ସ୍ୱାମୀ ଆନନ୍ଦ ଗିରିଙ୍କ ଫେସବୁକ୍ ପେଜ୍ ହ୍ୟାକ୍ : କଙ୍ଗନାଙ୍କ ସମର୍ଥନରେ କରିଥିଲେ ପୋଷ୍ଟ

Published By : Prameya-News7 Bureau | September 12, 2020 IST

ପ୍ରୟାଗରାଜ ୧୨/୦୯ : ଅଖିଳ ପରିଷଦ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ତଥା ବଡ ହନୁମାନ ମନ୍ଦିରର ଛୋଟ ମହନ୍ତ ଯୋଗ ଗୁରୁ ସ୍ୱାମୀ ଆନନ୍ଦ ଗିରିଙ୍କ ଫେସବୁକ୍ ପେଜକୁ ହ୍ୟାକର୍ସ ହ୍ୟାକ୍ କରିଛନ୍ତି । ସ୍ୱାମୀ ଆନନ୍ଦ ଗିରିଙ୍କ ଅନୁଯାୟୀ, ସେପ୍ଟେମ୍ବର ୧୦ ତାରିଖରେ ସେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣବାତଙ୍କୁ ସମର୍ଥନ କରି ନିଜ ଫେସବୁକ ପେଜରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ପରେ ହ୍ୟାକର୍ସ ତାଙ୍କ ଫେସବୁକ ପେଜ ହ୍ୟାକ୍ କରିଛନ୍ତି । ଏ ସମ୍ବନ୍ଧରେ ସେ ସେପ୍ଟେମ୍ବର ୧୦ ତାରିଖ ରାତିରେ ଜାଣିବାକୁ ପାଇଥିଲେ । ଏ ମାମଲାରେ ସେ ପ୍ରୟାଗରାଜ ସାଇବର ସେଲରେ ଲିଖିତ ଅଭିଯୋଗ କରିଛନ୍ତି | ପ୍ରୟାଗରାଜ ଆଇଜି କେପି ସିଂହଙ୍କୁ ମଧ୍ୟ ଫୋନ କରି ମାମଲା ସମ୍ପର୍କରେ ଅବଗତ କରାଯାଇଛି ।

ସ୍ୱାମୀ ଆନନ୍ଦ ଗିରି ବର୍ତ୍ତମାନ ଧର୍ମନଗରୀ ହରିଦ୍ୱାରରେ ଅଛନ୍ତି । ତାଙ୍କର ଦୁଇଟି ଫେସବୁକ୍ ପେଜ୍ ଅଛି । ସ୍ୱାମୀ ଆନନ୍ଦ ଗିରି ନାମକ ଫେସବୁକ୍ ପେଜ୍ ସେ ୨୦୧୩ ମସିହାରେ ଆରମ୍ଭ କରିଥିଲେ । ଏହି ପେଜରେ ସେ ଆଧ୍ୟାତ୍ମିକ ଓ ସାମାଜିକ ପୋଷ୍ଟ ଆଦି କରନ୍ତି । ତାଙ୍କ ଫେସବୁକ ପେଜରେ ଦେଶ ଦୁନିଆର ୮୦ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି ।

ସ୍ୱାମୀ ଆନନ୍ଦ ଗିରି କହିଛନ୍ତି ଯେ, ଫେସବୁକ୍ ପେଜ୍ ହ୍ୟାକ୍ ହେବାପରେ ପେଜରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ତାଙ୍କ ପେଜକୁ ଆତଙ୍କବାଦୀ କିମ୍ବା ଧାର୍ମିକ ବିଦ୍ବେଷ ପ୍ରଚାର ପାଇଁ ବ୍ୟବହାର କରୁଥିବା ସେ ଆଶଙ୍କା କରିଛନ୍ତି । ହ୍ୟାକର୍ସ ତାଙ୍କ ଫେସବୁକ ପେଜରୁ କୌଣସି ଧର୍ମ, ସମ୍ପ୍ରଦାୟ କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ହଙ୍ଗାମା କରିପାରନ୍ତି ବୋଲି ସେ ସନ୍ଦେହ କରୁଛନ୍ତି । ଏହି ମାମଲାରେ ସେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଇବର୍ ସେଲକୁ ଦାବି କରିଛନ୍ତି । ଏହାସହ ସେ କହିଛନ୍ତି ଯେ ସେପ୍ଟେମ୍ବର ୧୦ ତାରିଖ ରାତି ୧୦ଟା ପରେ ତାଙ୍କ ପେଜରେ ଯାହା ବି ପୋଷ୍ଟ ହୋଇଛି ସେଥିପାଇଁ ସେ ଦାୟୀ ନୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.