ରାଜ୍ୟ ରାଜନୀତିକୁ ପୁଣି ଫେରିଲା ମହାନଦୀ ପ୍ରସଙ୍ଗ: ଶୀତ ଦିନେ ମହନଦୀ ଶୁଖିଲା, ଖରାଦିନେ କଣ ହେବ ସ୍ଥିତି? ଟ୍ରିବ୍ୟୁନାଲରେ ଝୁଲୁଛି ମହାନଦୀ ଭାଗ୍ୟ

Published By : Prameya-News7 Bureau | January 31, 2021 IST

ଭୁବନେଶ୍ୱର ୩୧/୦୧ :  ରାଜ୍ୟ ରାଜନୀତିକୁ ପୁଣି ଫେରିଲା ମହାନଦୀ ପ୍ରସଙ୍ଗ । ଟ୍ରିବ୍ୟୁନାଲରେ ମହାନଦୀ  ଜଳ ବିବାଦ ପ୍ରସଙ୍ଗ ବିଚାର ଚାଲିଥିବାବେଳେ ମହାନଦୀ ଶୁଖିଲା ପଡିଛି । ଗ୍ରୀଷ୍ମ ଦିନ ପୂର୍ବରୁ ମହାନଦୀ ଶୁଖିଲା ପଡିଥିବା ଦେଖି  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ଟ୍ରିବୁନାଲ ସମୟ  ୩ ବର୍ଷ ବିତିବାକୁ ମାତ୍ର ୨ ମାସ ବାକି ଅଛି । ହେଲେ ମହାନଦୀର ଭାଗ୍ୟ କଣ ହେବ ତାକୁ ନେଇ ସବୁ ଚୁପ । ସେପଟେ ଛତିଶଗଡ ପାଣି ନଛାଡିବାରୁ ମହାନଦୀ ଏବେ ଠୁ ଶୁଖିଲା ପଡିଲାଣି । ସମସ୍ୟା ସମାଧାନ ନହେଲେ ଓଡିଶା ଜଳକଷ୍ଟ ଦେଖାଦେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଜୟ । ଆଉ ବିଜୟଙ୍କ ପତିକ୍ରିୟା ପରେ ଏହାକୁ ଜବାବ ରଖିଛନ୍ତି ବିଜେଡି ବିଜେପି ଓ କଂଗ୍ରେସ ।

ଶୀତ ଦିନେ ମହନଦୀ  ଶୁଖିଲା। ଖରାଦିନେ କଣ ହେବ ସ୍ଥିତି?   ଆଗକୁ ସାଗର ଯାଏଁ ଯାଇପାରିବନି କି ମହାନଦୀ । ଏମିତି କିଛି ଆଶଙ୍କା କରିଛନ୍ତି ପୂର୍ବତନ ଜଳସେଚନ ମନ୍ତ୍ରୀ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ମହାନଦୀ ଭାଗ୍ୟ ଟ୍ରିବ୍ୟୁନାଲରେ ଝୁଲୁଥିବା ବେଳେ ବିଜୟ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ।   ମହାନଦୀ ଜଳ ବିବାଦ ମାମଲାକୁ ନେଇ ଶୁଣାଣି କରୁଥିବା ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୩ ବର୍ଷ ପୂରିବାକୁ ଆଉ ମାତ୍ର ୨ ମାସ ଅଛି। ୨୦୧୮ ମାର୍ଚ୍ଚରେ ମହାନଦୀ ଜଳ ବିବାଦ ଟ୍ରିବୁନାଲ ଗଠନ ହୋଇଥିଲା। କିନ୍ତୁ ଟ୍ରିବୁନାଲରେ କଣ ହେଲା କିମ୍ବା କି ନିଷ୍ପତ୍ତି ଆସିବାକୁ ଯାଉଛି, କାହାକୁ ଜଣା ନାହିଁ। ସରକାର ସ୍ପଷ୍ଟ କରିବା ଦରକାର। ସାଂସଦ ମାନେ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ଆବଶ୍ୟକ ବୋଲି ସେ କହିଛନ୍ତି।  ଛତିଶଗଡ ଶିଳ୍ପକୁ ପାଣି ଦେଉଥିବାରୁ ଅଣମୌସୁମୀ ସମୟରେ ଜଳ ସମସ୍ୟା ଦେଖା ଦେବା ଆରମ୍ଭ କଲାଣି। ଏପ୍ରିଲ- ମେ ମାସ ବେଳକୁ ଅବସ୍ଥା ଆହୁରି ଭୟଙ୍କର ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।  

ସେପଟେ ମହାନଦୀ ପ୍ରସଙ୍ଗକୁ ନେଇ ପୁଣି ଶାସକ ଓ ବିରୋଧୀଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ବିଜେପି କହିଛି  ମହାନଦୀ ଜଳ ବିବାଦ ପ୍ରସଙ୍ଗ ଆପୋଷ ଆଲୋଚନାରେ ସମାଧାନ କରିବାକୁ କେନ୍ଦ୍ର ଚାହୁଁଥିଲା । ହେଲେ  ରାଜ୍ୟ ସରକାର ଅଯଥା ଏହାକୁ ରାଜନୀତି ପ୍ରସଙ୍ଗ କଲେ। ଏବେ ଯାହା ସମସ୍ୟା ହେବ ଶତ ପ୍ରତିଶତ ରାଜ୍ୟ ସରକାର ଦାୟୀ ରହିବେ ବୋଲି ବିଜେପି କହିଛି । ସେହିପରି  କଂଗ୍ରେସ ବିଜେପି ଓ ବିଜେଡିକୁ ସମାଲୋଚନା କରି କହିଛି ଉଭୟ ମହାନଦୀ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି । କେହି ସମାଧାନର ରାସ୍ତା ବାହାର କରିବାକୁ ମନ ଦେଉନାହାନ୍ତି।  ସେପଟେ ବିଜେଡି କହିଛି ବିଶ୍ବାସ ଟ୍ରିବ୍ୟୁନାଲର ରାୟ ଆମ ସପକ୍ଷରେ ଆସିବ। ଯେତେବେଳେ ଚୂଡାନ୍ତ ନିଷ୍ପତ୍ତି ଆସିବ ସେତେବେଳେ ଆମର ଯେତିକି ପାଣି ଦରକାର ନିଶ୍ଚୟ ଆମେ ପାଇବା

ଛତିଶଗଡ଼ ମହାନଦୀ ଉପରେ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରି ଶିଳ୍ପକୁ ପାଣି ଦେଉଛି । ଫଳରେ ମହାନଦୀରେ ଜଳ ପ୍ରବାହ କମିଛି । ଯଦି ଟ୍ରିବ୍ୟୁନାଲରେ ବିବାଦର ସମାଧାନ ନହୁଏ ଓଡ଼ିଶାର ଏହି ଜୀବନ ରେଖା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇବ ନିଶ୍ଚୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.