ମହନ୍ତ ନରେନ୍ଦ୍ର ଗିରି ଓଡ଼ିଶାର, ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଛାଡିଥିଲେ ଘର..

Published By : Prameya-News7 Bureau | September 30, 2021 IST

ଭୋଗରାଇ ୩୦।୦୯: ମହନ୍ତ ନରେନ୍ଦ୍ର ଗିରି ଥିଲେ ଜଣେ ଓଡ଼ିଆ । ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ତଥା ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରି ଥିଲେ ଜଣେ ଓଡ଼ିଆ । ପ୍ରୟାଗରାଜରେ ଥିବା ବାଗାମ୍ବରୀ ମଠ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଏହି ରୋଚକ ଖବର ଆସିଛି । ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପାଣିଷଣ୍ଡା ଗାଁରେ । ୫୨ ବର୍ଷ ପୂର୍ବେ ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ନରେନ୍ଦ୍ର ବାପାଙ୍କ ଉପରେ ଅଭିମାନ କରି ଘର ଛାଡ଼ିଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଖବର ଅନୁଯାୟୀ,  ମହନ୍ତ ନରେନ୍ଦ୍ର ଗିରିଙ୍କ ପିଲା ବେଳୁ ତାଙ୍କ ବାମ ପାଶ୍ୱର୍ ଆଖିପତା ଉପରେ ଏକ କ୍ଷତଚିହ୍ନ ଅଛି । ୧୦ ବର୍ଷ ପୂର୍ବରୁ ସେ ଗାଁକୁ ଆସିଥିଲା ବେଳେ ସେହି କ୍ଷତ ଚିହ୍ନ ରହିଥିଲା ବୋଲି ତାଙ୍କ ପରିବାର ସଦସ୍ୟମାନେ କହିଛନ୍ତି । ଏହାସହିତ ତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଶାସ୍ତି ବିଧାନ ପାଇଁ ପରିବାର ପକ୍ଷରୁ ମଧ୍ୟ ଦାବି ହୋଇଛି । ରାଜ୍ୟ ସରକାର ଏ ଦିଗରେ ଉଦ୍ୟମ ଆରମ୍ଭ କଲେ ପରିବାର ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଦିବଂଗତ ମହନ୍ତ ନରେନ୍ଦ୍ର ଗିରିଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ଓ ଲକ୍ଷ୍ମୀକାନ୍ତ ପ୍ରକାଶ କରିଛନ୍ତି ।

ପାଣିଷଣ୍ଡା ଗ୍ରାମର ସନାତନ ଗିରି ଓ ରମାମଣୀ ଗିରିଙ୍କ ବଡ଼ପୁଅ ନରେନ୍ଦ୍ର ଗିରି ସୁଖଷଣ୍ଡା ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ସମାପ୍ତ ପରେ ନିକଟସ୍ଥ କାଳାହୀ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍‌ କରିଥଲେ । ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ସେହିଠାରେ ତାଙ୍କର ପାଠପଢ଼ାରେ ରୋକ୍ ଲାଗିଥିଲା। ବାପା ସନାତନ ନିକଟସ୍ଥ ଦେଉଳା ହାଟରେ ପରିବା ଦୋକାନ କରିଥିଲା ବେଳେ ସେ ତାଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କ ତଳକୁ ଭଉଣୀ ବାସନ୍ତୀ ବେହେରା ସେହି ଗ୍ରାମରେ ବିବାହ କରିଛନ୍ତି । ଭାଇ ପୂର୍ଣ୍ଣଚନ୍ଦ୍ର ଗିରି ଏବଂ ଲକ୍ଷ୍ମୀକାନ୍ତ ଗିରି ଏବେ ପାଣିଷଣ୍ଡାରେ ରହୁଛନ୍ତି । ଅନ୍ୟ ଦୁଇ ଭଉଣୀ ଗୁରୁବାରୀ ଜେନା ଓ ସନିଆ ପାତ୍ର ବିବାହ କରି ଯଥାକ୍ରମେ ଭୋଗରାଇ ବ୍ଲକ ଅନ୍ତର୍ଗତ ଅନଳିଆ ଏବଂ ପଶ୍ଚିମବଙ୍ଗ ରାମନଗର ଥାନା ଅନ୍ତର୍ଗତ ବାଖାରପୁର ଗାଁରେ ରହୁଛନ୍ତି ।

