ନିର୍ବାଚନ ଆସିଲେ କିଛି ଲୋକ ମହାନଦୀ ପ୍ରସଙ୍ଗ ଉଠାନ୍ତି:ରମଣ ସିଂହ

Published By : Prameya-News7 Bureau | May 29, 2018 IST

ମହାନଦୀ ଜଳ ବିବାଦକୁ ନେଇ ପୁଣି ତେଜିଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ । ରାୟଗଡରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମହାନଦୀ ପ୍ରସଙ୍ଗରେ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କହିଛନ୍ତି ମହାନଦୀ ପାଣି ଉପରେ ଛତିଶଗଡ଼ର ଅଧିକାର ରହିଛି । ମହାନଦୀ ପାଣିରୁ ଛତିଶଗଡ଼କୁ କେହି ବଞ୍ଚିତ କରିପାରିବେ ନାହିଁ । କେଉଁ ରାଜ୍ୟର ନାଁ ନନେଇ ରମଣ କହିଛନ୍ତି, ମହାନଦୀର ପାଣି ନେବାରେ ଛତିଶଗଡ଼କୁ କେହି ରୋକି ପାରିବେନି । ଏହାସହ ମହନଦୀ ଜଳ ପ୍ରସଙ୍ଗରେ ବିରୋଧିଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି ରମଣ । କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକ ମହାନଦୀ ପ୍ରସଙ୍ଗ ଉଠାନ୍ତି । ନିର୍ବାଚନ ପୂର୍ବରୁ ଏବେ ରାଜ୍ୟରେ ବିକାଶ ଯାତ୍ରାରେ ବାହାରିଥିବା ରମଣ ବିରୋଧିଙ୍କୁ କଟାକ୍ଷ କରି ମହାନଦୀ ପ୍ରସଙ୍ଗରେ ଏପରି ମତ ରଖିଛନ୍ତି । ଏପଟେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଏପରି ବକ୍ତବ୍ୟକୁ ତୀବ୍ର ବିରୋଧ ସହ ସମାଲୋଚନା କରିଛି ବିଜୁ ଜନତା ଦଳ । ମହାନଦୀ ପ୍ରସଙ୍ଗରେ ରମଣ ସିଂଙ୍କ ଏପରି ଦାଦାଗିରି ଚଳିବନି ବୋଲି ସ୍ପଷ୍ଟ ଭାବେ କହିଛି ବିଜେଡି । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହା କହିବା ବେଳେ, ସ୍ପଷ୍ଟ କରିଦେଇଛନ୍ତି ଯେ, ନିଜ ରାଜ୍ୟର ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ରମଣ ସିଂହ ଏଭଳି କହୁଛନ୍ତି । ଏପରି ମନମୁଖୀ ମନ୍ତବ୍ୟ ଦେଶ ପାଇଁ କ୍ଷତିକାରକ । ଏହା ସହ ମହାନଦୀ ପ୍ରସଙ୍ଗରେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଓଡ଼ିଶା ଆନ୍ଦୋଳନ ଜାରି ରଖିବ ବୋଲି ଦୃଢଭାବେ କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.