ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ, ଶୀଘ୍ର ନିମନ୍ତ୍ରଣ ପଠାଯିବ

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୦୬: ଶ୍ରୀରାମ ଜନ୍ମଭୂମୀ ତୀର୍ଥ ଟ୍ରଷ୍ଟର ସଭାପତି ନୃତ୍ୟଗୋପାଲ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ କହିଛନ୍ତି  ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ନିମନ୍ତ୍ରଣ ପଠାଇବେ। ମହନ୍ତ କମଲ ନୟନ ଦାସଙ୍କ ଅନୁଯାୟୀ ସେ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ବନ୍ଧରେ ନିମନ୍ତ୍ରଣ ପତ୍ର ଦେବେ।

ମହନ୍ତ କମଲ ନୟନ ଦାସ କହିଛନ୍ତି, ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ସଭାପତି ନୃତ୍ୟଗୋପାଲ ଦାସ ସୋମବାର କିମ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇବେ। ସେ କହିଛନ୍ତି, ଶ୍ରାବଣ ମାସରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂପି ପୂଜନ କରିବାକୁ ଚାହୁଁଛୁ। ଏଥିପାଇଁ ଆମେ ଚାହୁଁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଭୂମି ପୂଜନ ହେଉ।

ଉଲ୍ଲେଖନୀୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଲ ଦାସଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ  ରବିବାର ଅଯୋଧ୍ୟା ଗସ୍ତରେ ଏଠାରେ ପହଞ୍ଚିଥିଲେ। ଏହି ଅବସରରେ ସେ ରାମ ଜନ୍ମଭୂମି ସ୍ଥଳ ଯାଇ ରାମଲଲାଙ୍କ ଦର୍ଶନ ମଧ୍ୟ କରିଛନ୍ତି। ଏଥିସହ ମନ୍ଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ବିଶ୍ଵ  ହିନ୍ଦୁ ପରିଷଦ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ସାଧାରଣ ଜନତାଙ୍କ ଭୂମିକାକୁ ନେଇ ମଧ୍ୟ ରଣନୀତି ତିଆରି କରିଛି। ଅର୍ଥାତ ଲୋକଙ୍କ ଆର୍ଥିକ ଓ ଶାରୀରିକ ସହଯୋଗରେ ରାମ ମନ୍ଦିରର ନିର୍ମାଣ ହେବ। ବିଶ୍ଵ ହିନ୍ଦୁ ପରିଷଦ ସ୍ଥିର କରିଛି ଯେ, ଥରୁଟିଏ କରୋନା ସଙ୍କଟ ଟଳିଯିବା ପରେ କାରସେବା ହେବ ଏବଂ ଜନତା ଚାନ୍ଦା ମଧ୍ୟ ଦେବେ। କିନ୍ତୁ ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ଏବଂ ଦିବ୍ୟ ମନ୍ଦିର ନିର୍ମାଣ ପାଇଁ ଅର୍ଥର କୌଣସି ଅଭାବ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଏମିତି ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.