କଟକ ମହାନଦୀ ବସ୍ ଦୁର୍ଘଟଣା, ଅନେକଙ୍କ ସ୍ୱପ୍ନ ଭାଙ୍ଗି ଚୁରମାର୍ କରିଦେଲା : କେତେ କେତେ କରୁଣ ଛାତିଥରା କାହାଣୀ… ସବୁ କିଛି ଓଲଟ ପାଲଟ ହୋଇଗଲା

Published By : Prameya-News7 Bureau | November 21, 2018 IST

କଟକ ୨୧|୧୧: କଟକ ମହାନଦୀ ବସ୍ ଦୁର୍ଘଟଣା, ଅନେକଙ୍କ ସ୍ୱପ୍ନ ଭାଙ୍ଗି ଚୁରମାର୍ କରିଦେଲା । କେଉଁଠି ମାଆ କୋଳରୁ ପୁଅ ଚାଲିଗଲା ତ ଆଉ କିଏ ସ୍ତ୍ରୀ ଓ ପିଲାଙ୍କୁ ଛାଡ଼ି ଆରପାରିରେ । କଟକ ବଡ଼ ମେଡିକାଲରୁ ବ୍ୟବଚ୍ଛେଦ ପରେ ମୃତଦେହ ଗାଁରେ ପହଞ୍ଚିଛି । ଯାହା ପରିବେଶକୁ କରିଛି ଶୋକାକୁଳ । ପୁଅ ପାଇଁ ବାହୁନି କାନ୍ଦୁଛି ମାଆ । ମାଆ ଆଉ ବଞ୍ଚିବାକୁ ଚାହୁଁନି । ଏ ହେଉଛନ୍ତି ରାଉରକେଲା ଛେଣ୍ଡ କଲୋନୀର ଇଚ୍ଛାମଣି ଦାସ । ଗତ ସନ୍ଧ୍ୟାରେ କଟକ ବସ୍ ଦୁର୍ଘଟଣାରେ ପୁଅ ସନ୍ତୋଷ ଦାସ ଆରପାରିକୁ ଚାଲିଯିବା ପରେ ମାଆଙ୍କର ଆଉ ଅବସ୍ଥା ନାହିଁ । ଖାଲି ମାଆ କାହିଁକି ବୃଦ୍ଧ ବାପା ମଧ୍ୟ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ତାଳଚେର ଏଲଆଇସି ଶାଖାରେ ଅଫିସର୍ ଥିଲେ ସନ୍ତୋଷ୪ ମାସ ତଳେ ପଦୋନ୍ନତି ପାଇ ପ୍ରାଶାସନିକ ଅଧିକାରୀ ହୋଇଥିଲେ ଆଜି କଟକରେ ମିଟିଂ ଥିଲା, ତେଣୁ ତାଳଚେରରୁ ପାଣି କୋଚ୍ ଜଗନ୍ନାଥ ବସରେ ଚଢ଼ିଥିଲେ ରାତିରେ ଶିଖରପୁର ଘରେ ରହିଥାନ୍ତେ, ଆଉ ସକାଳେ ମିଟିଂକୁ ଯାଇଥାନ୍ତେ କିନ୍ତୁ ତା ପୂର୍ବରୁ ସବୁ କିଛି ଓଲଟ ପାଲଟ ହୋଇଗଲା । ଦୁର୍ଘଟଣାରେ ନଦୀପଠା ବାଲିକୁ ଛିଟିକି ପଡ଼ିଥିଲେ । ସେହିଠାରୁ ପୁତୁରାଙ୍କୁ ଫୋନ୍ ଲଗାଇ ବଞ୍ଚାଅ ବଞ୍ଚାଅ ଚିତ୍କାର କଲେ । କିନ୍ତୁ ବଞ୍ଚିଲେନି । ଏ ହେଉଛି କଟକ ନରସିଂହପୁର ନୂଆପାଟଣା ପଞ୍ଚାୟତ କେଉଟ ସାହିର ଦୃଶ୍ୟ । ଗାଁଟା ଯାକର ଲୋକେ ରୁଣ୍ଡ ହୋଇଛନ୍ତି, ପରିବେଶ ପୂରା ଶୋକାକୁଳ । ବଡ଼ ଓଷା ଛୁଟି ପାଇଁ ତାଳଚେର ପବିତ୍ର ମୋହନ ମହାବିଦ୍ୟାଳୟରୁ କାମ ସାରି ଗାଁକୁ ଫେରୁଥିଲେ ଅଶ୍ବିନୀ ବେହେରାହେଲେ ଗାଁ ଫେରିଛି ତାଙ୍କ ପାର୍ଥିବ ଶରୀର । କଟକ ବସ୍ ଦୁର୍ଘଟଣାରେ ନୟାଗଡ଼ ନନ୍ଦିଘର ଗାଁର ସୌମ୍ୟରଞ୍ଜନ ସାହୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଢେଙ୍କାନାଳ ସରାଙ୍ଗରେ ବିଟେକ୍ ପରେ ଭୁବନେଶ୍ବରରେ ଏମଟେକ୍ କରିଥାନ୍ତେ ସୌମ୍ୟରଞ୍ଜନ । ଗତକାଲି ସରାଙ୍ଗରୁ ସାର୍ଟିଫେିକେଟ୍ ଧରି ଫେରୁଥିଲେ । କିନ୍ତୁ ଏମଟେକ୍ ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଗଲା । ଢେଙ୍କାନାଳ ପିଙ୍ଗୁଆ କଲେଜରେ କେମିଷ୍ଟ୍ରି ଲେକଚରର୍ ଥିଲେ ବାଲେଶ୍ବର ବାହନଗା ବ୍ଲକ୍ ବାରିଙ୍ଗିଆ ଗାଁର ମାନସ ତ୍ରିପାଠୀ । କିଛି କାମରେ ଢେଙ୍କାନାଳ ଯାଇଥିବା ବେଳେ କଟକ ଅଭିମୁଖେ ଜଗନ୍ନାଥ ବସ୍ ଧରିଥିଲେ । ଶିଖରପୁରରେ କିଛି ଛାତ୍ରଙ୍କ ସହ ସେ ମିଶିବାର ଥିଲା । କଟକରେ ପହଞ୍ଚିବା ପରେ ମାଆଙ୍କ ମୋବାଇଲ ରିଚାର୍ଜ କରିଥାନ୍ତେ, ଝିଆରୀ ପାଇଁ ଖେଳଣା କିଣିଥାନ୍ତେ । କିନ୍ତୁ କିଛି କରିପାରିଲେନି । ବିଧିର ବିଧାନ କିଏ ବା ଆନ କରିବ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର କେଇ ମିନିଟ୍ ପୂର୍ବରୁ କିଏ ଜାଣିଥିଲା ଯମରୂପୀ ମଇଁଷିଟା ଗାଡ଼ି ସାମ୍ନାକୁ ଚାଲି ଆସିବ … ଆଉ ତାହା ପୁଣି ଏତେ ବଡ଼ ଦୁର୍ଘଟଣା ଘଟାଇବ ବୋଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.