ମାହାଙ୍ଗା ଡବଲ ମର୍ଡର: ଆଉ ଜଣେ ଅଭିଯୁକ୍ତ ଗିରଫ ପରେ ବି ହତ୍ୟାର କାରଣ ଖୋଜି ପାଉନି ପୋଲିସ, ସେପଟେ ବିଜେପିର ଏସପି ଅଫିସ୍ ଘେରାଉ
6/01/2021 at 7:09 PM

ମାହାଙ୍ଗା ୦୬।୦୧: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏଥିସହିତ ମୋଟ ଗିରଫ ସଂଖ୍ୟା ୫ରେ ପହଁଚିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ୫ଟି ସ୍ଵତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ତଦନ୍ତ ଚଳାଇଛି । ହେଲେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୫ ଜଣ ଗିରଫ ହୋଇଥିଲେ ବି ୪ ଦିନ ପରେ ପୋଲିସ ହତ୍ୟାର କାରଣ ଖୋଜି ନପାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ହତ୍ୟାକାଣ୍ଡ ପଛରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଓ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରାଜନୈତିକ ହିଂସା ପ୍ରତିବାଦରେ ଆଜି ସାରା ରାଜ୍ୟରେ ଏସପି ଅଫିସ ଘେରାଉ କରିଛି ବିଜେପି । ସେପଟେ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ତଦନ୍ତ ଚଳାଇଥିବାବେଳେ ବିରୋଧୀ ଅଯୋଥା ରାଜନୀତି କରୁଛନ୍ତି ବୋଲି କହିଆସୁଛି ବିଜେଡି।
ଦୁଇ ଜଣଙ୍କୁ ହତ୍ୟା ହେବା ପଛରେ ଏମିତି କିଛି ପ୍ରଶ୍ନର ଉତ୍ତରରେ ଛନ୍ଦି ହୋଇଛି କଟକ ଗ୍ରାମାଞ୍ଚଳ ପୋଲିସ।ହତ୍ୟାକାଣ୍ଡର ୪୮ ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଓ ୩ ସହଯୋଗୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ। ସେହିପରି ଗତକାଲି ରାତିରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ହତ୍ୟାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ପାଞ୍ଚଟି ଟିମ୍ ତନାଘନା ଚଳାଇଛି । ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିଲେ ହତ୍ୟା ରହସ୍ୟରୁ ପରଦା ହଟିବ ବୋଲି ପୋଲିସ କହୁଛି।
ରାଜନୈତିକ କାରଣରୁ ହତ୍ୟାକାଣ୍ଡ ଘଟିବା ଓ ହତ୍ୟା ପଛରେ ସ୍ଥାନୀୟ ବିଧାୟକଙ୍କ ଷଡଯନ୍ତ୍ର ଥିବା ଅଭିଯୋଗ କରିବା ସହ ଘଟଣାରେ ଠିକ ତଦନ୍ତ କରି ସବୁ ଅଭିଯୁକ୍ତଙ୍କୁ ଧରିବା ଦାବିରେ ବିଜେପି ଏସ ପି ଅଫିସ ଘେରାଉ କରିଛି। କେନ୍ଦ୍ରାପଡାରୁ ନୂଆପଡା , ବ୍ରହ୍ମପୁରରୁ –ବରଗଡ ସବୁଠି ବିଜେପି ଏସପି ଅଫିସ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛି । ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ତଦାରଖ କରୁଥିବା ଅତିରିକ୍ତ ଏସପିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । ଘଟଣାରେ ନେତାଙ୍କ ସଂପୃକ୍ତି କଥା ଉଠୁଥିବାରୁ ସଠିକ ତଦନ୍ତ ହେବା ଦରକାର ବୋଲି କଂଗ୍ରେସ କହିଛି । ସେପଟେ ଘଟଣାକୁ ନେଇ ବିଜେଡି ରାଜନୀତି ହେଉଥିବା କହି ଆସୁଛି । ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରୁଥିବାବେଳେ ଘଟଣାକୁ ନେଇ ବିରୋଧୀ ଅଯଥା ରାଜନୀତି କରୁଛନ୍ତି ବୋଲି କହୁଛି ବିଜେଡି । ରାଜ୍ୟରେ ରାଜନୈତିକ ହିଂସା ହୁଏନି ବୋଲି କହୁଛି ବିଜେଡି।