ଲକ୍ଷ୍ନୌ ୧୨।୧୧: ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଭାପତି ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଗୁରୁତର ରହିଛି। ମେଡାଣ୍ଟ ହସ୍ପିଟାଲ ନିର୍ଦ୍ଦେଶକ ଡା. ରାକେଶ କପୁର ଗୁରୁବାର ସ୍ୱାସ୍ଥ୍ୟ ବୁଲେଟିନ ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତି ଯଦିଓ ଗୁରୁତର ତଥାପି ନିୟନ୍ତ୍ରଣରେ ରହିଛି।
ଆଜି ମହନ୍ତ ନିଜେ ପରିଶ୍ରା କରିଛନ୍ତି। ତାଙ୍କୁ ବିଶେଷଜ୍ଞ ଟିମଙ୍କ ଦେଖରେଖରେ ରଖାଯାଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାର ପ୍ରତିଟି ପରିବର୍ତ୍ତନ ଉପରେ ନଜର ରଖା ଯାଇଥିବା ଡା. କପୁର କହିଛନ୍ତି। ଗତ ନଭେମ୍ବର ୯ ତାରିଖ ଦିନ ମହନ୍ତ ନିଶ୍ୱାସ ନେବାରେ ସମସ୍ୟା ହେଉଥିବାର ଅଭିଯୋଗ କରିଥିଲେ। ତାଙ୍କୁ ତୁରନ୍ତ ମେଡାଣ୍ଟ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ମୁତ୍ରାଶୟ ସକ୍ରିୟା ହୋଇଥିବାରୁ ସ୍ୱାସ୍ଥ୍ୟାବସ୍ଥାରେ ଅନ୍ୟ ସୁଧାର ମଧ୍ୟ ଧିରେ ଧିରେ ହେବ ବୋଲି ଡାକ୍ତର ଆଶାବ୍ୟକ୍ତ କରୁଛନ୍ତି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କାମ କରାଉଛନ୍ତି। ଏଥିରେ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ମହନ୍ତ ନୃତ୍ୟଗୋପାଳ ଦାସଙ୍କ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ ରହିଛି।