Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୁଡେଇବ ମହାନଦୀ : ହୀରାକୁଦର ୪୬ଟି ଗେଟ୍ ଖୋଲାଯିବା ପରେ ଆସୁଛି ବଡ ବନ୍ୟା, ବିଭିନ୍ନ ଜିଲ୍ଲାର ତଳି ଅଞ୍ଚଳ ଜଳମଗ୍ନ

29/08/2020 at 7:10 PM

ଭୁବନେଶ୍ୱର, ୨୯|୦୮:   ବୁଡ଼େଇବ ମହାନଦୀ ।  ହୀରାକୁଦର ୪୬ଟି ଖୋଲା ଯାଇଥିବା ବେଳେ ମହାନଦୀରେ ଆସୁଛି ବଡ଼ ବନ୍ୟା । ଗତକାଲି ରାତିରୁ ସମ୍ବଲପୁରରୁ ଜଗତସିଂହପୁର ସବୁଠି ତଳି ଅଂଚଳରେ ପଶିଛି ପାଣି । ସମ୍ବଲପୁର, ବୌଦ୍ଧ, ସୋନପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ ସବୁଠି ବନ୍ୟାଜଳରେ ବୁଡ଼ିଲାଣି ତଳି ଅଂଚଳ ।  ସେପଟେ ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ବିତ୍ପାତ ଯୋଗୁଁ ଯାଜପୁର, ଭଦ୍ରକରେ ୫ଲକ୍ଷ ଲୋକ ବିପନ୍ନ ହୋଇଛନ୍ତି ।

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ଥର ବଢ଼ିବାରେ ଲାଗିଛି । ଫଳରେ ୪୬ଟି ଗେଟ୍‌ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ହୀରାକୁଦରୁ ଭାରି ମାତ୍ରାରେ ପାଣି ଛଡ଼ାଯାଉଥିବାରୁ ଭୟଙ୍କର ରୂପ ନେବାରେ ଲାଗିଛି ମହାନଦୀ । ଗତକାଲି ରାତିରୁ ସମ୍ବଲପୁର, ବୌଦ୍ଧ, ସୋନପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ ସବୁଠି ତଳି ଅଂଚଳରେ ପଶିଲାଣି ବନ୍ୟାଜଳ । ସମ୍ବଲପୁରରେ ମାଁ ଘଣ୍ଟେଶ୍ବରୀଙ୍କ ପୀଠରେ ପାଣି ପଶିଛି । ମନ୍ଦିର କାନ୍ଥର ଅଧାରୁ ଅଧିକ ଉଚ୍ଚରେ ପାଣି ଚାଲିଛି ।ବୌଦ୍ଧ ଏନଏସିର ବିଭିନ୍ନ ଓ୍ବାର୍ଡ଼ରେ ପଶିଛି ବନ୍ୟାଜଳ । ଗଲା ୩ଦିନ ହେଲା ଏଠାରେ ଲୋକେ ପିଲାଛୁଆଙ୍କୁ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୋନପୁର ଜିଲ୍ଲାର ମୁଣ୍ଡୋଘାଟରେ ଥିବା କୁଲଥି ବ୍ରିଜ୍‌ ଉପରେ ୬ଫୁଟର ପାଣି ଚାଲିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କେନ୍ଦ୍ରାପଡ଼ା ବେଣିପୁର ଠାରେ ବିରୂପା ନଦୀରେ ହୋଇଥିବା ଘାଇ ଯୋଗୁଁ ବେଣିପୁର ପଞ୍ଚାୟତର ୮ଟି ଓ୍ବାର୍ଡ଼ ଭିତରେ ପଶିଛି ବନ୍ୟା ଜଳ । ଗାଁ ଭିତରେ ଫସି ରହିଥିବା ଲୋକମାନଙ୍କୁ NDRF, ODRAF ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ଧାର କରୁଛନ୍ତି । ଘରଭିତରେ ୬ଫୁଟ୍‌ରୁ ଅଧିକ ପାଣି ପଶିଥିବାରୁ ଲୋକେ ଘରର ଛାତ ଉପରେ ଆଶ୍ରୟ ନେଛନ୍ତି । ଆଗକୁ ପାଣି ବଢ଼ିବା ଆଶଙ୍କା ଥିବାରୁ ସେମାନଙ୍କୁ ଉଚ୍ଚ ସ୍ଥାନକୁ ନିଆଯାଉଛି ।

କଟକରେ କାଠଯୋଡ଼ି ଓ ମହାନଦୀରେ ଜଳସ୍ତର ବଢ଼ିବା ପରେ କଟକ ମହାନଗର ନିଗମର ନଦୀକୂଳିଆ ଅଂଚଳରେ ପଶିଛି ପାଣି । ହଠାତ୍‌ କାଲି ରାତିରେ ଘରେ ପାଣି ପଶିବା ପରେ ଲୋକେ ରିଂଗରୋଡ଼ ଉପରକୁ ଚାଲି ଆସିଛନ୍ତି । ଆଜି ରାତି ସୁଦ୍ଧା ନଦୀକୂଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛି ସିଏମସି ।

