ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା : ଆନନ୍ଦ ଗିରି ସମେତ ୩ଅଭିଯୁକ୍ତଙ୍କ ସାତ ଦିନିଆ ସିବିଆଇ ରିମାଣ୍ଡକୁ ମଞ୍ଜୁରୀ

Published By : Prameya-News7 Bureau | September 27, 2021 IST

ଲକ୍ଷ୍ନୌ ୨୭/୦୯ : ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଆନନ୍ଦ ଗିରିଙ୍କ ସମେତ ତିନି ଅଭିଯୁକ୍ତଙ୍କୁ ୭ ଦିନିଆ ସିବିଆଇ ରିମାଣ୍ଡରେ ନିଆଯିବ । ସିବିଆଇର ଆବେଦନ ପରେ ୩ ଜଣଙ୍କୁ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରୟାଗରାଜ ସିଜେଏମ୍ କୋର୍ଟ। ରିମାଣ୍ଡରେ ନେବା ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ତିନି ଅଭିଯୁକ୍ତ ଆନନ୍ଦ ଗିରି, ଆଧ୍ବା ତିୱାରୀ ଏବଂ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କୁ ଜେରା କରିଛନ୍ତି କୋର୍ଟ । ଏହି ତିନି ଅଭିଯୁକ୍ତ ରିମାଣ୍ଡକୁ ବିରୋଧ କରିନାହାନ୍ତି ବରଂ ଦୁଇ କିମ୍ବା ତିନି ଦିନର ରିମାଣ୍ଡ ପାଇଁ ଅନୁମତି ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ।

ରିମାଣ୍ଡ ଅବଧି ବେଳେ ଥାର୍ଡ ଡିଗ୍ରୀ ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ତିନିଜଣଙ୍କୁ ଜେଲରୁ ନେବା ଏବଂ ରିମାଣ୍ଡ ପରେ ଆଣିବା ବେଳେ ମେଡିକାଲ ଟେଷ୍ଟ କରାଯିବ ବୋଲି କୋର୍ଟ କହିଛନ୍ତି । ରିମାଣ୍ଡ ଅବଧି ୨୮ ସେପ୍ଟେମ୍ବର ସକାଳ ୯ ଟାରୁ ୪ ଅକ୍ଟୋବରରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ତିନିଜଣଙ୍କ ରିମାଣ୍ଡକୁ ନେଇ ଅଭିଯୁକ୍ତଙ୍କ ଓକିଲ ଏବଂ ସିବିଆଇ ମଧ୍ୟରେ ଦୀର୍ଘ ସମୟ ଯୁକ୍ତିତର୍କ ଜାରି ରହିଥିଲା । କୋର୍ଟରେ ଆନନ୍ଦ ଗିରିଙ୍କ ଓକିଲ ସିବିଆଇ ହେପାଜତକୁ ବିରୋଧ କରିଥିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଆନନ୍ଦ ଗିରି ଏବଂ ତାଙ୍କ ଅନ୍ୟ ୨ ଜଣଙ୍କୁ ପଚରାଉଚରା କରାଯାଉ ବୋଲି ଯୁକ୍ତି ବାଢିଥିଲେ ।

ସପ୍ତାହେ ପୂର୍ବରୁ ବାଘମ୍ବରୀ ମଠରୁ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହା ସହିତ ମୃତଦେହ ନିକଟରୁ ଏକ ହାତଲେଖା ଚିଠି ମଧ୍ୟ ଜବତ ହୋଇଥିଲା । ଏଥିରେ ଶିଷ୍ୟ ଆନନ୍ଦ ଗିରିଙ୍କ ବ୍ୟତୀତ ହନୁମାନ ମନ୍ଦିରର ପୁରୋହିତ ଆଧ୍ବା ତିୱାରୀ ଏବଂ ତାଙ୍କ ପୁଅ ସନ୍ଦୀପ ତିୱାରୀ ହଇରାଣ କରୁଥିବା ଉଲ୍ଲେଖ ରହିଥିଲା । ସୁଇସାଇଡ୍‌ ନୋଟରେ ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ଜଣେ ଯୁବତୀଙ୍କ ସହ ଆପତ୍ତିଜନକ ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିବା ମଧ୍ୟ ଲେଖିଥିଳେ । ପୋଲିସ ସେହି ଦିନ ହିଁ ଆନନ୍ଦ ଗିରିଙ୍କୁ ହରିଦ୍ୱାରରୁ ଗିରଫ କରିଥିଲା । ପରଦିନ ଆଧ୍ବା ତିୱାରୀ ଏବଂ ତାଙ୍କ ପୁଅ ସନ୍ଦୀପଙ୍କୁ ଗିରଫ କରି ଜେଲକୁ ପଠାଇଥିଲା ପୋଲିସ ।

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଅନେକ ରହସ୍ୟମୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମେ ଏସଆଇଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ପରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ସିବିଆଇ ମଠରେ ପହଞ୍ଚି ଘଟଣାର ଛାନ୍‌ଭିନ୍ କରିଥିଲା। ମଠର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.