ତେବେ ଆଜକୁ ପ୍ରାୟ ୫୪ ବର୍ଷ ତଳେ ନରେନ୍ଦ୍ରକୁ ମାତ୍ର ୨୦ ବର୍ଷ ବୟସ ହୋଇଥାଏ । ତାଙ୍କ ବିବାହ ପାଇଁ ପଶ୍ଚିମବଙ୍ଗ କାଳୀନଗର ଅଞ୍ଚଳରୁ ଏକ ପ୍ରସ୍ତାବ ଆସିଥିଲା ବେଳେ କନ୍ୟା ପସନ୍ଦ ନହେବାରୁ ବାପା ମନା କରିଦେଇଥିଲେ । ହେଲେ ତାଙ୍କ ଘରପାଖ ଜନୈକ ଯୁବକ ସେହି ଝିଅକୁ ବିବାହ ହୋଇଥିଲେ । ସେତେବେଳକୁ ନରେନ୍ଦ୍ରଙ୍କ ନିଜ ବଡ଼ବାପା ପୁଅ ଭାଇ କାର୍ତ୍ତିକ ଗିରିଙ୍କ ବୟସ ୧୮ ବର୍ଷ ହୋଇଥିଲେ ମଧ୍ୟ ତାଙ୍କର ବିବାହ ହୋଇସାରିଥିଲା । ଏହାକୁ ନେଇ ବାପା ସନାତନଙ୍କ ଉପରେ ଅଭିମାନ କରି ଭାଦ୍ରବ ମାସ ରାକ୍ଷୀପୂର୍ଣିମା ପରଦିନ ରବିବାର ମଧ୍ୟାହ୍ନରେ ନରେନ୍ଦ୍ର ଦେଉଳା ହାଟ ପରିବା ଦୋକାନକୁ ଯିବା ବାହାନାରେ ଘର ଓ ପରିବାର ଛାଡ଼ି କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଥିଲେ ।

ସେତେବେଳକୁ ଭଉଣୀ ବାସନ୍ତୀଙ୍କ ବିବାହ ସରିଥିଲ । ସାନ ଭାଇ ପୂର୍ଣ୍ଣଚନ୍ଦ୍ରକୁ ୧୨ ବର୍ଷ ଓ ଲକ୍ଷ୍ମୀକାନ୍ତକୁ ମାତ୍ର ୪ ବର୍ଷ ବୟସ ହୋଇଥିଲା । ଦୁଇ ସାନଭଉଣୀ ଗୁରୁବାରୀ, ସନିଆ ଜନ୍ମ ହୋଇନଥିଲେ । ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାରେ ବାପା ସନାତନଙ୍କ ସମସ୍ତ ଜମିବାଡ଼ି ବିକ୍ରି ହୋଇଯାଇଥିଲା । ନରେନ୍ଦ୍ରଙ୍କୁ ଝୁରି ଝୁରି ବାପା ସନାତନ ଅସୁସ୍ଥ ହେବା ସହ ଆଖି ବୁଜିଥିଲେ । ଆଜକୁ ୧୦ ବର୍ଷ ତଳେ କାର୍ତ୍ତିକ ମାସରେ ମାଆ ରମାମଣୀଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି । ମା’ଙ୍କ ମୃତ୍ୟୁର ମାସକ ପରେ ପୂର୍ଣ୍ଣଚନ୍ଦ୍ର ସାନଭଉଣୀ ସନିଆଙ୍କ ବାଖାରପୁର ସ୍ଥିତ ଗାଁକୁ ଆସିଥିଲେ । ସେଠାରୁ ଘରକୁ ଫେରିବା ସମୟରେ ନରେନ୍ଦ୍ରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ବାବାଜୀ ବେଶରେ ସେ ଥିବାରୁ ତାଙ୍କୁ ଚିହ୍ନିପାରିନଥିଲେ । କିଛିଦିନ ପାଇଁ ଆଶ୍ରୟ ନେଇଥିବା ନରେନ୍ଦ୍ରଙ୍କ ସହିତ ତାଙ୍କ ସାନଭଉଣୀ ସନିଆର ପରିଚୟ ହୋଇଥିଲା ।

