ବିହାରରେ ଭାଙ୍ଗିଲା ମହାମେଣ୍ଟ ! ଭକ୍ତଚରଣ କହିଲେ- ଏବେ ପାର୍ଟି ଏକାକୀ ନିଜ ଦମରେ ନିର୍ବାଚନ ଲଢିବ

Published By : Prameya-News7 Bureau | October 22, 2021 IST

ପାଟନା ୨୨।୧୦: ଏବେ ପୁଣି ଥରେ ଚଳଚଞ୍ଚଳ  ବିହାର ରାଜନୀତି। କଂଗ୍ରେସ ଓ ଆରଜେଡି ମହାମେଣ୍ଟରେ ପଡିଲା ଫାଟ। ଏପରିକି ବିହାରରେ ବିରୋଧୀ ଦଳର ମହାମେଣ୍ଟ ଭାଙ୍ଗିବାର ଦ୍ଵାରଦେଶରେ। ଆଉ ଏହି ସବୁ ଚର୍ଚ୍ଚା ଉପରେ ମୋହର ମାରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ। ପାଟନା ପହଞ୍ଚିଥିବା ଭକ୍ତଚରଣ କହିଛନ୍ତି ଯେ, ମହାମେଣ୍ଟ ଭାଙ୍ଗିବାର କେବଳ ଔପଚାରିକା ଘୋଷଣା ବାକି ରହିଛି। କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ଏକାକୀ ୪୦ ସିଟ୍‌ରେ ନିଜ ଦମରେ ଲଢିବ। ଆରଜେଡି ମେଣ୍ଟ ଧର୍ମ ପାଳନ କରିନଥିବା ଭକ୍ତଚରଣ ଅଭିଯୋଗ କରିଛନ୍ତି।

ପାଟନା ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ଭକ୍ତ ଚରଣ ଦାସ କହିଛନ୍ତି, ଆମେ ବିହାରରେ ଦୁଇଟି ବିଧାନସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନରେ ଏକାକୀ ଲଢିବୁ। ସେହି ପରି ୨୦୨୪ ଲୋକସଭା ନିର୍ବାଚନର ସମସ୍ତ ୪୦ ଆସନରେ ଦଳ ନିଜ ଦମରେ ଲଢିବ। ମହାମେଣ୍ଟ ଭାଙ୍ଗିବା ପାଇଁ କଂଗ୍ରେସ ଆରଜେଡିକୁ ଦାୟୀ କରିଛି। ଭକ୍ତଚରଣ କହିଛନ୍ତି, ଆରଜେଡି ମହାମେଣ୍ଟର ଧର୍ମ ପାଳନ କରିନାହିଁ। ଏହି କାରଣରୁ ଦଳକୁ ଏହି ପରି ନିଷ୍ପତ୍ତି ନେବାକୁ ପଡିଛି। ଆମ ନେତା ବିହାର ପହଞ୍ଚି ସାରିଛନ୍ତି ଏବଂ ଜୋରଦାର ପ୍ରଚାର କରୁଛନ୍ତି।

ସୂଚନାଯୋଗ୍ୟ, ବିହାରରେ ଦୁଇଟି ବିଧାନସଭା ଆସନ ତାରାପୁର ଓ କୁଶେଶ୍ଵରସ୍ଥାନରେ ଉପ ନିର୍ବାଚନ ହେବାକୁ ଯାଉଛି। ମାତ୍ର ଏହା ପୂର୍ବରୁ ମହାମେଣ୍ଟ ଭାଙ୍ଗିବା ଆରଜେଡି ପାଇଁ ବଡ ଝଟକା ହୋଇପାରେ। ପ୍ରଥମେ ଆରଜେଡି ଏହି ଦୁଇଟି ଆସନ ପାଇଁ ନିଜର ପ୍ରାର୍ଥୀ ଦେବା ପରେ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀକୁ ମଇଦାନକୁ ଓହ୍ଲାଇଛି। ଏବେ ଦୁଇ ଦଳର ପ୍ରାର୍ଥୀ ମୁହାଁମୁହିଁ ହେବା ପରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.