ମହାନଦୀ ଜଳ ବିବାଦ ମାମଲା : କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ୍‌ଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | August 08, 2020 IST

ଭୁବନେଶ୍ବର ୮।୮: ଆସନ୍ତା ୨୯ ତାରିଖରେ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆଜିର ଶୁଣାଣିରେ ଓଡିଶା ଓ ଛତିଶଗଡ଼ର ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ କଲେ ଟ୍ରିବ୍ୟୁନାଲ । ଓଡିଶା ସରକାର କେନ୍ଦ୍ର ସରକାରଙ୍କ ୩ଟି ସଂସ୍ଥା ଯଥା CWC, IMD ଏବଂ ଗ୍ରାଉଣ୍ଡ ଓ୍ବାଟର ବୋର୍ଡ଼ରୁ କିଛି ତଥ୍ୟ ପାଇଁ ଆବେଦନ କରିଥିଲେ । ଏହାକୁ ଭିତ୍ତି କରି ଟ୍ରିବୁନାଲ୍ ନୋଟିସ୍ କରିଛନ୍ତି ।

ଏହାସହ କାବେରୀ ଓ କ୍ରିଷ୍ଣା ଜଳ ବିବାଦକୁ ଆଧାର କରି ମହାନଦୀ ଜଳ ବିବାଦର ମଧ୍ୟ ସମସ୍ତ ନଥିପତ୍ର, ତଥ୍ୟକୁ ଗୋଟିଏ ସମାନ ପର୍ମାଟରେ ପଞ୍ଜିକୃତ କରାଯିବ ବୋଲି ଟ୍ରିବୁନାଲ୍ କହିଛନ୍ତି ।

ଚୂଡାନ୍ତ ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଥିଲା । ଶୁଣାଣି ଶେଷ ହେବା ପରେ ୨୯ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି । ଭିଡିଓ କନଫେରେନ୍ସିଂ ଜରିଆରେ ଶୁଣାଣି ହୋଇଥିଲା । ଗତ ଶୁଣାଣିରେ ୩୬ଟି ପ୍ରସଙ୍ଗ ଚୂଡାନ୍ତ କରିଥିଲେ ଟ୍ରିବ୍ୟୁନାଲ । 

ଆଜିର ଶୁଣାଣି ପୂର୍ବରୁ ଓଡିଶା ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିଥିଲା । କିନ୍ତୁ ଛତିଶଗଡ ଓ ଅନ୍ୟପକ୍ଷ ଦସ୍ତାବିଜ୍ ଦାଖଲ କରି ନଥିବା ସୂଚନା ମିଳିଥିଲା । ମାମଲାକୁ କିଭଳି ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯିବ ସେ ନେଇ ଓଡିଶାର ଆଇନଜୀବୀ ରଣନୀତି ପ୍ରସ୍ତୁତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.