Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାବିରେ ନ ଖୋଲିବାରୁ ଭାଙ୍ଗିବାକୁ ଚେଷ୍ଟା କଲେ ଡକାୟତ, ଭାଙ୍ଗିଲାନି ତ ପୁରା ଟ୍ରେଜରୀ ଉଠାଇ ନେଲେ

29/04/2019 at 3:31 PM

ନୋୟଡା ୨୯।୪:  କୋଦାଳରେ ନ ଭାଙ୍ଗିବାରୁ ୬୦୦ କେଜି ଓଜନର ଟ୍ରେଜରୀକୁ ଉଠାଇ ନେଇଛନ୍ତି ଡକାୟତ। ଏଭଳି ଡକାୟତୀ ହୋଇଛି ନୋୟଡାର ସେକ୍ଟର-୬୩ସ୍ଥିତ ମହାଗୁନ ବିଲ୍ଡର କାର୍ଯ୍ୟାଳୟରେ। ସୁରକ୍ଷା କର୍ମୀଙ୍କୁ ବନ୍ଧକ କରି ଦୁର୍ବୃତ୍ତମାନେ ଟ୍ରେଜରୀ ଉଠାଇ ନେଇଥିବା ବେଳେ ସେଥିରେ ନଗଦ ୩୫ ଲକ୍ଷ ଟଙ୍କା ସମେତ ବିପୁଳ ପରିମାଣର ସୁନାଥିଲା। ତମାମ ଘଟଣାକୁ କାର୍ଯ୍ୟାଳୟର ସିସି ଟିଭି ରେକର୍ଡ କରିଛି । ଏ ନେଇ ବିଲ୍ଡର ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ନୋୟଡା ସେକ୍ଟର ୬୩ର  ଏ-୧୯ରେ ରହିଛି ମହାଗୁନ ବିଲ୍ଡର କାର୍ଯ୍ୟାଳୟ। ରିଏଲ ଇଷ୍ଟେଟ କାରବାର ପାଇଁ ପ୍ରସିଦ୍ଧ ଏହି କାର୍ଯ୍ୟାଳରେ ଶନିବାର ମଧ୍ୟ ରାତ୍ରିରେ ୧୨ରୁ ୧୪ ଜଣ ଦୁର୍ବୃତ୍ତ ପଶି ଏହି ଲୁଟପାଟ କରିଛନ୍ତି । କାର୍ଯ୍ୟାଳୟ କାନ୍ଥ କାଟି ପଶିଥିବା ଦୁର୍ବୃତ୍ତଙ୍କୁ ଡ୍ୟୁଟିରେ ଥିବା ୩ ଜଣ ସୁରକ୍ଷା କର୍ମୀ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ୧୪ ଜଣଙ୍କ ଆଗରେ ୩ ଜଣ କିଛି କରିପାରିନଥିଲେ। ଦୁର୍ବୃତ୍ତମାନେ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟାଳୟର ବେସମେଣ୍ଟରେ ବାନ୍ଧି ସେମାନଙ୍କ ମୋବାଇଲ ଫୋନ ଛଡାଇ ନେବା ପରେ ଟ୍ରେଜରୀ ଖୋଲିବାକୁ ଉଦ୍ୟମ କରିଥିଲେ।

ପ୍ରାୟ ଅଧଘଣ୍ଟା ଧରି ଦୁର୍ବୃତ୍ତ ଚାବି ଲଗାଇ ଟ୍ରଜରୀ ଖୋଲିବାକୁ ଚେଷ୍ଟା କରିଥିଲେ। ଏହି ଉଦ୍ୟମରେ ସେମାନେ କାର୍ଯ୍ୟାଳୟର ସମସ୍ତ କବାଟର ତାଲା ଭାଙ୍ଗିବା ପରେ  ଟ୍ରେଜରୀ ନ ଖୋଲିବାରୁ କୋଦାଳରେ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେମଧ୍ୟ ସଫଳ ହୋଇନଥିଲେ। ଏଣୁ ଟ୍ରେଜରୀଙ୍କୁ ଘୁଞ୍ଚାଇବାକୁ ଚେଷ୍ଟା କରିଥିଲେ। ଟ୍ରେଜରୀ ସାମାନ୍ୟ ଘୁଞ୍ଚିବାରୁ ତାକୁ ଧକ୍କା ଦେଇ ଝରକା ନିକଟକୁ ନେଇଯାଇ ବାହାରକୁ ଫିଙ୍ଗିଦେଇଥିଲେ। ପରେ କାର୍ଯ୍ୟାଳୟର କାରରେ ଟ୍ରେଜରୀକୁ ଲଦି ନେଇଯାଇଛନ୍ତି । ଘଟଣା ସମ୍ପର୍କରେ ରବିବାର ସକାଳେ ଜଣାପଡିଥିଲା। ଏ ନେଇ ପୋଲିସରେ ଏତଲା ଦିଆଯିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।  

   Related Posts