ବାଙ୍କୀରେ ଧସିଲା ମହାନଦୀ ବନ୍ଧ । ଭଜିପୁର ଗୟଳବାଙ୍କ ଗାଁ ନିକଟରେ ମହାନଦୀ ବନ୍ଧରେ ୧୫ଫୁଟ୍‌ରୁ ଅଧିକ ଓସାରର ଘାଇ ହୋଇଛି । ଫଳରେ ୫ରୁ ଅଧିକ ପଞ୍ଚାୟତରେ ପାଣି ପଶିଛି । ଦିଲ୍ଲୀପଡ଼ା, ତାଳବସ୍ତ, ସୁବର୍ଣ୍ଣସର, ଓସ୍ତିଆ ପଞ୍ଚାୟତରେ ପାଣି ପଶିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଜଗତସିଂହପୁରରେ ତିର୍ତୋଲ ବ୍ଲକ ମଣିଜଙ୍ଗା-ତିର୍ତୋଲ ପାଳନ୍ଦା ରାସ୍ତାରେ ୬ଫୁଟ ପାଣି ଚାଲିଛି । ଜିଲ୍ଲାର ରଘୁନାଥପୁର, ତିର୍ତୋଲ, କୁଜଙ୍ଗ ବ୍ଲକର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି । ତିର୍ତୋଲ ବ୍ଲକର ତରଜଙ୍ଗା, ତେନ୍ତୁଳିପଦା, ତିର୍ତୋଲ, ଜଡ଼ତୀରା, ମଣିଜଙ୍ଗା ପଞ୍ଚାୟତରେ ଲୋକଙ୍କ ଘରେ ପାଣି ପଶିବାରୁ ସେମାନେ ଘରଛାଡ଼ି ତାଳଦଣ୍ଡା କେନାଲ ବନ୍ଧରେ ଆଶ୍ରୟ ନେଇଛନ୍ତି ।ସେହିଭଳ କୁଜଙ୍ଗ ବ୍ଲକରେ ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି । ଆଗକୁ ବଡ଼ ବନ୍ୟା ଆଶଙ୍କାକୁ ନେଇ ଭୟଭୀତ ଅଛନ୍ତି ଲୋକେ ।

ଖୋର୍ଦ୍ଧାରେ ରାଜୁଆ ନଦୀରେ ବନ୍ୟା ଯୋଗୁଁ ହରିମୂଳ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ହରିମୂଳ ଡିହଖଳା ରାସ୍ତା ଉପରେ ୫ଫୁଟର ପାଣି ଚାଲିଛି । ଗାଁ ଭିତରେ ବି ଅଣ୍ଟେ ପାଣି । ଗାଁକୁ ଯିବା ଆସିବା କରିବାକୁ ଲୋକେ ଡଙ୍ଗା ଉପରେ ଭରସା କରୁଛନ୍ତି ।

ନୟାଗଡ଼ ଜିଲ୍ଲାର ୨ଟି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଣିଆ-ବଡ଼ସିଲିଙ୍ଗା ରାସ୍ତାରେ ବିଭିନ୍ନ ସ୍ଥାନରେ ୬ଫୁଟ ଉଚ୍ଚର ପାଣି ଚାଲିଛି । ଫଳରେ ୩୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯାତାୟତ ପାଇଁ ମଣିପୁର ପଞ୍ଚାୟତରେ ପ୍ରଶାସନ ଡଙ୍ଗା ବ୍ୟବସ୍ଥା କରିଥିଲେ ମଧ୍ୟ ସରକାରୀ ସହାୟତା ପହଞ୍ଚିନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ଲୋକେ ।

ପୁରୀ ଜିଲ୍ଲାରେ ଦୟା ଭାର୍ଗବୀ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଥିବା ବେଳେ କଣାସ ବ୍ଲକ, ବ୍ରହ୍ମଗିରିର ବିଭିନ୍ନ ଗାଁରେ ପଶିଛି ବନ୍ୟା ପାଣି । ସେପଟେ ଭାର୍ଗବୀର ଶାଖା ମଙ୍ଗଳା ନଦୀର ପାଣି ପୁରୀ ସହରର ୧ ନମ୍ବର ଓ୍ବାର୍ଡ଼ ସୁଜାତା ନଗରରେ ପଶିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ପରିସ୍ଥିତିରେ ୧୦ଟି ଜିଲ୍ଲାର ୫୪ଟି ବ୍ଲକର ୧୨୭୬ଗାଁ କ୍ଷତିଗ୍ରସ୍ତ ହୋଇଛି । ୫୫୨ଗାଁରେ ପାଣି ଘେରରେ ଅଛନ୍ତି ଲୋକେ । ୪ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି ।

   Related Posts