ବହୁ ଅନୁରୋଧ ପରେ ସେ ତାଙ୍କ ଘରକୁ ଯାଇ ୩ ଦିନ ରହିଥିଲେ । ଖବର ପାଇ ପୂର୍ଣ୍ଣଚନ୍ଦ୍ର ସେଠାରେ ପହଞ୍ଚି ବଡ଼ଭାଇ ନରେନ୍ଦ୍ରକୁ ଘରକୁ ନେଇଆସିଥିଲେ । ଉତ୍ତରପ୍ରଦେଶର ଅଯୋଧ୍ୟା ଲକ୍ଷ୍ମଣଝୁଲା ମଠରେ ରହୁଥିବା ଭୋଗରାଇ ବ୍ଲକ ବାଡ଼ସରିଷା ଗ୍ରାମର ସୁବଲ ଜେନା ମଧ୍ୟ ତାଙ୍କ ସହିତ ଆସିଥିଲେ । ୧୫ ଦିନ ରହଣି ସମୟରେ ସେ ଗାଁର ପ୍ରାୟ ସମସ୍ତଙ୍କୁ ଚିହ୍ନିବା ସହ ଗାଁରେ ରହୁଥିବା ସମୟର ସମସ୍ତ ଘଟଣା ସଠିକ ଭାବେ ବର୍ଣ୍ଣନା କରିଥିଲେ । ଭଉଣୀ ବାସନ୍ତୀଙ୍କ ଘରେ ମଧ୍ୟ ୩ ଦିନ ରହିଥିଲେ । ଏହାର ବର୍ଷେ ପୂର୍ବରୁ ସେ ଗାଁକୁ ଆସିଥିବା ବେଳେ ମାଆ ରମାମଣୀଙ୍କ ଠାରୁ ଭିକ୍ଷା ନେଇଥିଲେ । ଅଢେଇ ମାସ ପରେ ପୁଣି ଘରକୁ ଆସି ୫ ଦିନ ରହିଥିଲେ । ଏହାର ଦେଢମାସ ପରେ ପୁଣି ଘରକୁ ଆସି ୩ ଦିନ ରହିଥିଲେ । ସେହି ସମୟରେ ସେ ବାଗାମ୍ବରୀ ମଠର ମହନ୍ତ ହେବାକୁ ଯାଉଛନ୍ତି ବୋଲି ପ୍ରକାଶ କରିବା ସହ ଭାଇ ୨ଜଣଙ୍କୁ ସେଠାକୁ ବୁଲାଇ ନେବେ ବୋଲି କହିଥିଲେ । ହେଲେ ସେ ସମୟରେ ପୂର୍ଣ୍ଣଚନ୍ଦ୍ର ଏବଂ ଲକ୍ଷ୍ମୀକାନ୍ତ ଭାଇ ନରେନ୍ଦ୍ରଙ୍କ ସହିତ ଯିବାକୁ ରାଜି ହୋଇ ନଥିଲେ । ମଠର ମହନ୍ତ ହେବା ପରେ ତାଙ୍କ ସହିତ ଆଉ ଯୋଗାଯୋଗ ହୋଇ ନଥିବା ପରିବାର ଲୋକେ କହିଛନ୍ତି । ପରେ ଟିଭିରୁ ତାଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ ଏବଂ ଟିଭି ପର୍ଦ୍ଦାରେ ତାଙ୍କ ଫଟୋ ଦେଖି ଚିହ୍ନଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.