ମହଙ୍ଗା ପଡ଼ିଲା ଲକ୍‌ଡାଉନ୍‌ ବେଳେ ବିବାହ : ବର ସମେତ ୪ ଜଣଙ୍କୁ ଉଠାଇ ଆଣିଲା ପୁଲିସ

Published By : Prameya-News7 Bureau | April 01, 2020 IST

ଆମ୍ବପାଲି ୦୧।୦୪: କରୋନା ମହାମାରୀ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକଡାଉନ ଘୋଷଣା କରଛନ୍ତି । ଏହି ସମୟରେ ବିବାହ, ବ୍ରତ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମକୁ ଆୟୋଜନ ଉପରେ କଟକଣା ଲଗାଯାଇଛି । ଏହାସତ୍ତେ୍ୱ ଲୋକେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ କନ୍ଧକେଲଗାଁ ଗଡତିଆପଡ଼ାରେ ବିବାହ ଚାଲିଥିବା ବେଳେ ପୁଲିସ ବର ସମେତ ୪ଜଣଙ୍କୁ ଥାନାକୁ ଆଣି ଅଟକ ରଖିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାମତେ, ଗତକାଲି ରାତିରେ ସଇଁତଲା ଥାନା ଅନ୍ତର୍ଗତ କନ୍ଧକେଲଗାଁ ଗଡ଼ତିଆପଡ଼ାଠାରେ ଏକ ବିବାହ ଚାଲିଥିଲା । ଏନେଇ ସଇଁନ୍ତଲା ପୁଲିସ କୌଣସି ସୂତ୍ରରୁ ଖବର ପାଇଁ ସେଠାରେ ପହଞ୍ଚିଥିଲା । ପୁଲିସ ପହଞ୍ଚିବା ବେଳକୁ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା । ହେଲେ ଲୋକେ ସାମାଜିକ ଦୂରତ୍ୱକୁ ନମାନି ଭୋଜି ପାଇଁ ଭିଡ ଜମାଉ ଥିବା ଦେଖିବାକୁ ମିଳିଥିଲା । ଏହାପରେ ପୁଲିସ ତୁଷୁରା ଥାନା ଅନ୍ତର୍ଗତ ଝାରସମରା ଗାଁର ବର ଅଜିତ ସାହୁ, ବରପିତା ବନ ସାହୁ, ଡ୍ରାଇଭର ଆକାଶ ପାଣିଗ୍ରାହୀ, ଯଦୁ ସାହୁ, ଡୋଳାମଣି ସାହୁ, ଚୁଡାମଣି ସାହୁ ସମେତ ବରଯାତ୍ରୀ ଗାଡିକୁ ଥାନାକୁ ଆଣି ଅଟକ ରଖିଥଲା । ଏନେଇ ପୁଲିସ ମାମଲା ରୁଜୁ କରିଥିବା ବେଳେ ଏସ୍‌ଆଇ ସଙ୍ଗିତା ବେକ ଘଟଣାର ତଦନ୍ତ କରୁଛନ୍ତି । ପ୍ରକାଶ ଥାଉକି ସକାଳେ ବର ସମେତ ସମସ୍ତଙ୍କୁ ପୁଲିସ ଛାଡିଦେଇଥିବା ବେଳେ ନବିବାହିତା କନ୍ୟାକୁ ନେଇ ନିଜ ଗାଁକୁ ଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.