ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି, ଏପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନ କରିବ ଜଳ ସତ୍ୟାଗ୍ରହ

Published By : Prameya-News7 Bureau | April 10, 2021 IST

କଟକ ୧୦।୪: ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଏହି ଶୁଣାଣି ଅବସରରେ କଟକରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଜଳ ସତ୍ୟାଗ୍ରହ କରାଯିବ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଅଭିଯୋଗ ଅନୁସାରେ ମହାନଦୀ ଟ୍ରିବ୍ୟୁନାଲର ଏହା ୨୧ତମ ଶୁଣାଣି ହୋଇଥିଲେ ମଧ୍ୟ ଆଜିଯାଏଁ କୌଣସି ଗୁରୁତ୍ବପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଦେଇନାହାନ୍ତି ଟ୍ରିବ୍ୟୁନାଲ।

ମହାନଦୀର କୂଳେ କୂଳେ ଅନ୍ୟ ସ୍ଥାନମାନଙ୍କରେ ଯଥା ପାରାଦ୍ବୀପ, ବାଙ୍କୀ, ବୈଦେଶ୍ଵର, ଆଠଗଡ, କରବର, କଣ୍ଟିଲୋ, ବୌଦ୍ଧ, ସୋନପୁର, କନକତରା, ବରଗଡ଼ ଆଦି ସ୍ଥାନ ମାନଙ୍କରେ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନର ସାଥୀ ମାନେ ଅନୁରୂପ ଭାବେ ଜଳ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମହାନଦୀ ଟ୍ରିବ୍ୟୁନାଲ ଗତ ମାର୍ଚ୍ଚ ୧୨ ତାରିଖରେ ୩ବର୍ଷ ପୂରଣ କରିଛି । ଏହି ତିନି ବର୍ଷ ଭିତରେ ମହାନଦୀ ଟ୍ରିବ୍ୟୁନାଲ ଓଡିଶାର ସ୍ବାର୍ଥ ଓ ନଦୀର ଅଧିକାରକୁ ସୁରକ୍ଷା ଦେବାରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ଛତିଶଗଡରେ ମହାନଦୀ ଉପରେ ନିର୍ମିତ ବେଆଇନ ପ୍ରକଳ୍ପ ଗୁଡିକରେ ରୋକ ଲାଗିଲା ନାହିଁ । ଅଣ ମୌସୁମୀ ସମୟରେ ଓଡିଶା ଏବଂ ହୀରାକୁଦ ପାଇଁ ଯେତିକି ପରିମାଣର ପାଣିର ଆବଶ୍ୟକତା ଅଛି ସେଥିପ୍ରତି ଟ୍ରିବ୍ୟୁନାଲ ଦୃଷ୍ଟି ଦେଲେନାହିଁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯୋଗ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.