ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ, ପୂର୍ବତନ ମନ୍ତ୍ରୀ ବ୍ଲାକ୍‌ମେଲ୍‌ କରୁଥିବା ସନ୍ଦେହ

Published By : Prameya-News7 Bureau | September 21, 2021 IST

ପ୍ରୟାଗରାଜ ୨୧/୦୯ : ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖଡାର ସମ୍ପାଦକ ୭୦ବର୍ଷ ବୟସ୍କ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ନେଇ ଘନଉଛି ରହସ୍ୟ। ଏହି ଘଟଣାରେ  ଶିଷ୍ୟ ଆନନ୍ଦଗିରିଙ୍କୁ ପୋଲିସ ଗିରଫ କରିଛି । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନରେନ୍ଦ୍ର ଗିରିଙ୍କୁ ଶେଷ ଦର୍ଶନ କରିବା ସହ ତଦନ୍ତ ପାଇଁ ଏସଆଇଟି ଗଠନ ନିର୍ଦ୍ଦେଶ ଦେଇଛନ୍ତି।

ସଂସାର ତ୍ୟାଗ କରି ସନ୍ୟାସୀ ହୋଇଥିଲେ, କିନ୍ତୁ ଆତ୍ମହତ୍ୟା କଲେ, ପାଠ ପଢ଼ିନଥିଲେ କିନ୍ତୁ ସୁଇସାଇଡ ନୋଟ ଲେଖିଲେ। ମଠର ଜମିବାଡ଼ି ନେଇ ଏକାଧିକ ରହସ୍ୟ।  ମହନ୍ତଙ୍କୁ କୁଆଡେ ବ୍ଲାକ ମେଲ ବି କରାଯାଉଲା। ବ୍ଲାକମେଲ ସଂପର୍କିତ ଏକ ସିଡି ପୋଲିସର ହାତ ଲାଗିଛି। ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ। ସୁଇସାଇଡ ନୋଟରେ ଉଲ୍ଲେଖକୁ ଆଧାର କରି ପୋଲିସ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରିଛି। ମହନ୍ତଙ୍କ ମୃତ ଦେହ ମିଳିବା ସମୟରେ ହରିଦ୍ବାରରେ ଥିଲେ ଶିଷ୍ୟ ଆନନ୍ଦ ଗିରି । ତାଙ୍କୁ ପୋଲିସ ପ୍ରୟାଗରାଜ ଆଣି ଜେରା କରୁଛି ।

ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ମଠରେ ରହୁଥିବା ସେବାଦାର ଏବଂ ଶିଷ୍ୟମାନେ ମଧ୍ୟ ସନ୍ଦେହଘେରରେ ଅଛନ୍ତି । ମହନ୍ତଙ୍କ ପାଖକୁ କିଭଳି ଆସିଲା ନାଇଲନ୍ ଦଉଡି, ପୁଣି ତାଙ୍କ ପ୍ରକୋଷ୍ଠରୁ ମିଳିଥିବା ପୋକମରା ସଲଫସ୍ ମେଡିସିନ୍ ନେଇ ମଧ୍ୟ ସନ୍ଦେହ ବଢିଛି । ୭ପୃଷ୍ଠାର ସୁଇସାଇଡ୍ ନୋଟ୍ ହିଁ ମୁଖ୍ୟ ସୁରାଗ । ଏତେ ବଡ଼ ନୋଟ୍ ମହନ୍ତ ଲେଖିବା ବେଳେ ତାଙ୍କ ମାନସିକ ସ୍ଥିତ କିଭଳି ଥିଲା ଏହାକୁ ତର୍ଜମା କରୁଛି ପୋଲିସ । ସେପଟେ ପ୍ରୟାଗରାଜ ଅଖିଳ ଭାରତୀୟ ସନ୍ଥ ସମିତି ମହାସଚିବ ଜିତେନ୍ଦ୍ରାନନ୍ଦ ସରସ୍ବତୀ କହିଛନ୍ତି ଯେ, ମହନ୍ତ କେବଳ ହସ୍ତାକ୍ଷର ସହ ଅଳ୍ପ କିଛି ପଢି ଜାଣିଥିଲେ । ତେଣୁ ଏତେ ଲମ୍ବା ସୁଇସାଇଡ୍ ନୋଟ୍ କିଭଳି ଲେଖିଲେ ସେନେଇ ପ୍ରଶ୍ନ ଜୋର ଧରିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷ ଦର୍ଶନ କରିଛନ୍ତି।। ଦୋଷୀ ଯିଏ ବି ହୋଇଥାଉ ଛଡ଼ାଯିବନି ବୋଲି ସେ କହିଛନ୍ତି। ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି ।

ଏବେ ମଠର କାର୍ଯକଳାପକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ବିଶେଷ କରି ମଠ ସଂପତ୍ତି ବିକ୍ରି, ଆନନ୍ଦ ଗିରିଙ୍କ ସହିତ ନରେନ୍ଦ୍ର ଗିରିଙ୍କ ମତାନ୍ତର । ଏମିତି କିଛି ପୁରୁଣା ମମଲାକୁ ଖୋଲି ପୋଲିସ ତଦନ୍ତ ଜାରି ରଖିଛି। ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଏହି ଘଟଣା ଏବେ ବଡ଼ ରାଜନୈତିକ ପ୍ରସଙ୍ଗ ହେଲାଣି ।

ସୂଚନା ଅନୁଯାୟୀ ନରେନ୍ଦ୍ର ଗିରିଙ୍କୁ ବ୍ଲାକମେଲ୍ କରାଯାଉଥିଲା । ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ଜଣେ ନେତା, ମହନ୍ତଙ୍କୁ ବ୍ଲାକମେଲ୍ କରୁଥିବା ସନ୍ଦେହ କରାଯାଉଛି । ଏନେଇ ଏକ ସିଡି ବି କୁଆଡ଼େ ପୋଲିସ ହାତରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.