ମହାନଦୀ ବସ ଟ୍ରାଜେଡି ପାଇଁ ଦାୟୀ କିଏ ? ଆସନ୍ତା କାଲିଠୁ ବିଧିବଦ୍ଧ ତଦନ୍ତ : ପ୍ରଭାତ ବିଶ୍ବାଳ କହିଲେ ବିଧାନସଭାରେ ଉଠାଇବେ ପ୍ରଶ୍ନ

Published By : Prameya-News7 Bureau | November 21, 2018 IST

ଭୁବନେଶ୍ବର ୨୧|୧୧: ମହାନଦୀ ଗର୍ଭକୁ ଯାତ୍ରୀବାହି ବସ ଖସିପଡିବା ଦ୍ବାରା ୧୦ ଜଣ ଯାତ୍ରୀ ପ୍ରାଣ ହରାଇଲେ , ୫୦ରୁ ଉର୍ଦ୍ଧ୍ବ ଆହାତ ହୋଇ ଏବେ ଯେମିତି ଜୀବନ ସହ ସଂଗ୍ରାମ କରୁଛନ୍ତି । କିନ୍ତୁ ଏତେ ବଡ ଦୁର୍ଘଟଣାକୁ ନେଇ କାହାକୁ ଦାୟୀ କରାଯିବ ? ଜାତୀୟ ରାଜପଥ ପ୍ରାଧୀକରଣ ଠାରୁ ଆରମ୍ଭ କରି ରାଜ୍ୟ ପରିବହନ ବିଭାଗର ପୁଳାପୁଳା ଅଫିସର ଓ କର୍ମଚାରୀଙ୍କ ଆଡକୁ ଅଙ୍ଗୁଳି ନଉଠିବ ବା କାହିଁକି ? ହେଲେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏପରି ଘଟଣା ଲାଗି କେବଳ ପରିବହନ ବିଭାଗକୁ ଦାୟୀ କରାଯାଇ ପାରିବ ନାହିଁ, କାରଣ ଦୁର୍ଘଟଣା ଏଡାଇବା ଲାଗି ମିଳିତ ପ୍ରୟାସ ରହିବା ଦରକାର । ଏହା ଭିତରେ ବସ ଡ୍ରାଇଭର ନାଁରେ ମାମଲା ରୁଜୁ କରିଛି ଜଗତପୁର ଥାନା । କିନ୍ତୁ ପୁରା ଘଟଣା ଉପରେ ଆସନ୍ତା କାଲିଠାରୁ ବିଦ୍ଧିବଧ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି କଟକ ଡିସିପି । କଟକ ବଡମେଡିକାଲ ଭିତରେ ଆଜି ଯେମିତି ଛାତିଫାଟିଗଲା ଭଳି ଦୃଶ୍ୟମାନ ଦେଖିବାକୁ ମିଳୁଥିଲା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜର ପ୍ରିୟଜନ ମାନଙ୍କୁ ଝୁରି ହେଉଥିଲେ ସେମାନଙ୍କ ସମ୍ପର୍କୀୟ ମାନେ । ସେପଟେ ମୃତକ ମାନଙ୍କ ପୋଷ୍ଟମର୍ଟମ ଲାଗି ଆରମ୍ଭ ହୋଇଯାଇଥିଲା ତୟାରୀ ।  ମଧ୍ୟାହ୍ନ ୧୨ ଟା ସୁଦ୍ଧା ପୋଷ୍ଟମର୍ଟମ କାମ ସରିଥିଲା, ତାପରେ ଆରମ୍ଭ ହୋଇଥିଲା ଶବହସ୍ତାନ୍ତର ପ୍ରକ୍ରିୟା । କିନ୍ତୁ ଦୁର୍ଘଟଣାଗସ୍ତ ବସ ଡ୍ରାଇଭର ନାଁରେ ମାମଲା ରୁଜୁ କରିଛି ଜଗତପୁର ଥାନା ।  କିନ୍ତୁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାର ପ୍ରକୃତ ତଦନ୍ତ ଆସନ୍ତା କାଲିଠାରୁ ଆରମ୍ଭ ହେବ । ଏବେ କିନ୍ତୁ ପ୍ରଶ୍ନ ଉଠୁଛି ଏତେବଡ ଅଘଟଣ ଘଟିଲା କେମିତି । ସଡକ ସୁରକ୍ଷା ନାଁରେ ଫି ବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ ହେଉଥିବା ବେଳେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ପୁଣିଥରେ ଦେଖିବାକୁ ମିଳିଲା କାହିଁକି । ତେବେ ଗତକାଲି ଏହି ବସର ଯାତ୍ରା କରୁଥିବା ଭଦ୍ରକ ଜିଲ୍ଲାର ବାସିନ୍ଦା ଉପେନ୍ଦ୍ର ପାଣିଗ୍ରାହୀ କହିଛନ୍ତିଯେ, ଦୁର୍ଘଟଣା ବେଳକୁ ବସର ଗତି , ସେତେ ଅଧିକ ନଥିଲା। ଯେତେବେଳେକି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ହେଉଛି , ମହାନଦୀ ଉପରେ ବସ ଗଡୁଥିବା ବେଳେ ଲାଗୁଥିଲା ଯେମିତି ବସ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ସାରିଥିଲେ, ହେଲେ ପୁଲିସର ପ୍ରଥମିକ ତଦନ୍ତ ରିପୋର୍ଟ କହୁଛି ମହାନଦୀ ପୋଲ ଉପରେ ମଇଁଶି ଅଟକି ରହିବା କାରଣରୁ ଏତେବଡ ଅଘଟଣ ଘଟିଲା । ତେବେ ଏସମସ୍ତ ଘଟଣାକ୍ରମ ଲାଗି ସରକାରୀ କଳ ଦାୟୀ ବୋଲି ପିଡିତମାନଙ୍କର ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ୧୯୯୮ ମସିହା ନାଗାର୍ଜୁନ ବେଶ ସମୟରେ ମହାନଦୀକୁ ଖସି ପଡିଥିଲା ଏକ ଯାତ୍ରୀବାହି ବସ, ସେଥିରେ ପ୍ରାୟ ୪୮ ଜଣ ମୃତ୍ୟୁ ବରଣ କରିଥିଲେ ।  ସେହି ଘଟଣାର ୨୦ ବର୍ଷ ପରେ ପୁଣିଥରେ ମହାନଦୀ ପୋଲରେ ଘଟଛି ସାଂଘତିକ ଦୁର୍ଘଟଣା । ତେଣୁ ଏବେ ପ୍ରଶ୍ନ ଉଠୁଛି ସଡକ ସୁରକ୍ଷା ବାବଦରେ ସରକାର ଓ ସରକାର କଳ କେତେ ସଚେତନ । ତେବେ ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତିଯେ, ଏହି ଘଟଣା ଲାଗି ପରିବହନ ବିଭାଗକୁ ସମ୍ପୁର୍ଣ ଋପେ ଦାୟୀ କରାଯାଇପାରିବ ନାହିଁ । କିନ୍ତୁ ସ୍ଥାନୀୟ ବିଧାୟକ ପ୍ରଭାତ ବିଶ୍ବାଳ କହିଛନ୍ତି ଏନେଇ ସେ ବିଧାନସଭାରେ ପ୍ରଶ୍ନ ରଖିବେ । ଏସ ସି ବି ମେଡିକାଲର ଆଇ ସି ୟୁରେ  ଏବେ ୭ ଜଣ ଚିକିତ୍ସିତ ହେଉଥିବା ବେଳେ , ବିଭିନ୍ନ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି ୩୭ ଜଣ ବ୍ୟକ୍ତି , ହେଲେ ୮ ଜଣ ଆହତ ବିଭିନ୍ନ ଘରୋଇ ନର୍ସିଂ ହୋମରେ ରହି ଚିକିତ୍ସିତ ହେଉଥିବାର ଖବର ରହିଛି । କିନ୍ତୁ ପ୍ରଶ୍ନ ହେଲା ଏଭଳି ଭୟାନକ ସଡକ ଦୁର୍ଘଟଣା ଘଟିବା ପରେ ସରକାର କିମ୍ବା ସରକାରୀ କଳ ନିଜ କାନ୍ଧରୁ ଦାୟିତ୍ବ ଖସାଇ ପାରିବେ ନାହିଁ, ବରଂ ଆଗକୁ ଅଧିକ ସଜାଗ ହୋଇ ବିଭାଗ ଗୁଡିକ କାର୍ଯ୍ୟ କରିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.