତପାବନଙ୍କର ମଧ୍ୟ ବେଶ ହେବ ନାହିଁ । ଚଳିତବର୍ଷ ନାଗାର୍ଜୁନ ବେଶକୁ ସଂଗ୍ରହାଳୟରେ ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି।

ମହାପ୍ରଭୁଙ୍କ ବେଶ ଭାଇରାଲ ହେବା ଆଶଙ୍କା ଥିବାରୁ ଶ୍ରୀମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ କରାଯାଇଛି। ସେହିପରି ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.